ପାଦ ତଳୁ ଖସୁଛି ମାଟି, ପୂରୁଣା ସହଯୋଗୀଙ୍କୁ ମନେଇବାକୁ ଚେଷ୍ଟା

5 ବର୍ଷରେ ହାତ ଛାଡିଛନ୍ତି 16 ସହଯୋଗୀ, ଆଉ 5 ଲାଇନରେ

ଭୁବନେଶ୍ବର () ନିର୍ବାଚନ ଯେତିକି  ନିକଟତର ହେଉଛି ବିଜେପି ଓ ସହଯୋଗୀଙ୍କ ମଧ୍ୟରେ ସେତିକି ଦୂରତା ବଢ଼ୁଛି। ନିକଟରେ ଏଲଜିପି ବିଜେପିର ହାତ ଛାଡିଥିବାବେଳେ ଶିବସେନା ବାରମ୍ଭାର ଧମକ ଦଉେଛି। ଏପଟେ ହିନ୍ଦ ହାଟଲାଣ୍ତରେ ବିଜେପିରୁ ଜନତା ମୁହଁ ମୋଡିବା ପରେ ମୋଦିଙ୍କ ପାଇଁ ୨୦୧୯ ଲୋକସଭା ନିର୍ବାଚନ ଜଟିଳ ହେବାରରେ ଲାଗିଛି । ଯେଉଁଥିପାଇଁ ସହଯୋଗୀଙ୍କ ଉପସ୍ଥିତି ନିତାନ୍ତ ଆବଶ୍ୟକ ବୋଲି ବିଜେପି ବାସ୍ନା   ସହଯୋଗୀଙ୍କୁ ମନପକାଇଲେଣି ମୋଦି ।

ଏନଡିଏ ୧ ଏବଂ ୨ର ସହଯୋଗୀଙ୍କୁ ବିଜେପି ଦ୍ବାର ଖୋଲା କହିବା ପଛରେ କଣ ହୋଇପାରେ କାରଣ ? ପାଦ ତଳ ମାଟି ଖସିଲାଣି କି ? ଏଭଳି ସମୟରେ ଆଭିମୁଖ୍ୟ ବଦଳାଇବ କି ବିଜେଡି? ଏକଦା  ଏନଡିଏ ସହଯୋଗୀ ଦଳ ଥିବା ବିଜେଡି କହିଛି ଅଟଳଜୀଙ୍କୁ ଭରଷା କରିଥିଲୁ ହେଲେ ମୋଦିଙ୍କୁ ନୁହେଁ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର 9 ବର୍ଷ ରହିଥିଲା। 11 ବର୍ଷ ଉଭୟ ମିଶିକି ରହିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହି ମେଣ୍ଟ ଗଠନ ହୋଇଥିଲା। ତେବେ ଏବେର ସ୍ଥିତି ଅଲଗା ତେଣୁ ଆଉ ବିଜେପି ସହ ମେଣ୍ଟ ସମ୍ଭବ ନୁହେଁ ବୋଲି ବିଜେଡି ପୁଣି ଥରେ ସ୍ପଷ୍ଟ କରିଦେଇଛି ।

୨୦୧୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ୧୬ଟି ସହଯୋଗୀ ଦଳ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିସାରିଛନ୍ତି। ଆହୁରୀ ୫ଟି ସହଯୋଗୀ ଦଳ ଏବେ ବିଜେପି ଉପରେ ଚାପ ପ୍ରୟୋଗ କରି ଏନଡ଼ିଏ ଛାଡ଼ିବା ମୁଡ଼ରେ ଅଛନ୍ତି। ଯାହା ଫଳରେ ବିଜେପି ନେତା ଅମିତ୍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ଏବେ ଆଉ ବିଜେପିକୁ ନୂଆ ସହଯୋଗୀ ଦଳ ମିଳୁନାହାନ୍ତି। ବିଜେପି ଯାହାଙ୍କ ଉପରେ ଆଖି ପକାଇଥିଲା ସେମାନେ ଏବେ ଆଉ ଧରାଛୁଆଁ ଦେଉନାହାଁନ୍ତି।

୨୦୧୪ ନିର୍ବାଚନରେ ବିଜେପି ୨୮ଟି ସହଯୋଗୀ ଦଳଙ୍କୁ ସାଥିରେ ନେଇ ଲୋକସଭା ନିର୍ବାଚନ ଲଢ଼ିଥିଲା। ଗତ ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିବାବେଳେ ୨୨ଟି ସହଯୋଗୀ ଦଳକୁ ୫୪ଟି ଲୋକସଭା ଆସନ ମିଳିଥିଲା। ଏନଡ଼ିଏରେ ସାମିଲ ହୋଇଥିବା ୨୮ଟି ଦଳ ମଧ୍ୟରୁ ୫ଟି ଦଳ କୌଣସି ଆସନରେ ବିଜୟୀ ହୋଇପାରିନଥିଲେ। ନିର୍ବାଚନ ପରେ ବିଜେପି ଅନେକ ଛୋଟ ଛୋଟ ଦଳକୁ ଏନଡ଼ିଏରେ ସାମିଲ ମଧ୍ୟ କରିଥିଲା। ଫଳରେ ଏନଡ଼ିଏ ସହଯୋଗୀ ଦଳଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିଲା। ଚଳିତ ସପ୍ତାହରେ ଆସାମ ଗଣପରିଷଦ ନାଗରିକ ସଂଶୋଧନ ବିଲକୁ ନେଇ ଏନଡ଼ିଏ ଛାଡ଼ିଛି।

୨୦୧୮ ଏନଡ଼ିଏ ପାଇଁ ସବୁଠାରୁ ଖରାପ ବର୍ଷ ଭାବେ ପରିଣତ ହୋଇଛି। କାରଣ ଅନେକ ବଡ଼ ବଡ଼ ତଥା ପ୍ରଭାବଶାଳୀ ଆଞ୍ଚଳିକ ଦଳମାନେ ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିଛନ୍ତି। ୨୦୧୮ ଆରମ୍ଭରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝୀଙ୍କ ହୀନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏନଡ଼ିଏ ଛାଡ଼ି ମହାମେଣ୍ଟରେ ସାମିଲ ହୋଇଥିଲେ। ଫେବୃୟାରୀରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ପୁରୁଣା ସହଯୋଗୀ ନାଗା ପିପୁଲ୍ସ ଫ୍ରଣ୍ଟ ୧୫ ବର୍ଷର ପୁରୁଣା ସମ୍ପର୍କକୁ ଛିନ୍ନ କରିଥିଲା। ମାର୍ଚ୍ଚରେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ର ବାବୁ ନାଇଡ଼ୁଙ୍କ ତେଲଗୁ ଦେଶମ ପାର୍ଟି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନମିଳିବାରୁ ଏନଡ଼ିଏକୁ ଅଲବିଦା କହି ଏବେ ବିଜେପି ବିରୋଧି ମହାମେଣ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି।

୨୦୧୭ରେ ପଶ୍ଚିମବଙ୍ଗର ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବେଇମାନୀ ଅଭିଯୋଗ କରି ଏନଡ଼ିଏ ଛାଡ଼ିଥିଲା। ୨୦୧୮ରେ କର୍ଣ୍ଣାଟକ ନିର୍ବାଚନ ସମୟରେ କର୍ଣ୍ଣାଟକ ପ୍ରଜାତନ୍ତ୍ର ଜନତା ପାର୍ଟି ଏନଡ଼ିଏ ଛାଡ଼ି କଂଗ୍ରେସ-ଜେଡ଼ିଏସ ମେଣ୍ଟରେ ସାମିଲ ହୋଇଥିଲା। ବିହାରରେ ଉପେନ୍ଦ୍ର କୁଶବାହଙ୍କ ଆରଏଲଏସପି ଏନଡ଼ିଏ ଛାଡ଼ି ବିହାର ମହାମେଣ୍ଟରେ ସାମିଲ ହୋଇଛି। ଏହାଛଡ଼ା ବିହାରର ମୁକେଶ ସାହାନୀଙ୍କ ବିକାଶଶୀଳ ଇନସାନ ପାର୍ଟି ଏନଡ଼ିଏ ଛାଡ଼ି ବିହାର ମହାମେଣ୍ଟରେ ସାମିଲ ହୋଇଥିଲେ।

୨୦୧୮ରେ ଜମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ଚଳାଉଥିବା ପିଡ଼ିପି ନିଜେ ବିଜେପିଠାରୁ ଅଲଗା ହୋଇଯାଇଥିଲା। ଫଳରେ ଜମ୍ମୁ-କାଶ୍ମୀରର ପିଡ଼ିପି-ବିଜେପି ମେଣ୍ଟ ସରକାରର ପତନ ହୋଇଥିଲା। ୨୦୧୪ ନିର୍ବାଚନର କିଛି ଦିନ ପରେ ହରିଆନାର ହରିଆନା ଜନହିତ କଂଗ୍ରେସ ବିଜେପିକୁ ବେଇମାନ ଦଳ ଭାବେ ବର୍ଣ୍ଣନା କରି ଏନଡ଼ିଏ ଛାଡ଼ିଥିଲା। ଏହାର ମୁଖ୍ୟ କୁଳଦୀପ ବିଷ୍ଣୋୟୀ ଅଭିଯୋଗ କରିଥିଲେ, ବିଜେପି ଆଞ୍ଚଳିକ ଦଳମାନଙ୍କୁ ଶେଷ କରିବାକୁ ଚାହୁଁଛି। ଆନ୍ଧ୍ର ପ୍ରଦେଶର ତେଲଗୁ ସିନେମା ଷ୍ଟାର ପବନ କଲ୍ୟାଣଙ୍କ ଜନସେନା ପାର୍ଟି ୨୦୧୪ ନିର୍ବାଚନର କିଛି ଦିନ ପରେ ଏନଡ଼ିଏ ଛାଡ଼ିଦେଇଥିଲା। ଏହାଛଡ଼ା କେରଳର ରିଭ୍ୟୁଲୁସନାରୀ ସୋସାଲିଷ୍ଟ, ଆଦିବାସୀ ନେତା ସି.କେ.ଜାନୁଙ୍କ ଜନାଧିପତ୍ୟ ରାଷ୍ଟ୍ରୀୟ ସଭା, ମହାରାଷ୍ଟ୍ରର ସ୍ୱାଭିମାନ ପକ୍ଷ ମୋଦିଙ୍କୁ କୃଷକ ବିରୋଧି ବୋଲି ବର୍ଣ୍ଣନା କରି ଏନଡ଼ିଏ ଛାଡ଼ିଛନ୍ତି।

ଏବେ ଅନେକ ସହଯୋଗୀ ଦଳ ବିଜେପିର ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିବାକୁ ଯୋଜନା କରୁଛନ୍ତି। ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ପ୍ରକାଶ ରାଜଭରଙ୍କ ପାର୍ଟି ସୁଢ଼ଳଦେବ ଭାରତୀୟ ସମାଜ ପାର୍ଟି, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଅପନା ଦଳ ବିଜେପିକୁ ଚେତାବନୀ ଦେଇସାରିଛନ୍ତି। ସେମାନଙ୍କୁ ଏନଡ଼ିଏରେ ଉଚିତ୍ ସମ୍ମାନ ନ ମିଳିଲେ ସେମାନେ ମେଣ୍ଟ ଛାଡ଼ିବାକୁ ବାଧ୍ୟ ହେବେ।

ଅପରପକ୍ଷରେ ମହାରାଷ୍ଟ୍ରର ଶିବସେନା ପ୍ରତିଦିନ ବିଜେପିକୁ କଡ଼ା ସମାଲୋଚନା କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ରରେ ବିଜେପି ଏକାକୀ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ଅମିତ୍ ଶାହା କର୍ମୀମାନଙ୍କୁ କହିଛନ୍ତି। ବିହାରର ରାମବିଳାସ ପାଶୱାନଙ୍କ ଲୋକଜନଶକ୍ତି ପାର୍ଟିର ଦାବିକୁ ଅମିତ୍ ଶାହା ଓ ନୀତିଶ କୁମାର ମାନି ନେଇଥିବାରୁ ସଂକଟ ସାମୟିକ ଭାବେ ଟଳିଯାଇଛି। ସେହିଭଳି ମେଘାଳୟର ମୁଖ୍ୟମନ୍ତ୍ରୀ କେନାର୍ଡ଼ ସାଙ୍ଗମାଙ୍କ ନେସନାଲ ପିପୁଲ୍ସ ପାର୍ଟି ବିଜେପିକୁ ଧମକ ଦେବାରେ ଲାଗିଛି।

ଏଥିପାଇଁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ୨୦୧୯ ନିର୍ବାଚନର ଚାପ ବଢ଼ିବାରେ ଲାଗିଛି। ନିର୍ବାଚନ ଜିତିବା ପାଇଁ ନୂଆ ନୂଆ ସହଯୋଗୀ ଖୋଜିବା ସହିତ ପୁରୁଣା ସହଯୋଗୀଙ୍କୁ ଏକାଠି କରି ରଖିବା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡ଼ୁରେ ସହଯୋଗୀ ଖୋଜିବା ଦାୟିତ୍ବ ନିଜ ମୁଣ୍ଡ ଉପରକୁ ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

thirteen − 13 =