ଶ୍ରେୟ ପାଇଁ ଆମେ, ଖରାପ ହେଲେ ବବି

ଭୁବନେଶ୍ୱର () ବିଜେଡିର ଶକ୍ତି ବୃଦ୍ଧି ପାଇଁ ଲାଗି ପଡିଥିବା ଯୁବନେତାମାନେ ଏବେ ସଫଳତାର ଶ୍ରେୟ ନେବାପାଇଁ ନିଜ ନିଜ ଭିତରେ ଠେଲାପେଲା ହେଉଥିବାବେଳେ କୌଣସି ଠାରେ ଯଦି ପାନରୁ ଚୂନ ଖସିଲା ତେବେ ସବୁ ଦୋଷ ବିଧାୟକଙ୍କ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ମୁଣ୍ଡରେ ଲଦି ଦେଉଛନ୍ତି ।

ଯୁବନେତାଙ୍କ ଏଭଳି କାରବାର ଏବେ ବିଜେଡିରେ ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀମଣ୍ଡଳରୁ ବିଦା ହେବାପରେ ଯୁବ ନେତାଙ୍କ କାନ୍ଧରେ ଦଳର ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବନେତାମାନେ ବି ଲାଗିପଡିଥିବାବେଳେ ଦଳକୁ ଏହାର ବେଶ୍‍ ସୁଫଳ ବି ମିଳୁଛି । ଫଳ ସ୍ୱରୂପ ବିଜେପି କବ୍‍ଜାରେ ଥିବା ମୟୁରଭଞ୍ଜ ଜିଲ୍ଲା ପରିଷଦରେ ଜିଣିଥିଲା ବିଜେଡି । କେବଳ ଏହି ଗୋଟିଏ ନୁହେଁ ଅଧିକାଂଶ ସ୍ଥାନରେ କଂଗ୍ରେସ ଓ ବିଜେପିର ପଞ୍ଚାୟତ ଓ ଜିଲ୍ଲା ପରିଷଦସ୍ତରୀୟ ନେତାମାନେ ଆସି ବିଜେଡିରେ ଯୋଗ ଦେଇଥିଲେ । ଅଧିକାଂଶ ବିଧାନସଭା କ୍ଷେତ୍ରରେ ବିରୋଧିଙ୍କୁ ଏକ ପ୍ରକାର ଯୁବନେତାମାନେ ସଫାକରି ଦେଇଛନ୍ତି । ତେବେ ଯେତେବେଳେ ବିଜେଡିକୁ ସଫଳତାର ସୁଅ ଛୁଟୁଛି ଓ ନେତାଙ୍କ ପରିଶ୍ରମ କାମ ଦେଉଛି ସେତେବେଳେ ଏହାର ଶ୍ରେୟ ନେବାପାଇଁ ଚାଲୁଛି ପ୍ରତିଯୋଗିତା । ସମସ୍ତେ ନିଜ ନିଜ ସ୍ତରରେ ଲାଗିପଡିଥିବାର ଖବର ବିଭିନ୍ନ ବାଟଦେଇ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଉଛନ୍ତି । ମିଶ୍ରଣ ପର୍ବବେଳେ ଯାଇ କ୍ୟାମେରା ଫ୍ରେମ୍‍ରେ ରହିବାକୁ ଠେଲାପେଲା ହେଉଛନ୍ତି । ସେମାନେ ନଥିଲେ ଏହା ସମ୍ଭବ ହୋଇନଥାନ୍ତା ବୋଲି ବାର୍ତ୍ତା ଦେଉଛନ୍ତି । ହେଲେ ଯେତେବେଳେ କୌଣସି ଠାରେ କିଛି କେଁ ଉପୁଜୁଛି ସେତେବେଳେ ବବିଙ୍କ ମୁଣ୍ଡରେ ଅଠା ବୋଳାଯାଉଛି ।

ଉଲ୍ଲେଖନୀୟ ଯେ ବିଜେଡିରେ ପ୍ରତିଦିନ ବିଜେପି ଓ କଂଗ୍ରେସର ଅନେକ ନେତା ମିଶୁଥିବାବେଳେ କିଛି ବିଜେଡି ନେତା ବି ଦଳ ଛାଡୁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ବିଜେପି ଶିବିରରେ ଦଳ ବଳ ସହିତ ଯୋଗ ଦେଉଛନ୍ତି । ଯେତେବେଳେ ଏ ନେଇ କୈଫତ ମଗାଯାଉଛି ସେତେବେଳେ ଆଉ ଏହି ଯୁବନେତାମାନେ ଧରାଛୁଆଁ ଦେଉନାହାନ୍ତି । ସମସ୍ତେ ମିଳିମିଶି ବବିଙ୍କ ମୁଣ୍ଡରେ ଦୋଷ ଲଦି ଖସୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବିଫଳତା ପାଇଁ ବବିଙ୍କ ନାଁରେ ଚୁଗୁଲି କରିବା ଲାଗି କୁହାଳିଆମାନେ ବି ନିଯୁକ୍ତ ହୋଇଛନ୍ତି ।

ଏହାର ଏକମାତ୍ର କାରଣ ହେଲା ମନ୍ତ୍ରୀମଣ୍ଡଳରୁ ବିଦା ହେବାପରେ ଅନ୍ୟ ଯୁବନେତାମାନଙ୍କ ତୁଳନାରେ ବବି ସାରା ରାଜ୍ୟ ବୁଲି ବୁଲି ଦଳୀୟ ସଂଗଠନକୁ ମଝବୁତ କରିବାରେ ଲାଗିଛନ୍ତି । ଦଳରୁ ବିଦା ହୋଇଥିବା କିଛି ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ କରିବା ଏବଂ ଅନ୍ୟ ଦଳର ନେତାଙ୍କୁ ଯେକୌଣସି ଉପାରେ ବିଜେଡିକୁ ଆଣି ଦଳକୁ ଶକ୍ତିଶାଳୀ କରୁଛନ୍ତି । ଯଦିଓ ଅନ୍ୟ ଯୁବନେତାମାନଙ୍କ ଭୂମିକା ଏଥିରେ କିଛିଟା ରହୁଛି କିନ୍ତୁ ମୁଖ୍ୟ ଦାୟିତ୍ୱ ତୁଲାଉଛନ୍ତି ବବି ।

ବବିଙ୍କ ଉପରେ ଅନେକ ଭରସା କରି ବିଜେଡିରେ ମିଶୁଥିବା ଲକ୍ଷ୍ୟ କରାଯାଉଛି । ଅବସ୍ଥା ଏଭଳି ହୋଇଛି ଯେ ଗତ କିଛିଦିନ ଧରି ବବି ନିଜ ନିର୍ବାଚନମଣ୍ଡଳୀ ପ୍ରତି ଯେଭଳି ଦୃଷ୍ଟିଦେବା କଥା ତାହା ଦେଇପାରୁ ନାହାନ୍ତି । ହେଲେ ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ରହି ସଫଳତାର ଫଳ ଖାଇବାକୁ ନବୀନ ନିବାସ ଦଉଡୁଥିବାବେଳେ ବିଫଳତା ଦେଖିଲା ମାତ୍ରେ ବବିଙ୍କ ମୁଣ୍ଡରେ କିଭଳି ଦୋଷ ଲଦାହେବ ସେଥିପାଇଁ ଲାଗି ପଡିଛନ୍ତି । ଏହା ଏବେ ବିଜେଡିରେ ଚର୍ଚ୍ଚାର ବିଷୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

nineteen + 12 =