ଆରଏସଏସ ମୁଖ୍ୟଙ୍କୁ କାହିଁକି ଭେଟିଲେ ଜାଗି …

ଭୁବନେଶ୍ବର () ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆଜି ତାଙ୍କ ଗସ୍ତର ଶେଷ ଦିନ ହୋଇଥିବା ବେଳେ ଗତକାଲି ତାଙ୍କୁ ଭୁବନେଶ୍ବରସ୍ଥିତ ଆରଏସଏସ କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଭେଟିଥିଛନ୍ତି । ଏହି ଭେଟଘାଟ ସଂପର୍କରେ ଆରଏସଏସ କାର୍ଯ୍ୟାଳୟ କି ଜାଗି ମଙ୍ଗତଙ୍କ କାର୍ଯ୍ୟାଳୟ କିଛି ସ୍ପଷ୍ଟ କରିନି । କିନ୍ତୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ବୈଜୟନ୍ତ ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ ନୂଆ ସମୀକରଣ ସୃଷ୍ଟି କରୁଛି ।

କଡ଼ା ସୁରକ୍ଷା ଭିତରେ ସରସଂଘଚାଳକଙ୍କ ଏହି ପରିଦର୍ଶନ କିନ୍ତୁ ଓଡ଼ିଶା ବିଜେପି ରାଜନୀତିରେ ଆଗକୁ ଏକ ନୂଆ ସମୀକରଣକୁ ଇଙ୍ଗିତ କରିଛି। କାରଣ ଯେଉଁ କିଛି ନେତାକୁ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଭେଟିଛନ୍ତି ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ସାଂସଦ, ବିଜେଡିରୁ ବହିଷ୍କୃତ ହୋଇଥିବା ନେତା, ପାଇଲଟ୍ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା।

ଶ୍ରୀ ପଣ୍ଡା କିନ୍ତୁ ସିଧାସଳଖ ଶ୍ରୀ ଭାବଗବତଙ୍କୁ ଭେଟି ନାହାନ୍ତି। ବିଶ୍ଵସ୍ତ ସୂଚନା ଅନୁସାରେ ଶ୍ରୀ ପଣ୍ଡାଙ୍କ ପତ୍ନୀ ତଥା ଓଟିଭିର ମାଲିକ ଜାଗି ମଙ୍ଗତ ପଣ୍ଡା ଶ୍ରୀ ଭାଗବତଙ୍କୁ ତାଙ୍କ ଓଡ଼ିଶା ରହଣୀ ସମୟରେ ଶୁକ୍ରବାର ଭେଟିଛନ୍ତି। ମଞ୍ଚେଶ୍ଵରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି କାର୍ଯ୍ୟାଳୟରେ ସେ ରହିଥିବା ସମୟରେ ଜଗିଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବୈଜୟନ୍ତଙ୍କ ବଦଳରେ ଜଗି ଶ୍ରୀ ଭାଗବତଙ୍କ ସହ ଏକୁଟିଆ ଭେଟିବା, ଏକ ଗୁରୁତ୍ଵପୂଣ୍ଣ ରାଜନୀତିକ ସମୀକରଣକୁ ଇଙ୍ଗିତ କରୁଛି।

ବିଗତ କିଛିଦିନ ହେଲା ଶ୍ରୀ ପଣ୍ଡା ବିଜେପିରେ ଯୋଗ ଦେବେ ବୋଲି ଯେଉଁ ଚର୍ଚା ଚାଲିଛି ତାହା ବାସ୍ତବ ରୂପ ନେଇପାରୁ ନାହିଁ। ସଦ୍ୟ ପ୍ରକାଶିତ ନିର୍ବାଚନ ଫଳାଫଳ ପରେ ସେ ବିଜେପିରେ ଯୋଗ ଦେବାର ଥିଲା। ଏ ନେଇ ଜାତୀୟ ସ୍ତରର ସାମ୍ବାଦିକ ତଥା ତାଙ୍କ ସୂତ୍ର ଯଥେଷ୍ଟ ସୂଚନା ଦେଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ବିଫଳ ହୋଇପଡ଼ିଛି।

ସୂଚନା ଅନୁସାରେ ବିଜେପି ସହ ତାଙ୍କ ହିସାବ କିତାବ ଛିଡ଼ୁ ନାହିଁ। ଏବେ ରାଜ୍ୟ ଦାୟିତ୍ଵରେ ଥିବା ଜଣେ ପ୍ରଭାବଶାଳୀ ନେତା ବୈଜୟନ୍ତଙ୍କ ପ୍ରବେଶ ଉପରେ ଆଶଙ୍କା ଲଗାଇ ବସିଛନ୍ତି। ଅପରପକ୍ଷେ ବୈଜୟନ୍ତ କିଛି ବଡ଼ ଡିଲ୍‌ କରିବାକୁ ଚାହିଁଛନ୍ତି। ଯେଉଁଥିପାଇଁ ବିଜେପି ନେତାଙ୍କ ସହ ତାଙ୍କର ମୁଲଚାଲ ଛିଡ଼ୁ ନାହିଁ ବୋଲି ଜଣାପଡ଼ିଛି। ଏହିକ୍ରମରେ ସେ ବିଜେପିର ବଡ଼ବାପା ଆର୍‌ଏସ୍‌ଏସ୍‌ ବାଟ ଦେଇ ଯିବାକୁ ଚାହିଁଛନ୍ତି। ଆର୍‌ଏସ୍‌ଏସ୍‌ ପ୍ରମୁଖଙ୍କ ସହ ଶ୍ରୀ ପଣ୍ଡା ସିଧାସଳଖ ଆଲୋଚନା କଲେ ତାହା ମିଡିଆରେ ଚର୍ଚାର ବିଷୟ ହେବ ବୋଲି ଆଶଙ୍କା ଥିବାରୁ ତାଙ୍କ ପତ୍ନୀ ଏଥିରେ ମାଧ୍ୟମ ହୋଇଥିବା ଜଣାପଡ଼ିଛି।

ଯଦି ଶ୍ରୀ ଭାଗବତଙ୍କ ସବୁଜ ସଙ୍କେତ ମିଳେ ତେବେ ବୈଜୟନ୍ତଙ୍କୁ ତାଙ୍କ ଆଶା ଇଚ୍ଛା ପୂରଣ କରିବାରେ କେହି ଅଟକାଇପାରିବେ ନାହିଁ। ଯେଉଁଭଳି ଭାବେ ଅପରାଜିତା ଆଇଏଏସ୍‌ ଛାଡ଼ି ସ୍ଵର୍ଗରୁ ଛିଣ୍ଡିଲା ପରି ଆସି ବିଜେପି କାନ୍ଧରେ ବସିଲେ ବୈଜୟନ୍ତ ସେହିପରି ହଠାତ୍‌ କେତେବେଳେ ରାଜ୍ୟ ବିଜେପିର ଶୀର୍ଷରେ ବସିପାରନ୍ତି। ଆଉ ସେତେବେଳେ  ମନ୍ତ୍ରଣାଳୟ ସମ୍ଭାଳୁଥିବା ତାଙ୍କ ବିରୋଧୀ ନେତାଙ୍କ ସ୍ଵପ୍ନ ଉପରେ ପାଣି ପଡ଼ିପାରେ ବୋଲି ଆଶଙ୍କା ଜନ୍ମିଛି।

ଶ୍ରୀ ଭାଗବତଙ୍କ ଏହି ପରିଦର୍ଶନ ସମୟରେ ଆଉ ଜଣେ ବାଲେଶ୍ଵର ନେତା ତଥା ପୂର୍ବତନ ସାଂସଦ ପ୍ରାର୍ଥୀ ଓ ବିଧାୟକ ମଧ୍ୟ ଭେଟିବାକୁ ପ୍ରୟାସ କରିଥିଲେ। ଯଦିଓ ସେ ଆର୍‌ଏସ୍‌ଏସ୍‌ର ଜଣେ ବରିଷ୍ଠ କର୍ମୀ ଓ ତାଙ୍କର ସେହି ମହଲରେ ଭଲ ପରିଚୟ ରହିଛି, କିନ୍ତୁ ତାଙ୍କ ମାମଲାରେ ଶ୍ରୀ ଭାଗବତ ହସ୍ତକ୍ଷେପ କରିବାକୁ ଚାହିଁ ନାହାନ୍ତି। ଭାଗବତଙ୍କ ସଙ୍ଗେ ତାଙ୍କୁ ଏକୁଟିଆ ଭେଟିବା ଲାଗି କୌଣସି ପୂର୍ବ ନିର୍ଦ୍ଧାରଣ ନାହିଁ ବୋଲି କହି ସୁରକ୍ଷା କର୍ମୀ ତାଙ୍କୁ ଫେରାଇ ଦେଇଥିବା ଜଣାପଡ଼ିଛି।

ଏପରି ମୁହୁର୍ତ୍ତରେ ଖୁବଶୀଘ୍ର ଓଡ଼ିଶା ବିଜେପି ରାଜନୀତିରେ ଏକ ବ୍ୟାପକ ପରିବର୍ତ୍ତନ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଆଗମନ ସମୟରେ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ କିଛି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ ବୋଲି ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

one + 12 =