ପଦ୍ମପୁରରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

କେନ୍ଦ୍ର ବିଜେପିର ଅସଲ ମୁଖା ଖୋଲିଛନ୍ତି ନବୀନ। କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି । ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । କଟାକ୍ଷ କରି କହିଛନ୍ତି, ପଦମପୁର ରେଳ ଷ୍ଟେସନ କେଉଁଠି? କେଉଁ ଗାଁ ଦେଇ ଯାଉଛି ବିଜେପି ଟ୍ରେନ? । ଆକ୍ରମଣ ମୁଦ୍ରାରେ ରହି ନବୀନ କହିଲେ, ବହୁତ ହୋଇଗଲା । ବହୁତ ମିଛ କହିଲ, ଲୋକଙ୍କୁ ଭୁଆଁ ବୁଲାଇଲ । ତୁମ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା? ଧାନ ଏମଏସପି ଦିଗୁଣା କାହିଁକି ଧୂଆଁବାଣ ହୋଇ ରହିଲା? ଚାଷୀଙ୍କୁ କାହିଁକି ସାର ଓ ଋଣ ମିଳୁନି? ଏଫସିଆଇ କାହିଁକି ଧାନ କିଣୁନି? ଏମିତି ପ୍ରଶ୍ନର ନାଗଫାଶରେ ନବୀନ କେନ୍ଦ୍ରକୁ ବାନ୍ଧିଛନ୍ତି । କେନ୍ଦ୍ରର ଅବହେଳା ବିରୋଧରେ ଗର୍ଜିଛନ୍ତି । ପଦମପୁର ପ୍ରଚାରକୁ ଆସି ନବୀନ ବିଜେପି ସକରାର ଉପରେ ଜୋରଦାର ବର୍ଷି କହିଛନ୍ତି, ୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ଘର ଦେବାକୁ କେନ୍ଦ୍ର କହିଥିଲା । ଏହା କେବଳ ଘୋଷଣାରେ ରହିଗଲା । ରାଜ୍ୟ ସରକାର ବର୍ଷକୁ ପ୍ରାୟ ୫ ଲକ୍ଷ ଘର ନିର୍ମାଣ କରୁଥିଲେ । ମାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସରକାର ଏହାକୁ ୨ ବର୍ଷ ହେବ ବନ୍ଦ କରିଛନ୍ତି । ପଦମପୁରର ୨୫ ହଜାର ଲୋକ ଘରରୁ ବଂଚିତ ହୋଇଛନ୍ତି । ଭଲ କାମ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ସମ୍ମାନିତ କରୁଥିଲା ବେଳେ ଓଡ଼ିଶା ବିଜେପି ଏମପିମାନେ ଘର ବନ୍ଦ କରି ବାହା ବାହା ନେଉଛନ୍ତି । ଟେକାର ଜବାବ ପଥରରେ ଦେଇ ନବୀନ କହିଲେ, ୨୦୧୮ରେ କେନ୍ଦ୍ର ବିଜେପି ମନ୍ତ୍ରୀ ଏଠାରେ କହିଥିଲେ ରେଳ ଚାଲିବ। ବରଗଡ଼ରୁ ପଦମପୁର ହୋଇ ନୂଆପଡ଼ା ଚାଲିବ ରେଳ । କଟାକ୍ଷ କରି ନବୀନ କହିଲେ, କେଉଁଠି ପଦମପୁର ରେଳ ଷ୍ଟେସନ? ପଦମପୁରର କେଉଁ ଗାଁ ଦେଇ ଏ ଟ୍ରେନ ଯାଉଛି? ବିଜେପୁର ଉପନିର୍ବାଚନ ସମୟରେ ଏ ପ୍ରତିଶ୍ରୁତି ମିଳିଥିଲା । ଏବେ କେନ୍ଦ୍ରର ବିଜେପି ମନ୍ତ୍ରୀ କହୁଛନ୍ତି ଜମି ମିଳିନି। ମାନ୍ୟବର ମନ୍ତ୍ରୀ କହିବେ କି କେଉଁ ଗାଁ ଦେଇ ଟ୍ରେନ ଯିବ? ଷ୍ଟେସନ କେଉଁଠି ହେବ । ସର୍ଭେ କେବେ ହେଲା । ଡିପିଆର ହୋଇଛି କି? କେନ୍ଦ୍ର ମନ୍ତ୍ରୀ ମିଛ କହୁଛନ୍ତି । ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଫସଲବୀମା ନେଇ ଏଯାଏ ଶୋଇଥିଲେ । ଚାଷୀ ଆନ୍ଦୋଳନକୁ ଓହ୍ଲାଇବାରୁ ଭୋଟ ଭୟରେ ନିଦ ଭାଙ୍ଗିଛି । କେନ୍ଦୁପତ୍ର ଉପରେ ୧୮% ଜିଏସଟି ନେଉଛି କେନ୍ଦ୍ର । ଏହା କି ପ୍ରକାର ନ୍ୟାୟ? ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ସବୁବେଳେ ଲୋକଙ୍କ ସୁଖଦୁଃଖରେ ଅଛି । ଆପଣମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରାନ୍ତୁ । ସବୁ ସ୍ବପ୍ନ ପୂରଣ ହେବ ବୋଲି ନବୀନ ପଦମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × four =