‘ବରଗଡ଼’, ‘ସମ୍ବଲପୁର’ ଓ ‘କଳାହାଣ୍ଡି’: ବିଜେଡିକୁ ଧର୍ମେନ୍ଦ୍ରଙ୍କ ଉପହାର

ଭୁବନେଶ୍ବର : ଓଡ଼ିଶାର ଯେଉଁ ପଶ୍ଚିମାଞ୍ଚଳକୁ ବିଜେପି ଗଡ଼ ଭାବେ ଗଢ଼ି ତୋଳୁଥିଲା ତାହାକୁ ତୋପ ଫୁଟାଇ ଧ୍ବଂସ କରିଦେଇଛନ୍ତି ବିଜେପିର ନିର୍ବାଚନ କମିଟି ସଦସ୍ୟ ତଥା ଉପଦେଷ୍ଟା। ଏହାଦ୍ଵାରା ତିନୋଟି ନିଶ୍ଚିତ ଆସନରେ ଏବେ ପରାଜୟ ବାଦଲ ଆଚ୍ଛାଦିତ ହେଉଛି ବୋଲି ରାଜ୍ୟ ବିଜେପି ମହଲରେ ଚର୍ଚା ହେଉଛି। ନା ସଙ୍ଘ ଏହି ଭଙ୍ଗରୁ ଦଳକୁ ମୁକୁଳାଇପାରୁଛି ନା କର୍ମୀ। ଏବେ ଖାଲି ଆଙ୍ଗୁଳି ଗୋଟିଏ ଆଡ଼କୁ ନିକ୍ଷେପ କରାଯାଉଛି ତାହା ହେଲା ଅହଙ୍କାରର କାଚଘର। ଅପରପକ୍ଷେ ଏହା ବିଜେଡି ପାଇଁ ଆଶୀର୍ବାଦ ପାଲଟୁଛି

ବରଗଡ଼ ଉପହାର

କଥା ହେଉଛି ପଶ୍ଚିମାଞ୍ଚଳର ବରଗଡ଼, ସମ୍ବଲପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ କଥା। ପ୍ରଥମେ ବରଗଡ଼ରେ ପୂର୍ବତନ ବଜରଙ୍ଗଦଳ ନେତା, ଭିଏଚ୍‌ପି କର୍ମୀ ତଥା ସଂଘର କାର୍ଯ୍ୟକର୍ତ୍ତା ସୁବାସ ଚୌହାନ ଏଥର ଲୋକସଭା ପାଇଁ ଅପ୍ରତୀଦ୍ଵନ୍ଦ୍ଵୀ ପ୍ରାର୍ଥୀ ବୋଲି ଚର୍ଚା ହେଉଥିଲା। ଏପରିକି ବିଗତ ୫ବର୍ଷ ଧରି ନିରନ୍ତର ଭାବେ ବିଜେପିର ଏକମାତ୍ର ନେତା ଯିଏକି ଗଣମାଧ୍ୟମଠାରୁ ଆରମ୍ଭ କରି ଗଳି, କନ୍ଦି, ପଡ଼ା ଯାଏ ଘର ଘର ବୁଲି ନିଜକୁ ପ୍ରତିଷ୍ଠିତ କରିଥିଲେ ସୁବାସ ଚୌହାନ। ଗତ ନିର୍ବାଚନରେ ସେ ଯେଉଁ ପରାଜୟକୁ ବରଣ କରିବାକୁ ବାଧ୍ୟ ହୋଇଥିଲେ, ଏଥର ତାହାର ପ୍ରତିଶୋଧ ନେବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ଦଳ ଟିକେଟ୍‌ ଦେଇ ନାହିଁ। କାରଣ ଏଯାଏ ଅସ୍ପଷ୍ଟ ରହିଛି।

ବିଜେପୁର କେଁ

ଆଲୋଚନା ହେଉଛି ବିଜେପୁର ଉପ ନିର୍ବାଚନରେ ସୁବାସଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତଭେଦ ଏଥିଲାଗି ଦାୟୀ। ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ବେଖାତିର କରିଥିଲେ। ସେତେବେଳେ ବିଜେଡି ନେତା ଅଶୋକ ପାଣିଗ୍ରାହୀଙ୍କ ବିଜେପି ଆଗମନକୁ ସେ ବିରୋଧ କରୁଥିଲେ। ଏହାକୁ କିନ୍ତୁ କେନ୍ଦ୍ରମନ୍ତ୍ରୀ ସହ୍ୟ କରି ନଥିାଲେ। ପ୍ରତିଶୋଧ ପରାୟଣ ହୋଇ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଥିବା ଚର୍ଚା ହେଉଛି। ଏଣୁ ସୁବାସଙ୍କ ଟିକେଟ୍‌ କାଟ୍‌ ପଛରେ ବିଜେପୁର କେଁ ରହିଥିବା ସ୍ପଷ୍ଟ।

ସୁବାସଙ୍କ ସ୍ଥିତି

ବିଗତ ନିର୍ବାଚନରେ ସୁବାସ ମାତ୍ର ୧୧ ହଜାର ଭୋଟ୍‌ରେ ନିକଟତମ ବିଜେଡି ପ୍ରାର୍ଥୀ ଡ. ପ୍ରଭାସ ସିଂହଙ୍କଠାରୁ ପରାଜିତ ହୋଇଥିଲେ। ଏହି ତ୍ରୁଟିକୁ ସୁଧାରିବା ପାଇଁ ସୁବାସ ଘର ଘର ବେୁଲି ଅଭିଯାନ ଚଳାଇବା, ମୋ ବୁଥ୍‌ ସବୁଠୁ ମଜଭୁତ୍‌ କାର୍ଯ୍ୟକ୍ରମରେ ଉଦାହରଣ ସୃଷ୍ଟି କରିଥିଲେ।

ସୁରେଶ ହେଲେ ବଳିର ଛେଳି

ଖାଲି ସେତିକି ନୁହେଁ ପଶ୍ଚିମାଞ୍ଚଳର ଅନ୍ୟ ଜଣେ ନେତା ତଥା ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀଙ୍କୁ ଏହି ଆସନରେ ବଳିର ଛେଳି ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ସୋଶାଲ୍‌ ମିଡିଆରେ ଏନେଇ ଚର୍ଚା ଜୋର୍‌ ଧରିଛି। ସୁରେଶ ସମ୍ବଲପୁରର ନେତା। ବିଗତ ନିର୍ବାଚନରେ ସେ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ। ମାତ୍ର ୩୦ହଜାର ଭୋଟ୍‌ରେ ସେ ପଛୁଆ ଥିଲେ। ସେତେବେଳେ ନଗେନ୍ଦ୍ର ପ୍ରଧାନ ସାଂସଦ ହୋଇଥିଲେ। ଅନେକ ବର୍ଷ ହେଲା ସେ ସମ୍ବଲପୁରରୁ ଯାଇ ଦଳର ସାଂଗଠନିକ କାର୍ଯ୍ୟ ସମ୍ଭାଳୁଥିଲେ। ତାଙ୍କୁ ହଠାତ୍‌ ବରଗଡ଼ ଲୋକସଭା ଆସନ ଦିଆଯିବା ଏକ ଆଶ୍ଚର୍ଯ୍ୟ ବୋଲି ବିଜେପି କର୍ମୀ କହିଛନ୍ତି।

ସମ୍ବଲପୁରରେ ନିତିଶ ଗଙ୍ଗଦେବ

ନିତିଶ ଗଙ୍ଗଦେବ ହେଉଛନ୍ତି ସମ୍ବଲପୁରରେ ନୂଆ। ବିଗତ ନିର୍ବାଚନରେ ସେ ବିଜେପି ଆସି ଦେବଗଡ଼ ପାଇଁ ଟିକେଟ୍‌ ପାଇଥିଲେ। ଏଥର ତାଙ୍କ ସ୍ଥିତି ଜଟିଳ ଥିବା ନେଇ ଆଶଙ୍କା ହୋଇଥିଲା। ଏଣୁ ନିଜକୁ ସୁରକ୍ଷିତ କରିବା ପାଇଁ ନିତିଶ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ ନେଇ ଚିନ୍ତା କରୁଥିଲେ। ଏପରି ସ୍ଥିତିରେ ତାଙ୍କ ଆବେଦନକୁ ଦଳ ଉଚିତ ଭାବେ ଗ୍ରହଣ କରିଛି। କିନ୍ତୁ ସେ ସମ୍ବଲପୁରର ଲୋକସଭା ମଣ୍ଡଳୀକୁ କେତେ ନିଜର କରିପାରିବେ ତାହା ଉପରେ ସନ୍ଦେହ ରହିଛି। ଅପରପକ୍ଷେ ନିତିଶଙ୍କ ଭାଷଣ ଦେବା କଳାରେ କମ୍‌ଜୋରୀ ଏହି ଆଶଙ୍କାକୁ ଆହୁରି ଦୃଢ଼ୀଭୂତ କରିଛି। ଏହା ଆଶଙ୍କିତ ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ଆତ୍ମ ବିଶ୍ଵାସ ହରା ସଭାପତି

ସଭାପତି ବସନ୍ତ ପଣ୍ଡା ନିଜ ଉପରୁ ଆସ୍ଥା ହରାଇଛନ୍ତି ବା ଆତ୍ମ ବିଶ୍ଵାସ ଜୁଟାଇ ପାରୁ ନଥିବା କୁହାଯାଉଛି। ଫଳରେ ସେ ନିଜ ବିଧାନସଭା ମଣ୍ଡଳୀରୁ ଆଉ ପ୍ରାର୍ଥୀ ହୋଇ ନାହାନ୍ତି। ଆସ୍ଥା ବିରୋଧୀ ତତ୍ତ୍ଵ ତଥା ମୋଦି ହାୱାରେ ସେ ଏଥର ସାଂସଦ ହେବାର ସ୍ଵପ୍ନ ଦେଖୁଛନ୍ତି। କିନ୍ତୁ ଏ ଭିତରେ କଳାହାଣ୍ଡି ବିଜେଡି ପଟକୁ ଢଳିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହେଉଛି। ସେଠାରେ ପୂର୍ବତନ ମନ୍ତ୍ରୀ ତଥା ପ୍ରଦୀପ ନାୟକ ପ୍ରାର୍ଥୀ ହେବାକୁ ସଜବାଜ ହେଉଥିବା ବେଳେ ବସନ୍ତଙ୍କ ଏପରି ପଦକ୍ଷେପ ଏବେ କର୍ମୀଙ୍କୁ ଅଡ଼ୁଆ ସ୍ଥିତିକୁ ଟାଣି ଆଣିଛି।

ଧନହାନୀ ଶରୀର ପୀଡ଼ା

ଖାଲି ସେତିକି ନୁହେଁ ଦଳ ଏବେ ଜିତିଥିବା ଏକମାତ୍ର ଆସନ ସୁନ୍ଦରଗଡ଼କୁ ବି ବିଜେଡି ହାତରେ ଟେକିଦେବା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛି। ପରସ୍ପର ଭିତରେ ପଡ଼ୁ ନଥିବାରୁ ଏଠାରୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜୁଏଲ୍‌ ଓରାମଙ୍କ ସବୁ ଅସ୍ତ୍ର ଓ କବଚକୁ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀ ହରଣ କରି ସାରିଛନ୍ତି। ଏଣୁ ଏଥର ଯେଉଁ ପଶ୍ଚିମାଞ୍ଚଳକୁ ନେଇ ବିଜେପି ଆଶା ଦେଖୁଥିଲା ତାହା କେବଳ ଅର୍ଥହାନୀ ଶରୀର ପୀଡ଼ା ହେବ ବୋଲି ଚର୍ଚା ହେଲାଣି।

Share

Leave a Reply

Your email address will not be published. Required fields are marked *

fifteen − 1 =