ଶ୍ରୀକାନ୍ତଙ୍କ ଉପରେ ହେବ ଦଳୀୟ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ବର () ପ୍ରଦେଶ କଂଗ୍ରେସ ବିରୋଧରେ ଚକ୍ରାନ୍ତ ଭାରି ପଡିଲା ଶ୍ରୀକାନ୍ତ ଜେନାଙ୍କୁ । ଦଳର ଇସ୍ତାହାର କମିଟିରୁ ତାଙ୍କୁ ହଟେଇ ଦେଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଅନୁମୋଦନ ପରେ ନୂଆ ଇସ୍ତାହାର କମିଟିର ତାଲିକା ପ୍ରକାଶ ପାଇଛି । ଶ୍ରୀକାନ୍ତଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଚର୍ଚ୍ଚା ହେଉଛି ଖୁବଶୀଘ୍ର ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ତାଙ୍କୁ ଦଳରୁ ବହିଷ୍କୃର କରିବା ପାଇଁ ଏକ ଗୋଷ୍ଠି ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି । ଆଜି କେବଳ ପକ୍ଷ ଛେଦନ ହୋଇଛି ।

ଆଜି କଂଗ୍ରେସର ବିଦ୍ରୋହୀ ନେତା କୃଷ୍ଣ ସଗରିଆଙ୍କ ନେତୃତ୍ବରେ ଆୟୋଜିତ ସମାଜିକ ନ୍ୟାୟ ଅଭିଯାନରେ ଯୋଗ ଦେଇଥିଲେ ଶ୍ରୀକାନ୍ତ । ଏହି କାର୍ଯ୍ୟକ୍ରମର ସିଡି ଏଆଇସିସି ସଭାପତିଙ୍କ ନିକଟକୁ ପଠାଯିବ । ଏହି ଅଭିଯାନକୁ କଂଗ୍ରେସ ବ୍ୟାନରରେ ଆୟୋଜନ କରିବାକୁ କୃଷ୍ଣଙ୍କୁ ପିସିସି ସଭାପତି ପରାମର୍ଶ ଦେଇଥିବା ସୂଚନା ମିଳିଛି । କିନ୍ତୁ କୃଷ୍ଣ କଂଗ୍ରେସ ବ୍ୟାନରରେ ଏହି କାର୍ଯ୍ୟକ୍ରମର ଆୟୋଜନକୁ ମନା କରିଦେଇଥିଲେ । ଏହି ଅଭିଯାନ ଜରିଆରେ କୃଷ୍ଣ ଓ ଶ୍ରୀକାନ୍ତ ନିରଂଜନଙ୍କୁ ରାଜନୈତିକ ଚ୍ୟାଲେଂଜ ଦେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ଏହିଦୃଷ୍ଟିରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ବୋଲି କଂଗ୍ରେସ ମହଲରେ ଶୁଣାଯାଉଛି । ଆଜି କିଛି ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଯଦିଓ ଶ୍ରୀକାନ୍ତଙ୍କ ସଂପର୍କରେ ନିରଂଜନ କିଛି କହିନଥିଲେ, କିନ୍ତୁ ପରୋକ୍ଷରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ଦଳରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ନିରଂଜନଙ୍କ ନେତୃତ୍ବରେ ନୂଆ ପିସିସି ଟିମ ଗଠନ ହେବା ପରେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିର ମୁଖ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଶ୍ରୀକାନ୍ତ ନିଜର ପୂରୁଣା ‘ଚକ୍ରାନ୍ତ’ ରାଜନୀତି ଛାଡିଲେନି । ଇସ୍ତାହାର କମିଟି ମୁଖ୍ୟ ହେବା ମାତ୍ରେ ସେ ପ୍ରଥମରୁ ହିଁ ନିରଂଜନଙ୍କ ଚେର କାଟିବା ଆରମ୍ଭ କଲେ । ପ୍ରଥମ ପଦକ୍ଷେପ ସ୍ବରୂପ ସେ ରାହୁଲ ଗାନ୍ଧୀ ଓ ଏଆଇସିସିକୁ ପ୍ରସ୍ତାବ ଦେଲେ ଯେ ରାଜ୍ୟରେ ଯେହେତୁ ଅନୁସୂଚିତ ଜାତି ଓ ଜନଜାତି ମୋଟ ଲୋକ ସଂଖ୍ୟାର 50 ପ୍ରତିଶତ ପାଖାପାଖି, ତେଣୁ ଆସନ୍ତା ନିର୍ବାନଚନରେ ରାଜ୍ୟରୁ କଂଗ୍ରେସ ଜଣେ ଅନୁସୂଚିତ ଜାତି କିମ୍ବା ଜନଜାତୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁ ।

ଶ୍ରୀକାନ୍ତ ଏଆଇସିସିକୁ ଏଭଳି ପ୍ରସ୍ତାବ ଦେବା ପୂର୍ବରୁ ସଭାପତିଙ୍କ ସହ ଆଲୋଚନା କରିନଥିଲେ । ବରଂ ଯୁକ୍ତି ବାଢିଥିଲେ ଯେ, ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଏ ସଂପର୍କରେ ନିରଂଜନଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ନାହିଁ । ପରବର୍ତ୍ତି ସମୟରେ ସେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ନେତୃତ୍ବ ବିରୋଧରେ ଉସକାଇ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦିଆକରାଇଲେ । ଏପରିକି ନିରଂଜନଙ୍କ ବିରୋଧରେ ଶ୍ରୀକାନ୍ତ ଆରମ୍ଭ କରିଥିବା ପରୋକ୍ଷ ଲଢେଇରେ କୃଷ୍ଣଙ୍କୁ ସେନାଧ୍ୟକ୍ଷ କରିଛନ୍ତି । କେବେଳ ସଗରିଆ କାହିଁକି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମଧ୍ୟ ଶ୍ରୀକାନ୍ତ ନିଜ କ୍ୟାମ୍ପରେ ରଖି ନକରାତ୍ମକ ପ୍ରଚାର ଆରମ୍ଭ କରିଥିଲେ । ଅବଶ୍ୟ ଏ ସଂପର୍କରେ ସଂକେତ ପାଇଁ ଗତକାଲି ଜୟଦେବ ଜେନା ପୁଣି ଥରେ ନିରଂଜନଙ୍କ କ୍ୟାମ୍ପ ଫେରିଆସିଛନ୍ତି ।

ନବଗଠିତ ଇସ୍ତାହାର କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ସୁଦର୍ଶନ ଦାସ, ଶ୍ୟାମ ସୁନ୍ଦର ହାଂସଦା, ଶ୍ରୀମତି ମ୍ୟାରୀ ସୁରିନ, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଲିଆକତ ଅଲ୍ଲି ଓ ସତ୍ୟପ୍ରକାଶ ନାୟକ ସଦସ୍ୟ ଅଛନ୍ତି । ବିସ୍ମୟ ମହାପାତ୍ର ଏହି କମିଟିର ଆବାହକ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − eleven =