ବାପାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ରକ୍ତଦାନ କଲେ ପୁଅ

ଭୁବନେଶ୍ବର () ଓଡିଶା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଲାଣି । ବାପାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଅଣ୍ଟା ଭିଡୁଛନ୍ତି ପୁଅ । ଏମିତି ତ ଓଡିଶାରେ ପାରିବାରିକ ରାଜନୀତି ଯଦିଓ କିଛି ନୂଆ ନୁହେଁ, କିନ୍ତୁ ବାପାଙ୍କ ଅସଜଡା ରାଜନୈତିକ ଭବିଷ୍ୟତକୁ ସଜାଡିବାକୁ ପୁଅମାନେ ମୈଦାନକୁ ଓହ୍ଲାଇବାର ନଜିର ଖୁବ କ୍ବଚିତ ଦେଖିବାକୁ ମିଳେ ।

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀରେ । ବଡଚଣା ନିର୍ବାଚନମଣ୍ଡଳୀରେ ବିଧାୟକ ଅମର ଶତପଥୀଙ୍କ ସ୍ଥିତି ପୂରା ଟାଇଟ୍  । ନିଜ ଦଳରେ ତାଙ୍କୁ ଦଳୀୟ ନେତା ଓ କର୍ମୀ ବିଶ୍ବାସକୁ ନେଉନଥିବା ବେଳେ ବିରୋଧୀ ଶିବିର ବି ଶକ୍ତିଶାଳୀ ହେଉଛି । ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଅମର ଏହି ଆସନରୁ 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଲେଣି ।

କିନ୍ତୁ ବିଭିନ୍ନ ରାଜନୈତିକ ଓ ବ୍ୟକ୍ତିଗତ କାରଣରୁ ଧିରେ ଧିରେ ତାଙ୍କୁ ଆଉ ବଡଚଣା ବିଜେଡି କର୍ମୀ ଗ୍ରହଣ କରିବା ସ୍ଥିତିରେ ନଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ସେ ବଡଚଣା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନିଜ ପୁଅ ଅଦିତ୍ୟଙ୍କୁ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି । ଚଣ୍ଡିଖୋଲରେ ଆୟୋଜିତ ଜୀବନ ବନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦିତ୍ୟ ମଧ୍ୟ ରକ୍ତଦାନ କରିଛନ୍ତି । ପିତାପୁତ୍ର ଉଭୟ ରକ୍ତଦାନ ମହତ ଦାନର ବାର୍ତ୍ତା ଦେଇଛନ୍ତି ।

ଓକିଲାତି ପେଶାରେ ଥିବା ଆଦିତ୍ୟ ଏବେ ରାଜନୀତି ଆଡକୁ ଢଳିଥିବା ଚର୍ଚ୍ଚା ହେଉଛି । ଯେହେତୁ ବାପା ଅମରଙ୍କ ପ୍ରତି ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ବଢୁଛି ଏବଂ ସେ 2019ରେ ପୁଣି ଥରେ ବିଜେଡି ଟିକେଟ ପାଇବା ନେଇ ସନ୍ଦେହ ରହିଛନ୍ତି, ପୁଅ ଧିରେ ଧିରେ ବିଜେଡି ସଂଗଠନକୁ ବାପାଙ୍କ ହାତରୁ ଉତ୍ତରାଧିକାରୀ ସୂତ୍ରରେ ନେବାକୁ ଚେଷ୍ଟା କରୁଛନ୍ତି । ଏଦିଗରେ ଅମର ମଧ୍ୟ ପୁଅଙ୍କୁ ନିର୍ବାଚନମଣ୍ଡଳୀ ବୁଲେଇବା ଆରମ୍ଭ କରିସାରିଲେଣି ।

Share

Leave a Reply

Your email address will not be published. Required fields are marked *

12 − 6 =