ଓମପ୍ରକାଶଙ୍କ ଫେରାର ପଛରେ କାହାର ହାତ : ବିଜେଡି

ପୋଲିସ ଜାରି କଲା ଲୁକ ଆଉଟ ନୋଟିସ

ଭୁବନେଶ୍ବର () ପୁରୀ ଜିଲ୍ଲା ସତ୍ୟବାଦି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ନାଁରୋ ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି । ସେ ଗତ 23 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏକ ବୁଥରେ ଇଭିଏମ ଭାଙ୍ଗିବା ସହ ପୋଲିଂ ଅଧିକାରୀଙ୍କୁ ଧମକ ଦେଇଥିଲେ । ଓମପ୍ରକାଶଙ୍କ ଏଭଳି ଆଚରଣକୁ ତୀବ୍ର ନିନ୍ଦା କରିଛି ବିଜେଡି  । ଏଥିସହିତ ତାଙ୍କୁ କିଏ ଫେରାର କରିଛି ବୋଲି ପ୍ରଶ୍ନ ଉଠାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି ଯେ, ଏହି ଘଟଣା ପରେ ଓମ ପ୍ରକାଶ ଫେରାର ଥିବା ବେଳେ ଏକ ଜାତୀୟ ଦଳର ପ୍ରାର୍ଥୀଙ୍କ ଏଭଳି କାର୍ଯ୍ୟରେ ରାଜ୍ୟ ବିଜେପି ମଧ୍ୟ ମୁହଁ ଖୋଲନି । ଏପିରିକି ସେ କାହିଁକି ଆଇନକୁ ସମ୍ମାନ ଦେଉନାହାଁନ୍ତି ସେ ସଂପର୍କରେ ମଧ୍ୟ ଜବାବ ରଖୁନି । ଏଭଳି କ୍ଷେତ୍ରରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଉତ୍ତରାଖଣ୍ଡର ଏକ ଗେଷ୍ଟ ହାଉସରେ ଲୁଚାଇ ରଖିଥିବା ସେହି ନେତା ଜଣକ କଣ ଓମ ପ୍ରକାଶଙ୍କୁ ଓଡିଶା ବାହାରକୁ ଚାଲିଯିବାରେ ସହଯୋଗ କରିଛନ୍ତି କି ବିଜେଡି ପ୍ରଶ୍ନ କରିଛି ।

ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନରୁ ବିଜେପି ହାରିବାର ସ୍ପଷ୍ଟ ସଂକେତ ପାଇ ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରିଛି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ସୋରଡାରେ ବିଜେପି ପ୍ରାର୍ଥୀ ନିଳମଣୀ ବିଶୋୟୀ ଇଭିଏମ ଭାଙ୍ଗିଥିଲେ । ତାଙ୍କ ବିରୋଧରେ 28ଟି ସଙ୍ଗୀନ ମାମାଲା ରହିଛି । 3ଟି ହତ୍ୟା ଓ 3ଟି ହତ୍ୟା ଉଦ୍ୟମ ଭଳି ମାମାଲା ବି ରହିଛି । ଏହିଭଳି ନେତାଙ୍କୁ ପ୍ରାର୍ଥୀ କରି ବିଜେପି ରାଜ୍ୟରେ ରାଜନୈତିକ ହିଂସାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।

ଓଡିଶାରେ ଏକ ଶାନ୍ତିପୂର୍ଣ୍ଣ ରାଜନୈତିକ ବାତାବରଣ ରହୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶ ଭଳି ରାଜନତିକ ହିଂସାର ବାତାବରଣ ସୃଷ୍ଟି କରିଛନ୍ତି । ସେ ରାଜ୍ୟସଭାକୁ ଏହିସବୁ ରାଜ୍ୟରୁ ପ୍ରତିନିଧିତ୍ବ କରୁଥିବାରୁ ସେଠାକାର ରାଜନୈତିକ କଳାକୁ ଓଡିଶାରେ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ ବିଜେଡି ଦ୍ବାରା ପ୍ରତିଷ୍ଠିତ ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣକୁ ଭଙ୍ଗ କରିଥିବା ବିଜେପିକୁ ଏଥିପାଇଁ ଓଡିଶାବାସୀ କେବେ ବି କ୍ଷମାଦେବେନି । ଚଳିତ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ବିଜେଡି କହିଛି ।

Share

Leave a Reply

Your email address will not be published. Required fields are marked *

3 × 5 =