ବିଶ୍ବାସନିୟତା ଓ ଉତ୍ସର୍ଗୀକୃତ ପରିଶ୍ରମର ଫଳ : ପ୍ରଣବଙ୍କୁ ମିଳିଲା ସାଧାରଣ ସମ୍ପାଦକ ପଦ

ସଂଜୟ ସାଧାରଣ ସମ୍ପାଦକ ବିଜେଡି ମୁଖ୍ୟାଳୟ, ପ୍ରତାପ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର () : ଗୁରୁପ୍ରିୟା ସେତୁ ଠାରୁ ଆରମ୍ଭ କରି ବିଜେପୁର ଉପ ନିର୍ବାଚନ ହେଉ କି ପାଟକୁରା, ଏପରିକି ପୁରୀ ଐତିହ୍ୟ ସହରର ରୂପାନ୍ତରଣ କାର୍ଯ୍ୟ । ଯେଉଁଠି ଦଳୀୟ କିମ୍ବା ପ୍ରଶାସନିକ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗର ଆବଶ୍ୟକତା ପଡିଥାଏ, ସେତେବେଳେ ସେ ଦାୟିତ୍ବ ତୁଲାଇଥାନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପଦପଦବୀ କିମ୍ବା କ୍ଷମତା ପାଇଁ ଲୋଭ ନାହିଁ । ଏପରିକି ନିଜ ନିର୍ବାଚନମଣ୍ଡଳୀରେ ତାଙ୍କ ବିଜୟ ବ୍ୟବଧାନ ତାଙ୍କ ପାଇଁ କିଛି ମାନେ ରଖେନି । ବରଂ ସେ ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳକୁ ଶକ୍ତିଶାଳୀ କରି ବିଧାନସଭାରେ ଦଳର ସଂଖ୍ୟା ବୃଦ୍ଧିରେ ବିଶ୍ବାସ କରନ୍ତି । ଯେଉଁଥିପାଇଁ ଆଜି ତାଙ୍କୁ ନବୀନ ଦଳର ସଂଗଠନ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇ ପରୁସ୍କୃତ କରିଛନ୍ତି ।

ଦଳପ୍ରତି ପ୍ରଣବଙ୍କ ଆନୁଗତ୍ୟ ଓ ନିଜର କାମ କରିବାର ଦକ୍ଷତା ଯୋଗୁଁ ବିଜେଡି ସୁପ୍ରିମୋ ଏହି ଯୁବ ବିଧାୟକଙ୍କୁ ସଂଗଠନର ମଙ୍ଗ ଧରାଇଛନ୍ତି l ଆଗକୁ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ଥିବା ବେଳେ ପ୍ରଣବଙ୍କ ହାତରେ ଦଳର ସଂଗଠନ ଦାୟିତ୍ବ ବିରୋଧୀଙ୍କୁ ଚିନ୍ତାରେ ପକାଇଦେଇଛି । ତାଙ୍କ ସହ ଆଗକୁ ବିଜେଡିର ସାଙ୍ଗଠନିକ ନିର୍ବାଚନ ଥିବାରୁ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବୀ ଯୁବ ନେତା ସଂଜୟ ଦାସବର୍ମାଙ୍କୁ ବିଜେଡି ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି ।

ନବୀନଙ୍କ ନିର୍ଦେଶରେ ବିଜେଡିକୁ ରାଜ୍ୟରେ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଣବ ଦିନରାତି ଏକ କରି ଦଳ ପାଇଁ କାମ କରନ୍ତି l ଦଳର ବରିଷ୍ଠ, ଯୁବ, ଛାତ୍ର, ମହିଳା ସଂଗଠନକୁ ସାଥିରେ ନେଇ ନବୀନଙ୍କ ଅର୍ଜୁନ ଭାବେ ସେ ସବୁବେଳେ କାମ କରିଆସିଛନ୍ତି l ଯେତେବେଳେ ବି ଯେଉଁଠି ସଂଗଠନ ମଜବୁତ କରିବା ପାଇଁ ଆବଶ୍ୟକ ପଡେ ସେତେବେଳେ ନବୀନ ତାଙ୍କୁ ପଠାଇଥାନ୍ତି l ପ୍ରଣବ ବି ନବୀନଙ୍କ ନିର୍ଦେଶ ଅନୁସାରେ କାମ କରନ୍ତି ଓ ସଂଗଠନ ସଜାଡି ଦିଅନ୍ତି l ଯେଉଁଥି ପାଇଁ ନବୀନଙ୍କ ସେ ବିଶ୍ବାସ ଜିତିଛନ୍ତି l ନିର୍ବାଚନ ସମୟ ହେଉ ଅବା ବିଧାନସଭାରେ ଯେତେବେଳେ ଦଳକୁ ବିପଦ ଆସେ ସେତେବେଳେ ପ୍ରଣବ ସୁପ୍ରିମୋଙ୍କ ଆଡକୁ ଆସୁଥିବା ସବୁ ଆକ୍ରମଣକୁ ପିଠି ଦେଖାଇ ସହିନିଅନ୍ତି ।

ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ଯେଉଁ ରଣନୀତି ପ୍ରସ୍ତୁତ କରନ୍ତି ତାହାକୁ ସଠିକ ଭାବେ କାର୍ଯ୍ୟକାରୀ କରିବାର ଦାୟିତ୍ବ ଥାଏ ପ୍ରଣବଙ୍କ ଉପରେ l କେତେବେଳେ ବି ପଦ ପଦବୀ ମୋହ ନଥାଏ ତାଙ୍କର l ନିଜ ନିର୍ବାଚନ ମଣ୍ଡଳୀ ଅପେକ୍ଷା ସେ ସବୁବେଳେ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହନ୍ତି l ତାହା ସହ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିଜର ସଂଗଠନିକ ଦାୟିତ୍ବ କିଛି ନେତାଂକୁ ନ୍ୟସ୍ତ କରି ସେ ରାଜ୍ୟ ସଂଗଠନ ପାଇଁ ସବୁବେଳେ କାମ କରିଥାନ୍ତି l

Share

Leave a Reply

Your email address will not be published. Required fields are marked *

6 + 16 =