ବିଶୃଙ୍ଖଳାର ବିଷ ମଞ୍ଜି ବୁଣୁଛନ୍ତି ନିରଞ୍ଜନ !

ଭୁବନେଶ୍ୱର () : କଂଗ୍ରେସଟାକୁ ବିକି ଭାଙ୍ଗି ଖାଇଦେଲେ। ଭିତରେ ଗୋଟେ କଥା, ବାହାରେ ଗୋଟେ କଥା। ନିଜେ ଅନ୍ୟମାନଙ୍କୁ ଶୃଙ୍ଖଳାର ପାଠ ପଢ଼ାଉଥିବା ବେଳେ ଭିତରେ ଭିତରେ ଦଳ ମଧ୍ୟରେ ଅସନ୍ତୋଷର ମଞ୍ଜି ବୁଣୁଛନ୍ତି। ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଏମିତି କିଛି ବିଷୋଦଗାର ଶୁଣିବାକୁ ମିଳୁଛି ଦଳର ଛାମୁଆ କର୍ମୀ ମହଲରେ।

ବିଶେଷକରି ଘଷିପୁରାରେ ନିରଞ୍ଜନ ନାମାଙ୍କନ ପତ୍ର ଦାଖଲ କରିବା ପରେ ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ରାଗରେ ନିଆଁବାଣ। କ୍ୟାମେରା ସାମ୍ନାରେ କିଛି କହିପାରୁ ନ ଥିଲେ ମଧ୍ୟ ନିରଞ୍ଜନ ଚଳାଇଥିବା ଏକଛତ୍ରବାଦକୁ ନେଇ ଦଳରେ ଅସନ୍ତୋଷର ନିଆଁ ବ୍ୟାପିବାକୁ ଲାଗିଲାଣି। ଏଆଇସିସି ନିରଞ୍ଜନଙ୍କ ପ୍ରାର୍ଥୀତ୍ୱ ନେଇ କୌଣସି ବିଧିବଦ୍ଧ ଘୋଷଣା କରି ନ ଥିବା ବେଳେ ନିରଞ୍ଜନ କେଉଁ ଅଧିକାରରେ ଏବଂ କାହା ନିର୍ଦ୍ଦେଶରେ ନାମାଙ୍କନ ପତ୍ର ଦାଖଲ କଲେ ବୋଲି ପିସିସି କର୍ମୀ ମହଲରେ ଆଲୋଚନା ଜୋର ଧରିଛି। ଅସନ୍ତୋଷର ନିଆଁ ପରବର୍ତ୍ତୀ ସମୟରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ବହୁ ଆଗରୁ କଂଗ୍ରେସର ଟିକେଟ‌୍‍ ବଣ୍ଟନ ନୀତି ଉପରେ ନିଜର ଟିପ‌୍‍ଣୀ ଦେବାକୁ ଯାଇ ମୁଖିଆ ନିରଞ୍ଜନ କହିଥିଲେ ଯେ, ଟିକେଟ‌୍‍ ବଣ୍ଟନରେ ତାଙ୍କର କୌଣସି ପ୍ରମୁଖ ତଥା ପ୍ରତ୍ୟେକ୍ଷ ଭୂମିକା ନାହିଁ। ଦଳ କାହାକୁ ପ୍ରାର୍ଥୀ କରିବ ଏବଂ ନ କରିବ ସେ ସମସ୍ତ ନିଷ୍ପତ୍ତି ଏଆଇସିସିର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ନେବ। ଟିକେଟ ବଣ୍ଟନରେ ସତ ପ୍ରତିଶତ ସ୍ୱଚ୍ଛତା ଅବଲମ୍ୱନ କରାଯିବ ବୋଲି ନିରଞ୍ଜନ ନିଜର ଦଳର ନେତାଙ୍କୁ ଆଶ୍ୱାସନା ଦେଇଥିଲେ। ମାତ୍ର ଏବେ ତାଙ୍କର ପ୍ରାର୍ଥିତ୍ୱ ତାଙ୍କର ଆଶ୍ୱସନା ତଥା ଟିକେଟ‌୍‍ ବଣ୍ଟନରେ ଏଆଇସିସିର ଭୂମିକା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

ଏଆଇସିସି ବିଧିବଦ୍ଧ ଭାବରେ ନିରଞ୍ଜନଙ୍କ ପ୍ରାର୍ଥିତ୍ୱକୁ ନେଇ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ପିସିସି ମୁଖିଆ ଘଷିପୁରାରୁ କାହାର ନିର୍ଦ୍ଦେଶରେ ପ୍ରାର୍ଥୀପତ୍ର ଦାଖଲ କଲେ ଏବଂ ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢ଼ିବା ପାଇଁ ସଜବାଜ ହେଉଛନ୍ତି ବୋଲି କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ସ୍କ୍ରିନିଂ କମିଟିରେ ପ୍ରାର୍ଥୀଙ୍କ ବାୟୋଡାଟା ସ୍ଥାନ ପାଇ ନ ଥିବା ବେଳେ  ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଟିକେଟ‌୍‍ କେମିତି ହାତେଇଲେ ସେ ନେଇ ପୁରୁଣା କଂଗ୍ରେସୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେବାକୁ ଯାଇ କର୍ମୀମାନେ କହିଛନ୍ତି ଯେ, ନବୀନ ବାବୁ ବିଜେଡିର ସର୍ବେସର୍ବା ହୋଇଥିଲେ ମଧ୍ୟ ଏକ ନିଦ୍ଧିଷ୍ଟ ପ୍ରକ୍ରିୟାରେ ଦଳର ଟିକେଟ‌୍‍ ବାଣ୍ଟୁଛନ୍ତି। ଦଳର ସମସ୍ତ ଟିକେଟ‌୍‍ ତାଙ୍କ ହାତରେ ଥିଲେ ମଧ୍ୟ ନବୀନ ବାବୁ ସାମ୍ୱାଦିକ ସମ୍ମିଳନୀ କରି ଦଳ ନିଷ୍ପତ୍ତି ନେଇଥିବା ଟିକେଟ‌୍‍ ତାଲିକାରେ ନିଜ ନାମକୁ ଘୋଷଣା କରୁଛନ୍ତି। ବିଜେଡି ପରି ବୃହତ୍ତ ଦଳ ଟିକେଟ‌୍‍ ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ୱନ କରୁଥିବା ବେଳେ ସମାନ ନୀତି ନିରଞ୍ଜନ କ’ଣ ପାଇଁ ଆପଣାଉନାହାନ୍ତି। ବ୍ୟକ୍ତିତ୍ୱ ଏବଂ କ୍ଷମତାକୁ ବିଚାରକୁ ନେଲେ  କ’ଣ ନିରଞ୍ଜନ ବାବୁ ନବୀନଙ୍କ ଠାରୁ ବଳି ଗଲେ ବୋଲି କର୍ମୀମାନେ ପ୍ରଶ୍ନ ଉଥାପନ କରିଛନ୍ତି।

‘ଉଠିବ ଓଡ଼ିଶା, ହସିବ କଂଗ୍ରେସ’ର ନାରା ଦେଇ ପିସିସି ଗାଦି ମାଡ଼ି ବସିଥିବା ନିରଞ୍ଜନ ପ୍ରଚ୍ଛଦ ପଟ୍ଟରେ ଦଳଟାକୁ ନିଲାମ କରି ଦେଲେ ବୋଲି ନେତା ଓ କର୍ମୀ ଅଭିଯୋଗ କଲେଣି। ରାଜ୍ୟରେ କଂଗ୍ରେସର ବର୍ତ୍ତମାନର ଅବସ୍ଥା ଶୋଚନୀୟ ଥିବା ବେଳେ ନିରଞ୍ଜନଙ୍କ ମନମୁଖି କାର୍ଯ୍ୟ ପାଇଁ ଆଗାମୀ ନିର୍ବାଚନରେ ଦଳ ଅମାନତ ହରାଇବ ବୋଲି କର୍ମୀମାନେ ଅଭିଯୋଗ ଆଣିଛନ୍ତି।

ନିରଞ୍ଜନଙ୍କ ଭୟରେ ସିଧାସିଧା କର୍ମୀମାନେ ତାଙ୍କୁ କିଛି କହି ପାରୁ ନ ଥିବା ବେଳେ ସେମାନଙ୍କର ନିରାଶା ଭାବ ଏବେ ବାଟରେ ଘାଟରେ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଲାଣି। ଏମତିକା ପ୍ରହସନ ଯଦି ନିରଞ୍ଜନ ଏବଂ ରାଜ୍ୟ କଂଗ୍ରେସ ଜାରି ରଖେ ତାହା ହେଲେ ଆଗାମୀ ଦିନରେ କଂଗ୍ରେସର ବିପର୍ଯ୍ୟୟ ସୁନିଶ୍ଚିତ ବୋଲି ଭୁବନେଶ୍ୱରର ଜଣେ ଟାଣୁଆ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

14 − 3 =