ମାନବିକତାର ପରିଚୟ ଦେଲେ ପ୍ରଭାତ ବିଶ୍ବାଳ

କଟକ (): ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦେଖିଲେ କ୍ୱଚିତ୍ ସହାୟତାର ହାତ ବଢାଇଥାନ୍ତି ଲୋକେ । ବଡବଡିଆ ହେଲେ ପୁଣି ରାସ୍ତାକାଟି ପଳାନ୍ତି । କାରଣ ସେମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ସହାୟତା କରିବାକୁ ଯାଇ ଅଯଥା ନିଜ ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ହେଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ଏହିଭଳି ରାସ୍ତା କାଟି ଚାଲିଯାଉଥିବା ଲୋକଙ୍କ ପାଇଁ ନୂଆ ନଜିର ସୃଷ୍ଟି କରିଛନ୍ତି ।

ୱାର୍ଡ କମିଟି ବୈଠକ ସାରି ଫେରୁଥିବାବେଳେ ପ୍ରଭାତ ରାସ୍ତାରେ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ପଡିଥିବା ଦେଖିଥିଲେ । ପ୍ରଭାତଙ୍କ ପୂର୍ବରୁ ସେହି ରାସ୍ତାରେ ଆହୁରି ଅନେକ ଲୋକ ଯା’ଆସ କରିଛନ୍ତି । କେହି କିନ୍ତୁ ଆହତଙ୍କ ଅବସ୍ଥା ବୁୁଝିବାକୁ କି ସହାୟତାର ହାତ ବଢାଇବାକୁ ଅଟକି ନାହାଁନ୍ତି । ପ୍ରଭାତ କିନ୍ତୁ ଆଗପଛ କିଛି ବିଚାର ନ କରି ଦୁର୍ଘଟଣା ହୋଇଥିବା ଦେଖି ଗାଡି ଅଟକାଇ ଓହ୍ଲାଇ ପଡିଲେ ।

ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ବିଚ୍ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ପ୍ରଭାତ ତାଙ୍କ ସହିତ ଥିବା ସମର୍ଥକ ଓ କିଛି ଦେଖଣାହାରୀଙ୍କ ସହଯୋଗରେ ଆହତ ଦୁଇ ବ୍ୟକ୍ତିଙ୍କୁ ରାସ୍ତାରୁ ଉଠାଇ ନିଜ ଗାଡ଼ିରେ ସିଧାସଳଖ କଟକ ବଡମେଡିକାଲକୁ ନେଇଗଲେ । ସେଠାରେ ଦୁଇ ଜଣଙ୍କ ପ୍ରାଥମିକ ଚିକିତ୍ସା ସହ ଅଧିକ ଚିକିତ୍ସା ପାଇଁ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବିଧାୟକ ଭାବେ ନିଜ ଗାଡ଼ିରେ ଆହତଙ୍କୁ ଏହିଭଳି ଭାବେ ଡାକ୍ତରଖାନା ନେଇ ପ୍ରଭାତ ସହୃଦୟତା ଓ ମାନବିକତାର ପ୍ରମାଣ ଦେଇଛନ୍ତି । ତାଙ୍କର ଏହି କାର୍ଯ୍ୟ ଦେଖି ଲୋକେ କହୁଛନ୍ତି ବିଧାୟକ ହେବ ତ ଏମିତି ।

Share

Leave a Reply

Your email address will not be published. Required fields are marked *

19 − 13 =