ମାଗିଲେ ମୋଦି, ମିଳିଲେ ପାତ୍ର

ଭୁବନେଶ୍ୱର () ସମ୍ମାନଜନକ ପୁରୀ ଲୋକସଭା ଆସନ ପାଇଁ ଟିଭି ବିତର୍କରୁ ରାଜନେତା ପାଲଟି ଥିବା ସମ୍ବିତ ପାତ୍ରଙ୍କ ନାଁ ଘୋଷଣା ସ୍ପଷ୍ଟ ସଂକେତ ଦେଇଛି ଯେ, ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରୀୟ ନେତୃତ୍ୱ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ସଭାପତି ଅମିତ ଶାହାଙ୍କ ଫୋକସରେ ଓଡିଶା ନାହିଁ ।

ଏଥିସହ ଜଗନ୍ନାଥ ଧାମରୁ ସମ୍ବିତଙ୍କ ଅପ୍ରତ୍ୟାଶିତ ମନୋନୟନରୁ ବାରି ହେଉଛି ଯେ, ଦଳୀୟ କନ୍ଦଳ, କ୍ଷମତା ଲଢେଇ ଓ ଦୃଢ ନେତୃତ୍ୱ ଶଙ୍କଟରେ ଥିବା ରାଜ୍ୟ ବିଜେପିର ପ୍ରସ୍ତାବ କେନ୍ଦ୍ରୀୟ ନେତାଙ୍କ ଆଗରେ ମୂଲ୍ୟହୀନ । ଗତ ପ୍ରାୟ ଦେଢ଼ ବର୍ଷ ଧରି ପୁରୀ ଲୋକସଭା ଆସନକୁ ନେଇ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ଏହି ଆସନରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ତାର ସାମଗ୍ରିକ ପ୍ରଭାବ ପୁରୀ ଜିଲ୍ଲା ରାଜନୀତିରେ ପଡିବ ବୋଲି ଆକଳନ କରି ରାଜ୍ୟ ନେତାମାନେ ଶୀର୍ଷ ନେତୃତ୍ୱକୁ ପ୍ରବର୍ତାଉ ଥିଲେ ।

କିନ୍ତୁ କେନ୍ଦ୍ରୀୟ ନେତାମାନେ ପୁରୀ ଲୋକସଭା ଆସନରୁ ଜିତିବା ମୋଦିଙ୍କ ପାଇଁ ବର୍ତ୍ତମାନର ବାରଣାସୀ ଠାରୁ କଷ୍ଟକର ହେବ ବୋଲି ଆକଳନ କରିଛନ୍ତି । ତେଣୁ ମୋଦିଙ୍କୁ ଏକ ବିପଦଶଙ୍କୁଳ ଆସନକୁ ଠେଲି ଦେଇ ଜାତୀୟ ରାଜନୀତିରେ ଦଳ ପାଇଁ ଅନିଶ୍ଚିତତା ସୃଷ୍ଟି କରିବା ସପକ୍ଷରେ ନାହାନ୍ତି । କାରଣ ଏମିତିବି ପୁରୀ ଲୋକସଭା ଆସନରେ ବିଜେପି 1998 ପରଠାରୁ କେବେବି ଜିତି ନାହିଁ । ନବୀନ ପଟନାୟକଙ୍କ ନେତୃତ୍ୱରେ ବିଜେଡି ଏହି ଆସନରୁ କ୍ରମାଗତ ଭାବେ ବିଜୟଲାଭ କରୁଛି ।

ଗତ ନିର୍ବାଚନରେ ଦେଶରେ ଥିବା ପ୍ରବଳ ମୋଦି ହାୱାର ପ୍ରଭାବ ଏହି ଆସନକୁ ପ୍ରଭାବିତ କରିପାରିନଥିଲା । 2014ରେ ଏହି ଆସନରୁ ବିଜେଡି 50 ପ୍ରତିଶତରୁ ଅଧିକ ଭୋଟ ପାଇ 2 ଲକ୍ଷ 63 ହଜାର 361 ଖଣ୍ଡ ଭୋଟରେ ଜିତିଥିଲା । ବିଜେପି ମାତ୍ର 20.76 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଥିଲା ।

କିନ୍ତୁ ଏହି ଆସନରୁ ଦଳର ସବୁଠୁ ବିବାଦୀୟ ଚେହେରାକୁ ପ୍ରାର୍ଥୀ କରି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପିର ସବୁ ଆଶାକୁ ଭାଙ୍ଗି ଚୁରମାର କରିଦେଇଛି । ପାତ୍ର ଏଭଳି ଜଣେ ନେତା ଯାହାଙ୍କ ରାଜନୈତିକ କାର୍ଯ୍ୟକଳାପ ମୁଖ୍ୟତଃ ଟିଭି ପରଦା ମଧ୍ୟରେ ସୀମିତ । ଏହିଦୃଷ୍ଟିରୁ ଓଡିଶା ରାଜନୀତି ପାଇଁ ସେ ଜଣେ ବାହାରର ଲୋକ। ଯଦିଓ ତାଙ୍କ ପିତା ମାତା ସମ୍ବଲପୁରରେ ରୁହନ୍ତି, ସେ କେବେ ତାଙ୍କ ପାଖକୁ ଯିବାର ଦେଖାଯାଇନି । ସେ  ଦିଲ୍ଲୀର ନର୍ଥ ଆଭେନ୍ୟୁରେ ରହୁଥିବା ବେଳେ ଓଡ଼ିଶାରେ ତାଙ୍କର କୌଣସି ସଂଗଠନ ନାହିଁ । ଏକଥା ନିଜେ ରାଜ୍ୟ ବିଜେପି ନେତାମାନେ ବି ମାନୁଛନ୍ତି ।

ଡାକ୍ତରୀ ଚାକିରୀ ଛାଡି 2010ରେ ରାଜନୀତିକୁ ପେଷା ଭାବେ ଗ୍ରହଣ କରିଥିଲେ । ତାଙ୍କୁ ପ୍ରଥମେ ଦିଲ୍ଲୀ ବିଜେପି ମୁଖପାତ୍ର ଭାବେ ନିଯୁକ୍ତି ମିଳିଥିଲା । 2012ରେ ବିଜେପି ପ୍ରାର୍ଥୀ ଭାବେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଲଢ଼ି ହାରିଥିଲେ । 2014 ନିର୍ବାଚନ ସମୟରେ ଟିଭି ବିତର୍କରେ ବିବାଦୀୟ ବିବୃତି ଦେଇ ଚର୍ଚ୍ଚାକୁ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

fourteen − six =