ମିଷ୍ଟର ଅନପ୍ରେଡିକଟେବୁଲଙ୍କ ଆକଳନ

ଭୁବନେଶ୍ୱର () ଏବିପି ନ୍ୟୁଜର ସି-ଭୋଟର ସର୍ଭେକୁ ନେଇ ବିଜେଡି ଓ କଂଗ୍ରେସ ଠାରୁ ରାଜ୍ୟ ବିଜେପି ନେତାମାନେ ଅଧିକ ଚକିତ ହୋଇଥିଲେ । ଏହାର କାରଣ ମଧ୍ୟ ଯୁକ୍ତିଯୁକ୍ତ ଥିଲା । ଗତ ଦୁଇ ଦଶନ୍ଧି ଧରି କ୍ରମାଗତ ଭାବେ ବିଜେଡି ରାଜ୍ୟ ରାଜନୀତିରେ ବିରୋଧୀଙ୍କୁ ସାମାନ୍ୟତମ ସୁଯୋଗ ଦେଉନଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି 13ଟି ଲୋକସଭା ଆସନ ଦାଖଲ କରିବ ବୋଲି ଆସିଥିବା ସର୍ଭେ ରିପୋର୍ଟକୁ ନେଇ ଦଳର ରାଜ୍ୟ ନେତାମାନେ ବି ଆନ୍ତରିକତାର ସହ ଉତ୍ସାହିତ ନୁହନ୍ତି ।

ତେବେ ଏହି ରିପୋର୍ଟ କାର୍ଡ ଆଧାରରେ ବିଜେପି ରାଜ୍ୟରେ ନିଜ ରଣନୀତି ବଦଳାଇବା ସହ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛନ୍ତି । ରାତାରାତି ଦଳର ରଣନୀତି ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଭାଷାରେ ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଧାର୍ମିକ ପୀଠ ବାରଣାସୀରୁ ନିର୍ବାଚନ ଲଢ଼ିଥିଲେ । ବାରଣାସୀ ପରି ପୁରୀ ବି ଦେଶର ଅନ୍ୟତମ ଧାର୍ମିକ ପୀଠ । ତେଣୁ ମୋଦି ପୁରୀରୁ ନିର୍ବାଚନ ଲଢ଼ିଲେ ଦଳର ନେତା ଓ କର୍ମୀ ଅଧିକ ଉତ୍ସାହିତ ହେବେ ବୋଲି ସେ ଆଶା ରଖିଛନ୍ତି । ତେବେ ମୋଦି ପୁରୀରୁ ନିର୍ବାଚନ ଲଢ଼ିବେକି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି । ରାଜ୍ୟ ବିଜେପି ନେତାମାନେ ବି ଏହାର ସୁରାକ ପାଇନାହାଁନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ଏବିପି ସର୍ଭେ ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତ 4 ତାରିଖରେ ବିଜେପି ରାଜ୍ୟ ସଭାପତି 147 ବିଧାନସଭା ଓ 21 ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଚୂଡାନ୍ତ ହେବା କଥା କହିଲେ । ଯଦି ଦଳ ମୋଦିଙ୍କୁ ପୁରୀରୁ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲା, ତେବେ ସେକଥା ମଧ୍ୟ ସେଦିନ ସେ କହିପରିଥାନ୍ତେ । କିନ୍ତୁ ସେଦିନ ନକହି ରିପୋର୍ଟ ପ୍ରକାଶ ପାଇବ ପରେ କହିବାର ଅର୍ଥ ହେଉଛି ବିଜେପି ଗଣମାଧ୍ୟମରେ ମୋଦି ହାୱା ସୃଷ୍ଟି କରିବାକୁ ଚାହୁଁଛି ।

ତେବେ ଏକଥା କହିବାର ଆବଶ୍ୟକତା ନାହିଁ ଯେ ଓଡ଼ିଶାରେ ଭୋଟରଙ୍କ ମୁଡ ଏବେବି ଅପରିବର୍ତ୍ତିତ ରହିଛି । ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ପ୍ରତି ଏବେବି ଓଡ଼ିଶାର ଭୋଟର ଆସ୍ଥା ରଖିଛନ୍ତି । ଆଉ ଏହା ବାରମ୍ବାର ପ୍ରମାଣିତ ହୋଇଛି ।

2014ରେ ମଧ୍ୟ ଦେଶରେ ପ୍ରବଳ ମୋଦି ହାୱା ସତ୍ୱେ ରାଜ୍ୟରେ ବିଜେଡି 117 ବିଧାନସଭା ଓ 20 ଲୋକସଭା ଆସନ ପୋଛିନେଲା । ବିଜେପି ମାତ୍ର ଗୋଟିଏ ଲୋକସଭା ଓ 10ଟି ବିଧାନସଭା ଆସନ ପାଇଲା । ଏସମୟରେ ମଧ୍ୟ ସବୁ ପ୍ରାକ-ନିର୍ବାଚନୀ ସର୍ଭେ ପୂର୍ବାନୁମାନ କରିଥିଲେ ଯେ, ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ବଢୁଛି । 2009ରେ ସେହିପରି କନ୍ଧମାଳ ଦଙ୍ଗାର ପୃଷ୍ଠଭୂମିରେ ବିଜେପି ସହ ରାଜନୈତିକ ବୁଝାମଣା ବିଛିନ୍ନ ହୋଇଥିବାରୁ ବିଜେଡି ହାରିବ ବୋଲି ସର୍ଭେ ରିପୋର୍ଟରେ ଆକଳନ ହୋଇଥିଲା । କିନ୍ତୁ ସେତେବେଳେବି ନବୀନ କରିସ୍ମା ସବୁ ଗଣିତକୁ ଭୁଲ ପ୍ରମାଣିତ କରିଥିଲା । ବିଜେଡି 103 ଆସନ ପାଇଥିଲା ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ, 2019ରେ ବିଜେପି ପାଇଁ ଓଡିଶା ଏକ ଗୁତ୍ବପୂର୍ଣ ପ୍ରୟୋଗଶାଳା । ଉତ୍ତରପ୍ରଦେଶ କି ମଧ୍ୟପ୍ରଦେଶରୁ ଦଳ କିଛି ଆସନ ହରେଇଲେ ତାହାକୁ ଓଡିଶାରୁ ଭରଣା କରିବାକୁ ଆଶା ରଖିଛି । କିନ୍ତୁ ଏହା ଏତେ ସହଜ ନୁହେଁ । କେବଳ ନବୀନଙ୍କ ଦୃଢ ନେତୃତ୍ୱ ପାଇଁ ବିଜେଡି ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଉପରେ ଏକପାଖିଆ ଆଧିପତ୍ୟ ରଖିଛି । ଏହି ଆଧିପତ୍ୟକୁ ଅନ୍ୟ କୌଣସି ଦଳ ଚ୍ୟାଲେଞ୍ଜ କରିବା ଏତେ ସରଳ ନୁହେଁ ।

Share

Leave a Reply

Your email address will not be published. Required fields are marked *

16 − 12 =