ପେଟ୍ରୋଲ ଦର ହ୍ରାସ ଏକ ପ୍ରହସନ : ବିଜେଡି

ଭୁବନେଶ୍ୱର (): ଗତ ୪ଦିନ ମଧ୍ୟରେ ଡିଜେଲ୍‍ ଲିଟର ପ୍ରତି ୧ ଟଙ୍କା ଏବଂ ପେଟ୍ରୋଲ ଲିଟର ପ୍ରତି ୫୦ ପଇସା ବୃଦ୍ଧି ଘଟିଛି । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‍ରେ ଯେଉଁ ୧.୫୦ ଟଙ୍କା ହ୍ରାସ କରିଛନ୍ତି ବୋଲି ବାହାସ୍ପୋଟ ମାରୁଥିଲେ, ଆଜି ତାହା ଫସର ଫାଟିଯାଇଛି । ୫ ଅକ୍ଟୋବର ୨୦୧୮ରେ ଭୁବନେଶ୍ୱରରେ ଡିଜେଲ୍‍ ଲିଟର ପିଛା ୭୮ ଟଙ୍କା ୨୮ ପଇସା ଥିଲାବେଳେ ୮ ଅକ୍ଟୋବର ୨୦୧୮ରେ ପାଖାପାଖି ୧ଟଙ୍କା ବୃଦ୍ଧି ପାଇ ୭୯ ଟଙ୍କା ୨୨ ପଇସାରେ ପହଞ୍ଛିଛି । ସେହିଭଳି ୫ ଅକ୍ଟୋବର ୨୦୧୮ରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୦.୩୩ ଟଙ୍କା ଥିଲା ବେଳେ ୪ଦିନ ମଧ୍ୟରେ ୫୩ ପଇସା ବୃଦ୍ଧି ଘଟି ଆଜି ୮୦.୮୬ ଟଙ୍କାରେ ପହଞ୍ଛିଛି । ଦିଲ୍ଳୀରେ ଡିଜେଲ୍‍ ଲିଟର ପିଛା ଏହି ୪ଦିନ ମଧ୍ୟରେ ୮୭ ପଇସା ବୃଦ୍ଧି ପାଇଥିଲା ବେଳେ କୋଲକାତାରେ ୮୦ ପଇସା ଏବଂ ଚେନ୍ନାଇରେ ୯୩ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ଏହି ୪ଦିନ ମଧ୍ୟରେ ୫୩ ପଇସା ବୃଦ୍ଧି ପାଇଥିଲା ବେଳେ କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ପାଖାପାଖି ୪୦ ପଇସା ବୃଦ୍ଧି ପାଇଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।
ଯଦି ଏହିପରି କ୍ରମାଗତ ଭାବେ ଦରବୃଦ୍ଧି ଘଟି ଚାଲେ, ତେବେ ତୈଳ ଦର ହ୍ରାସ ନିଶ୍ଚିତ ରୂପେ ମୂଲ୍ୟହୀନ ହୋଇଯିବ । କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିଥିବା ଯୋଗୁ ବିଜେପି ଯେଉଁ ଢୋଲ ପିଟୁଥିଲା ପେଟ୍ରୋଲ ଓ ଡିଜେଲ୍‍ର ଏହି କ୍ରମାଗତ ଦର ବୃଦ୍ଧି, ସେହି ଢୋଲକୁ ଫଟାଇ ଦେଇଛି । ଏହି ୪ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍‍ର କ୍ରମାଗତ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କ ତୈଳ ଦର ହ୍ରାସ ଜନସାଧାରଣଙ୍କ ପ୍ରତି ଏକ ପରିହାସରେ ପରିଣତ ହେବା ସହ ବିଜେପିର ଲୋକଙ୍କ ପ୍ରତି ଛଳନା ଥିବା ସ୍ପଷ୍ଟ ଜଣାପଡିଛି ।
କେନ୍ଦ୍ର ସରକାର ଯେଉଁ ପ୍ରକାର ପ୍ରହେଳିକା ଚତୁର୍ଦ୍ଦଶ କମିଶନ ମାଧ୍ୟମରେ ଓଡ଼ିଶା ସହିତ ଖେଳିଥିଲେ, ତାହାକୁ ମଧ୍ୟ ଏଠାରେ ମନେ ପକେଇଦେବାର ଆବଶ୍ୟକତା ରହିଛି । ଏହି କମିଶନ ମାଧ୍ୟମରେ ରାଜ୍ୟମାନଙ୍କ ପାଇଁ ୪୨% ବୃଦ୍ଧି କରାଯାଇଥିବା କେନ୍ଦ୍ର ସରକାର କହିଥିବା ବେଳେ ୮ଟି ଯୋଜନାକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲେ ଏବଂ ୩୩ଟି ଯୋଜନାରୁ ଅର୍ଥ କାଟ୍‍ କରି ରାଜ୍ୟ ଉପରେ ଆର୍ଥିକ ବୋଝ ଲଦି ଦେଇଥିଲେ । ଏଥିପାଇଁ ଓଡ଼ିଶାର ଜନସାଧାରଣ ବିଜେପିକୁ କଦାପି କ୍ଷମା ଦେବେ ନାହିଁ ଏବଂ ଏଭଳି ଛଳନାର ଉଚିତ୍‍ ଜବାବ ୨୦୧୯ରେ ଦେବେ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

four × 5 =