ପଞ୍ଚମ ଇନିଂସରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ବର () କ୍ରିକେଟ ପରି ରାଜନୀତିରେ ଫିଟନେସ ଓ ଫର୍ମ ସବୁବେଳେ ମହତ୍ବପୂର୍ଣ୍ଣ । କ୍ରିକେଟର ମୈଦାନରେ ଫେଲ ମାରିଲେ କ୍ୟାରିୟର ଢିଲା ହେଲା ପରି ରାଜନୀତିରେ ଲୋକଙ୍କ ଭଲପାଇବା ହରେଇଲେ ମଧ୍ୟ ଭୋଟରଙ୍କ ମାସପଟରୁ ଲିଭିଯାଆନ୍ତି ନେତା । ଓଡିଶା ରାଜନୀତିରେ ଏମିତି କେତେ ନେତା ଆସିଛନ୍ତି ଆଉ ହଜିଯାଇଛନ୍ତି । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ନେତା ବିରଳ । 22 ବର୍ଷ ହେଲା ସମାନ ଫିଟନେସ ଓ ସମାନ ଫର୍ମରେ ଓଡିଶା ରାଜନୀତିରେ ମାଷ୍ଟର ଷ୍ଟ୍ରୋକ ଖେଳି ଚାଲିଛନ୍ତି । ଆଉ ଏଥିପାଇଁ ନବୀନଙ୍କ ଗେମ ଚେଞ୍ଜର ଟିମର ମଧ୍ୟ ବିରାଟ ଅବଦାନ ରହିଛି ।

ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ସାଧାରଣରେ ଏକ ସନ୍ଦେହ ସୃଷ୍ଟି ହୋଇଥିଲା । ହେଲେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବୀନ ପଟ୍ଟନାୟକ ପୁଣି ଥରେ 2000 ମସିହାର ଫର୍ମକୁ ଫେରିଆସିଛନ୍ତି । 72 ବର୍ଷ ବୟଷରେ ମଧ୍ୟ ତାଙ୍କଠି ଦେଖିବାକୁ ମିଳୁଛି ଯୁବ ସୁଲଭତା । ଶାସନରେ ସେହିଭଳି କଠୋରତା ଏବଂ ସାଧାରଣ ଲୋକଙ୍କ ପାଇଁ କାମ କରିବାର ନିଶା ତାଙ୍କୁ ଦିନକୁ ଦିନି ଅଧିକ ଲୋକପ୍ରିୟ କରୁଛି । 1997ରେ ଓଡିଶା ରାଜନୀତିକୁ ପାଦ ଥାପିଥିବା ନବୀନ 2000 ମସିହାରେ ଓଡିଶାର ଶାସନ ଭାର ସମ୍ଭାଳିଥିଲେ । ସେ ସମୟରେ ନବୀନ ଯେଉଁ ଫର୍ମରେ ସରକାର ଚଳାଇବା ଆରମ୍ଭ କରିଥିଲେ, ପଂଚମ ପାଳିରେ ପୁଣି ଥରେ ସେହି ଫର୍ମକୁ ଫେରିଛନ୍ତି ।

ମହାବାତ୍ୟାରେ ଜର୍ଜରିତ ଓଡିଶାବାସୀ 2000 ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି-ବିଜେପି ମେଣ୍ଟ ସରକାରକୁ କ୍ଷମତାକୁ ଆଣିଥିଲେ । ସରକାର ଗଠନର ପ୍ରଥମ ଦିନରୁ ହିଁ ସେ ସ୍ବଚ୍ଛତା, ପ୍ରତିବଦ୍ଧତା ଓ ଲୋକସେବାକୁ ପ୍ରଧାନ୍ୟ ଦେଇଥିଲେ । ଯେଉଁଥିପାଇଁ ଦୁର୍ନୀତିର ଛାଇ ପଡିବା ମାତ୍ରେ ନେତାଙ୍କୁ ନିସ୍ତାର ମିଳୁନଥିଲା । ଦୁର୍ନୀତି ଅଭିଯୋଗରେ ନବୀନଙ୍କ ଚୋଟ ଖାଇଥିବା ନେତା ଆଉ ଓଡିଶା ରାଜନୀତିରେ ଉଧେଇ ପାରିନାହାଁନ୍ତି । 2000ରେ କ୍ଷମତାର ଡୋରି ଧରିବା ସମୟରେ ରାଜ୍ୟର ସବୁଠାରୁ ବଡ ସମସ୍ୟା ଥିଲା ଅନାହାର । ଏଥିସହିତ ମହାବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଓ ଲୋକଙ୍କ ପୁର୍ନବାସ । ସେ ସମୟରେ ରାଜ୍ୟ ସରକାର ମଧ୍ୟ ଏମିତି ଆର୍ଥିକ ଅଚଳାବସ୍ଥା ମଧ୍ୟରେ ରହିଥିଲେ ଯେ, କର୍ମଚାରୀଙ୍କୁ ଦରମା ଦେବାକୁ ରାଜକୋଷରେ ଅର୍ଥ ନଥିଲା ।

ଏଭଳି ସ୍ଥିତିର ମୁକାବିଲା ପାଇଁ ନବୀନ ପ୍ରଥମେ ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଓ ନିର୍ମଳ ଶାସନକୁ ସୁନିଶ୍ଚିତ କରିଥିଲେ । ପରେ ପରେ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଶିଳ୍ପାୟନ ଏବଂ ପରବର୍ତ୍ତୀ ସମୟରେ ଅନାହାର ସମସ୍ୟାର ସମାଧାନ ପାଇଁ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ ହୋଇଥିଲା । ପରବର୍ତ୍ତି ସମୟରେ ଟଙ୍କିକିଆ ଚାଉଳ ଯୋଜନା ଆରମ୍ଭ ହେଲା । ଶିଳ୍ପାୟନ ଏବଂ ଆର୍ଥିକ ସଂସ୍କାର ଯୋଗୁଁ ଧିରେ ଧିରେ ଓଡିଶା ଓଭରଡ୍ରାଫ ଏବଂ ଦେବାଳିଆ ସ୍ଥିତିରୁ ମୁକୁଳିଥିଲା । ଏଥିସହିତ ଟଙ୍କିକିଆ ଚାଉଳ ଯୋଜନା ଯୋଗୁଁ ଅନାହାର ସମସ୍ୟାର ସମାଧାନ ହୋଇଥିଲା । ଆର୍ଥିକ ସ୍ଥିତିରେ ସୁଧାର ଆସିବାରୁ ରାଜ୍ୟରେ ଭିତ୍ତିଭୂମୀ ବିକାଶ କାମ ଦ୍ରୁତ ଗତିରେ ଆଗେଇ ଚାଲିଲା  । କେନ୍ଦ୍ରର ଅସହଯୋଗ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ତ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛି ।

ସମାନ୍ତରାଳ ଭାବେ ପରବର୍ତ୍ତି ଶାସନ କାଳରେ ମହିଳା ଓ ଶିଶୁ ବିକାଶ ସାଙ୍ଗକୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମମତା, ଆହାର ଓ କାଳିଆ ଭଳି ଯୋଜନାକୁ ଅନ୍ୟ ରାଜ୍ୟ ଏପିରିକି କେନ୍ଦ୍ର ସରକାର ମଧ୍ୟ ଅନୁକରଣ କଲେ । ଖେଳରେ ଚାଲ ବଦଳାଇବା ଭଳି ନବୀନ ପ୍ରତିଟି ଇନିଂସରେ ନିଜର ଚାଲ ବଦଳାଇଲେ । ଆଉ ସେଥିରେ ସଫଳ ମଧ୍ୟ ହେଲେ । ବିଶ୍ବଦରବାରରେ ଓଡିଶାକୁ ହକିର ଏନ୍ତୁଡିଶାଳ ବୋଲି କେବଳ କୁହାଯାଉଥିଲା । ରାଜ୍ୟକୁ ସେ ପରିଚୟ କି ମାନ୍ୟତା ମିଳୁନଥିଲା । ଏବେ ବିଶ୍ତସ୍ତରୀୟ ହକି ଓ ବ୍ୟାଡମିଣ୍ଟନ ଖେଳ ପାଇଁ ସୁବିଧା ସୃଷ୍ଟି କରି ଭୁବନେଶ୍ବର ଦେଶର କ୍ରିଡା ରାଜଧାନୀ ଭାବେ ପରିଗଣିତ ହେଉଛି ।

ପଂଚମ ପାଳିରେ ଏବେ ନବୀନ ପୁଣି ଥରେ 2000 ମସିହାର ଫର୍ମକୁ ଫେରି ବିକାଶ ସହ ପ୍ରଶାସନରେ ସମାନୁବର୍ତ୍ତିତା, ସ୍ବଚ୍ଛତା, ଟେକ୍ନୋଲୋଜି, ଟିମ ୱାର୍କକୁ ସୁନିଶ୍ଚିତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି 4-ଟି ଜରିଆରେ ରାଜ୍ୟର ଟ୍ରାନ୍ସଫର୍ମେସ ବା ରୂପାନ୍ତରଣ ପାଇଁ ବିରାଟ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ମୋ ସରକାର ଭଳି ଯୋଜନା ଆରମ୍ଭ ହେଉଛି । ଦୁର୍ନୀତି ଅଭିଯୋଗରେ ଗତକାଲି 5 ଜଣ ବରିଷ୍ଠ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପ୍ରମାଣିତ କରୁଛି ଯେ, ନବୀନ ଦୁର୍ନୀତି ବିରୋଧରେ ଖଡଗହସ୍ତ ହୋଇଛନ୍ତି । ଏଥିସହିତ ଲୋକଙ୍କ ମତାମତରେ ପ୍ରଶାସନକୁ କିଭଳି ଚାଲିବାକୁ ହୁଏ ତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସ୍ବାଧୀନତା ପରଠାରୁ ଦେଶରେ କୌଣସି ରାଜ୍ୟ ଏଭଳି ଏକ ପ୍ରୟାସ କରିବାକୁ ଦୁଃଶାସହ ଜୁଟାଇପାରିନଥିଲେ । ସାଧାରଣ ଲୋକଙ୍କ ପ୍ରତି ରାଜନେତା ଓ ପ୍ରଶାସନ କିଭଳି ବିନମ୍ରତାର ସହ ବ୍ୟବହାର ପ୍ରଦର୍ଶନ କରିବା କଥା ଏବଂ ଲୋକଙ୍କ ସମସ୍ୟାକୁ କେମିତି ସର୍ବାଧିକ ଗୁରୁତ୍ବ ଦେଇ କାମ କରିବାକୁ ହେବ ସେଇ ଲକ୍ଷ୍ୟ ନେଇ ନବୀନ ନିଜର ଅଭିଯାନ ଚଳାଇଛନ୍ତି ।

ରାଜନୀତି ବିଜ୍ଞାନରେ ସରକାର ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା ଏବଂ ଲୋକଙ୍କର ବୋଲି ପଢାଯାଉଥିଲେ ବି କୌଣସି ସରକାର ଏହାକୁ ପ୍ରକୃତରେ କାର୍ଯ୍ୟକାରୀ କରିବାକୁ ସୁଯୋଗ ସୃଷ୍ଟି କରୁନଥିଲେ । ପ୍ରଶାସନ ଏବଂ ରାଜତନ୍ତ୍ରରେ ଏଣିକି କ୍ଷମତାସୀନ ଲୋକଙ୍କ ଏକଛତ୍ରବାଦ ଚାଲିବ ନାହିଁ । ବରଂ ଲୋକତନ୍ତ୍ର ଶାସନର ଏକ ସ୍ବର୍ଣ୍ଣିମ ଇତିହାସ ସୃଷ୍ଟି ହେବାକୁ ଯାଉଛି । ସବୁ ବେଳେ ଏବଂ ସବୁ ସମୟରେ ସୁବ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରୁଥିବା ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅହିଂସା ଓ ସାଧାରଣ ଲୋକଙ୍କ ବିକାଶକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । ଏକ ନୂଆ ଓଡିଶା ଗଠନ କରିବାକୁ ନବୀନଙ୍କ ଏହି ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ପୂରା ଟିମ ବେଶ ସକ୍ରିୟ ଓ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =