ଓଡ଼ିଶାରେ ପୁଣି ଥରେ ବ୍ୟାପିଲା ଲମ୍ପି ସ୍କିନ୍ ଡିଜିଜ୍‌

୨୦୧୯ ମେ ମାସରେ ଓଡିଶା ଉପକୂଳରେ ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫନି’ ପରେ ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଇଥିବା ମାରାତ୍ମକ ଚର୍ମ ରୋଗ ଲମ୍ପି ସ୍କିନ୍ ଡିଜିଜ୍ (ଏଲ୍‌ଏସ୍‌ଡି) ପୁଣି ଥରେ ଦେଖାଦେଇଛି ବୋଲି ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀ ପକ୍ଷରୁ କୁହାଯାଇଛି ।
ଏହି ରୋଗଟି ସଂକ୍ରାମକ ଏବଂ ଟିଙ୍କ ଭଳି ରକ୍ତ ଶୋଷୁଥିବା କୀଟ ଓ ଏଡିସ୍ ମଶା ଦ୍ୱାରା ବ୍ୟାପି ଥାଏ ଏବଂ ପଶୁ ପାଳନ କରୁଥିବା କୃଷକ ମାନଙ୍କର ଏହା ଦ୍ୱାରା ଖୁବ୍ କ୍ଷତି ଘଟିଥାଏ । କାରଣ ଏହା ଦ୍ୱାରା ପଶୁମାନଙ୍କର ମୃତ୍ୟୁ ହେବା ସହିତ ଚିକିତ୍ସା ଖର୍ଚ୍ଚ ଓ ଦୁଗ୍ଧ ଉତ୍ପାଦାନ ୨୦ ପ୍ରତିଶତ ହ୍ରାସ ହେବା ଦ୍ୱାରା ପ୍ରଭୃତ କ୍ଷତି ଘଟିଥାଏ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି ।
ଏହି ମାରାତ୍ମକ ଚର୍ମ ରୋଗରେ ୩ ପ୍ରକାର ଭାଇରସ୍ ଥାଏ । ଏଗୁଡ଼ିକ ହେଲା ସିପ ପକ୍ସ, ଗୋଟ୍ ପକ୍ସ ଏବଂ ଏଲ୍‌ଏସ୍‌ଡି ।
ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ ଏହି ରୋଗ ପ୍ରଥମେ ଆଫ୍ରିକାରେ ସୀମିତ ଥିବା ବେଳେ ଧୀରେ ଧୀରେ ଅନ୍ୟ ମହାଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି । ବାତ୍ୟା ‘ଫନି’ ପରେ ଓଡ଼ିଶାରେ ଏହି ରୋଗ ଚିହ୍ନଟ ହୋଇଥିଲା ଏହା ଓଡ଼ିଶାକୁ ଝାଡଖଣ୍ଡ ଦେଇ ବାଂଲାଦେଶରୁ ଆସିଥିବା ସେ କହିଛନ୍ତି ।
ଏହି ଭାଇରସ୍‌ଟି ଖାଦ୍ୟ ଓ ପାଣି ଦ୍ୱାରା ମଧ୍ୟ ଶରୀରକୁ ପ୍ରବେଶ କରିଥାଏ ଏବଂ ପ୍ରାୟ ସାଢ଼େ ୩ ବର୍ଷ ପରେ ପୁଣି ଥରେ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ପଶୁମାନଙ୍କ ଶରୀରେ ଦେଖାଦେବା ଆରମ୍ଭ କରିଛି । ଏହି ରୋଗରେ ପଶୁମାନଙ୍କ ଚର୍ମରେ ଅଧିକ ମାତ୍ରାରେ ଗଣ୍ଠି ସୃଷ୍ଟି ହୋଇ ଶରୀରରେ ଘା’ ହୋଇଯାଏ ଏବଂ ଅତ୍ୟଧିକ ଜ୍ୱର ହୋଇଥାଏ ବୋଲି ସେ କହିଛନ୍ତି ।
ପ୍ରଫେସର ପଟ୍ଟନାୟକ କହିଛନ୍ତି ଏପର୍ଯ୍ୟନ୍ତ ଏଲ୍‌ଏସ୍‌ଡି ଭ୍ୟାକ୍ସିନ୍ ଉପଲବ୍ଧ ହୋଇ ନ ଥିବାରୁ ପଶୁମାନଙ୍କୁ ଏଭଳି ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ତୁରନ୍ତ ଭ୍ୟାକ୍ସିନ୍‌ର ଆବଶ୍ୟକତା ରହିଛି ଏବଂ ଏହାକୁ ରୋକିବା ନିମନ୍ତେ ଡବଲ୍ ଡୋଜ୍ ଗୋଟ୍ ଭ୍ୟାକ୍ସିନ୍ ନେବା ଆବଶ୍ୟକ ।
ଏଲ୍‌ଏସ୍‌ଡି ଭ୍ୟାକ୍ସିନ୍ ମିଳିତ ଭାବେ ନ୍ୟାସ୍‌ନାଲ୍ ରିସର୍ଚ୍ଚ ସେଂଟର ଫର୍ ଇକ୍ୱିନ୍ (ଏନ୍‌ଆର୍‌ସିଇ), ହିସାର୍ ଏବଂ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଭିଆର୍‌ଆଇ), ବରେଲିରେ ପ୍ରସ୍ତୁତ କରାଯାଉଥିôବା ବେଳେ ଏପର୍ଯ୍ୟନ୍ତ ମାର୍କେଟ୍‌ରେ ଉପଲବ୍ଧ ହୋଇନାହିଁ । ସୋଆ ପକ୍ଷରୁ ମଧ୍ୟ ଏହି ମାରାତ୍ମକ ବ୍ୟାଧିକୁ ପ୍ରତିହିତ କରିବା ନିମନ୍ତେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଗବେଷଣା ଜାରି ରହିଥିବା ପ୍ରଫେସର ପଟ୍ଟନାୟକ କହିଛନ୍ତି ।
ଓଡ଼ିଶାରେ ୨୦୧୯ରେ ପଶୁମାନଙ୍କ ଶରୀରେ ଦେଖାଦେଇଥିବା ଏହି ବ୍ୟାଧି ଏଲ୍‌ଏସ୍‌ଡି ବୋଲି ଦୁଇଟି ଆଇସିଏଆର ପରିଚାଳିତ ଗବେଷଣା ସଂସ୍ଥା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ଏପିଡେମିଓଲୋଜି (ନିଭେଡି), ବେଙ୍ଗାଲୁରୁ ଏବଂ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜେସ୍ ( ଏନ୍‌ଆଇଏଚ୍‌ଏସ୍‌ଏଡି), ଭୋପାଲ୍ ପକ୍ଷରୁ ଚିହ୍ନଟ କରାଯାଇଥିଲା ଏବଂ ଏହା ଏକ ଆଫ୍ରିକାନ୍ ଷ୍ଟ୍ରେନ୍ ବୋଲି ଜଣାପଡ଼ିଥିଲା ବୋଲି କହିଛନ୍ତି ଆଇଭିଏସ୍‌ଏଏଚ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବଳରାମ ସାହୁ ।
ସେ କହିଛନ୍ତି ଯେ ଚଳିତ ବର୍ଷ ରାଜସ୍ଥାନରେ ଏହି ଏଲ୍‌ଏସ୍‌ଡି ବ୍ୟାଧି ଖୁବ୍ ଜୋର୍‌ରେ ବ୍ୟାପି ଥିଲା ଏବଂ ଏହି ଭାଇରସ୍‌କୁ ରାଜସ୍ଥାନ ସରକାରଙ୍କ କୃଷି ଓ ପଶୁପାଳନ ବିଭାଗ ଏବଂ ଆଇସିଏଆର୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଂଟିଗ୍ରେଟିଭ୍ ବାୟୋଲୋଜି ( ଆଇଜିଆଇବି), ନୂଆଦିଲ୍ଲୀ ପକ୍ଷରୁ ଚିହ୍ନଟ କରାଯାଇଥିଲା ।
ଏହି ରୋଗକୁ ନିୟନ୍ତ୍ରଣ କରିବା ନିମନ୍ତେ ସଂକ୍ରମିତ ପଶୁମାନଙ୍କୁ ଅଲଗା ରଖିବା ଏବଂ ମଶାରୁ ରକ୍ଷା କରିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିବା ଜରୁରୀ । ତେବେ ଟୀକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି ।
ଆଇଭିଏସ୍‌ଏଏଚ୍ ପକ୍ଷରୁ ଏହି ଏଲ୍‌ଏସ୍‌ଡି ନୀରିକ୍ଷଣ ନିମନ୍ତେ ଗଠନ କରାଯାଇଥିବା ଟିମ୍‌ରେ ପ୍ରଫେସର ବି.ବି ଦାଶ, ଡକ୍ଟର ଏଚ୍‌. କେ ଖୁଂଟିଆ, ଡକ୍ଟର ରାଧା ମୋହନ, ଡକ୍ଟର ଜ୍ଞାନ ପଟ୍ଟନାୟକ ଏବଂ ଡକ୍ଟର ଡି.ଏନ୍ ପଲ୍‌ଙ୍କ ସମେତ ପ୍ରଫେସର ପଟ୍ଟନାୟକ ନିଜେ ରହିଥିବା ବେଳେ ଗବେଷଣାର ଦଳରେ ଡକ୍ଟର ସରିତା, ଡକ୍ଟର ସୁନୀଲ୍ ଏବଂ ଡକ୍ଟର ସଞ୍ଜୀବ ସାମିଲ୍ ଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =