ଜୁଏଲଙ୍କ ମତକୁ କାହିଁକି ଖଣ୍ଡନ କଲେ ଧର୍ମେନ୍ଦ୍ର?

ଭୁବନେଶ୍ବର () ନିର୍ବାଚନ ମାହୋଲ ଯେତିକି ସରଗରମ ହେଉଛି, ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ସେତିକି ଦ୍ବନ୍ଦ୍ବ ବଢୁଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଗୁଡବୁକରେ ଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗୀ ବିଜେପିରେ ଯୋଗ ଦେବା ପରେ ସେ ଓଡିଶାରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଛି । ଏଭଳିସ୍ଥିତିରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ପରସ୍ପର ବିରୋଧାତ୍ମକ ହୋଇଛି ।

ଅପରାଜିତା ବିଜେପିରେ ଯୋଗ ଦେବା ଦିନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଯେ, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି 2019ରେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଜୁଏଲ ଓ ଧର୍ମେନ୍ଦ୍ର କେନ୍ଦ୍ରରେ ରାଜ୍ୟ ବିଜେପିର ଦୁଇ ଶକ୍ତିଶାଳୀ ନେତା । ରାଜ୍ୟରେ ବିଜେପି ମିଶନ 120 ପ୍ଲସ ନେଇ 2019 ମୈଦାନକୁ ଓହ୍ଲାଉଥିବା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଶାୟୀ ହେବା ସ୍ବାଭାବିକ । ଦଳରେ ସେମାନଙ୍କ ମଧ୍ୟରେ ଏଥିପାଇଁ ସୁପ୍ତ ପ୍ରତିଯୋଗିତା ଚାଲୁଥିବା ସମସ୍ତେ ଜାଣନ୍ତି । ତଥାପି ଜୁଏଲ କାହିଁକି ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ରାଜନୈତିକ ସମୀକ୍ଷକଙ୍କ ମତରେ ଏହି ଦୁଇ ବରିଷ୍ଠ ନେତା ଅପରାଜିତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ଭୟଭିତ ହୋଇପଡିଛନ୍ତି ।

କିନ୍ତୁ ଜୁଏଲଙ୍କ ଏହି ଘୋଷଣାରେ ବୋଧହୁଏ କେନ୍ଦ୍ର ନେତୃତ୍ବ ଖୁସୀ ନୁହଁନ୍ତି । ସେଥିପାଇଁ ଆଜି ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବେ କହିଲେ ଯେ, ରାଜ୍ୟ ବିଜେପିର କେହି ମୁଖ୍ୟମନ୍ତ୍ରୀ ପାର୍ଥୀ ନାହାଁନ୍ତି । ରାଜ୍ୟରେ ବିଜେପି ସବୁଠାରୁ ଶକ୍ତିଶାଳୀ ଦଳ ହେବା ପରେ ହିଁ କେନ୍ଦ୍ରୀୟ ନେତୃତ୍ବ ସ୍ଥିର କରିବେ କିଏ ହେବେ ମୁଖ୍ୟମନ୍ତ୍ରୀ  ।

ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀଙ୍କ ଏହି ସ୍ପଷ୍ଟିକରଣ ସଙ୍କେତ ଦେଉଛି ଯେ, ରାଜ୍ୟ ବିଜେପିରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ମଧ୍ୟରେ ଲଢେଇ ଆଗକୁ ଆହୁରି ଘନିଭୁତ ହେବ ।

Share

Leave a Reply

Your email address will not be published. Required fields are marked *

17 − 17 =