ବିଜେପିରେ ନେତା ବଦଳାଇବାକୁ ଚାହୁଁଛନ୍ତି କର୍ମୀ

ଭୁବନେଶ୍ବର () ରାଜ୍ୟ ବିଜେପିରେ ଗୋଟିଏ ପରେ ଗୋଟିଏ କନ୍ଦଳ ପଦାରେ ପଡିଲାଣି । କେତେବେଳେ ନେତୃତ୍ବ ପାଇଁ ବରିଷ୍ଠ ନେତାଙ୍କ ମଧ୍ୟରେ କନ୍ଦଳ ତ କେତେବେଳେ ତଳ ସ୍ତରରେ ନେତୃତ୍ବ ବିରୋଧରେ କର୍ମୀଙ୍କ ଅସନ୍ତୋଷ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ।

ଆଜି ଅପରାହ୍ନରେ କଟକ-ଚୌଦ୍ବାର ବିଧାନସଭା କ୍ଷେତ୍ରର କିଛି ବିଜେପି କର୍ମୀ ହଠାତ ରାଜ୍ୟ ବିଜେପି କାର୍ଯ୍ୟାଳୟ ମଧ୍ୟକୁ ଆସି ବିଜେପି ଜିନ୍ଦାବାଦ ସହ ନିଜ ଅଂଚଳର ନେତାଙ୍କ ବିରୋଧରେ ନାରାବାଜୀ କଲେ । ସେ ସମୟରେ ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିବାରୁ ଦଳର କର୍ମକର୍ତ୍ତାଙ୍କ ଅକଲ ଗୁଡୁମ ହୋଇଗଲା । ଯେତେ ଚେଷ୍ଟା କଲେ ବି ଏହି ଅପ୍ରିତିକର ପରିସ୍ଥିତିକୁ ଚାପି ପାରିଲେ ନାହିଁ । ସବୁଠି ଗଣମାଧ୍ୟମ ଉପରେ ଚାପ ପଡିଲା ଭଳି ଏଠି ବି ଗଣମାଧ୍ୟମକୁ ବାରଣ କରାଗଲା ନାରାବାଜୀ କରୁଥିବା ବିଜେପି କର୍ମୀଙ୍କ ଚିତ୍ର ଉତ୍ତୋଳନ ନକରିବାକୁ ।

ଏହି ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ଅଭିଯୋଗ ଥିଲା ଯେ, ସେମାନଙ୍କ ଅଂଚଳର ନେତାଙ୍କୁ ବଦଳାଯାଉ । ତାଙ୍କୁ ଏଥର ବିଧାନସଭା ନିର୍ବାଚନ ଲଢିବାର ସୁଯୋଗ ଦିଆନଯାଉ । ସେମାନେ କେଉଁ ନେତାଙ୍କୁ ବିରୋଧ କରୁଛନ୍ତି ସେ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାକୁ ଚେଷ୍ଟା କରାଗଲା ବେଳେ ଦଳର କର୍ମକର୍ତ୍ତାମାନେ ନାରାବାଜୀ କରୁଥିବା କର୍ମୀଙ୍କୁ ନାଲିଆଖି ଦେଖାଇ ମୁହଁ ବନ୍ଦ କରିଦେଲେ । ତେବେ ସେମାନେ ଯେଉଁ ନିର୍ବାଚନମଣ୍ଡଳୀ କଥା କହୁଥିଲେ, ସେହି ଅଂଚଳରେ ଏବେ ବିଜେପି ନେତା ନୟନ ମହାନ୍ତି ବେଶ ସକ୍ରିୟ ଅଛନ୍ତି । ଗତ ନିର୍ବାଚନରେ ମଧ୍ୟ ସେ ଦଳୀୟ ପ୍ରାର୍ଥୀ ହୋଇଥିଲେ । ଏଥର ବି ପୁଣି ଥରେ ଲଢିବାର ସମ୍ଭାବନା ରହିଛି । କାରଣ ସେ ନିୟମିତ ଭାବେ କଟକ-ଚୌଦ୍ବାର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − two =