ନବୀନଙ୍କ ବଡପଣ, କୁତ୍ସାରଟନାକୁ ଭୁଲି ପୁଅକୁ କଲେ ପ୍ରାର୍ଥୀ

ଭୁବନେଶ୍ୱର () କୁହାଯାଏ ବ୍ୟକ୍ତିର ସ୍ଵଭାବ ଓ ଚରିତ୍ର ତାଙ୍କର ବ୍ୟବହାର ଓ କାର୍ଯ୍ୟଶୈଳୀରୁ ପ୍ରତିପାଦିତ ହୁଏ । ଏହି କ୍ରମରେ ବିଜେଡିରୁ ବହିସ୍କୃତ ନେତା ଡାକ୍ତର ଦାମୋଦର ରାଉତ ଓ ନବୀନ ପଟନାୟକଙ୍କ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଜଣେ ସବୁ ସୁବିଧା ଓ ସହଯୋଗ ପରେ ବି ସହଯ୍ୟକାରୀଙ୍କ ନିନ୍ଦା କରନ୍ତି । ଏଭଳି ବ୍ୟକ୍ତିତ୍ୱ ହେଉଛନ୍ତି ଦାମ ରାଉତ ।

ଅନ୍ୟ ଜଣେ ବର୍ଷ ବର୍ଷ ଧରି ଅଟଳ ମହାମେରୁ ଭଳି ସବୁ ବିଷ, କୁତ୍ସାରଟନା, ଆକ୍ଷେପ, ନିନ୍ଦା ସବୁକିଛି ବିନା ପ୍ରତିକ୍ରିୟାରେ ସହି ଯାଆନ୍ତି । ଆଉ ବିପଦ ଆପଦରେ ସହାନୁଭୁତିର କାନ୍ଧ ଦେଇଥାନ୍ତି । ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ନବୀନ ପଟନାୟକ ।

ଦାମ ରାଉତଙ୍କ ନିଜ ତୁଣ୍ଡ ଉପରେ କେବେବି ନିୟନ୍ତ୍ରଣ ନାହିଁ । ବିଜୁ ବାବୁଙ୍କ ସମୟରେ ମଧ୍ୟ ସେ ଏମିତି ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିଲେ । ବିଜୁ ବାବୁ ବି ତାଙ୍କୁ କ୍ଷମା କରିଦେଉଥିଲେ । ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ଗଠନ ସମୟରେ ଦାମ ରାଉତ ଆଞ୍ଚଳିକ ଦଳ ଗଠନ ଓ ନବୀନଙ୍କୁ ବିରୋଧ କରି ପ୍ରାରମ୍ଭିକ ସମୟରେ ନବୀନଙ୍କ କ୍ୟାମ୍ପରେ ଯୋଗଦେଇନଥିଲେ । ପରବର୍ତ୍ତୀ ସମୟରେ ବିଜେଡିର ଲୋକପ୍ରିୟତା ବୃଦ୍ଧି ଦେଖି ବିଜେଡିରେ ମିଶିଲେ । ଆଉ ଗତ 19 ବର୍ଷ ମଧ୍ୟରେ ସେ ଯେତେଥର ମନ୍ତ୍ରୀ ହୋଇଛନ୍ତି କୌଣସି ନା କୌଣସି ବିବାଦରେ ଛନ୍ଦି ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ବା ବହିସ୍କୃତ ହୋଇଥାନ୍ତି ।

ମନ୍ତ୍ରୀ ନଥିଲା ବେଳେ ଅନ୍ୟ ନେତା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ଗଣମାଧ୍ୟମରେ ନାନା ମିଛସତ କହି ମନ୍ତ୍ରୀ ହୁଅନ୍ତି । ଆଉ ମନ୍ତ୍ରୀ ହେବ ଦିନରୁ କେମିତି ବିଦା ହେବେ ସେଥିପାଇଁ ସରକାର ଓ ଦଳର ପରିଚାଳନାକୁ ସମାଲୋଚନା ଆରମ୍ଭ କରିଦିଅନ୍ତି । ଏସବୁ ସତ୍ତ୍ୱେ ବିଜୁ ବାବୁଙ୍କ ଅମଳର ନେତା ହୋଇଥିବାରୁ ନବୀନ କେବେ ବି ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୁରେଇ ରଖିନାହାନ୍ତି ।

ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରି ବିଜେଡିରୁ ବିତାଡିତ ହେବା ପରେ ଦାମ ରାଉତ ସିଧାସଳଖ ନବୀନଙ୍କ ସ୍ୱଛତା, କାର୍ଯ୍ୟକଳାପ ଉପରେ କାଳିମା ବୋଳିବାକୁ ବିଫଳ ପ୍ରୟାସ କରିଥିଲେ । ଏପରିକି ସେ ନବୀନଙ୍କୁ ଓଡିଶାରୁ ବିଦା କରିବାକୁ ପଣ ନେଇ ବିଜେପି ସହ ସାମିଲ ହେଲେ । ନିଜକୁ ବିଜୁ ବାବୁଙ୍କ ଶିଷ୍ୟ କହୁଛନ୍ତି । ହେଲେ ଯେଉଁ ବିଜୁ ବାବୁ ଆଜୀବନ ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ବିରୋଧ କରିଥିଲେ, ସେହି ଦଳରେ ସାମିଲ ହୋଇ ଗୈରିକ ବନିଗଲେ ଦାମ ରାଉତ।

ଏତେସବୁ ପରେ ବି ତାଙ୍କ ପତ୍ନୀଙ୍କ ବିୟୋଗରେ ନବୀନ ସବୁ ଆକ୍ଷେପ ଓ କୁତ୍ସାରଟନାକୁ ଭୁଲି ତାଙ୍କ ଘରେ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେଲେ । ସେ ସମୟରେ ଦାମ ରାଉତ କୋହଭରା କଣ୍ଠରେ କହିଥିଲେ – ମୋ ସାନ ପୁଅର ମୃତ୍ୟୁରେ ଆପଣ ଆସିଥିଲେ, ଏବେ ପତ୍ନୀ ବି ଚାଲିଗଲା । ଏ ପୁଅ (ସମ୍ବିତ) ଆପଣଙ୍କ ପାଖରେ ଅଛି, ତା କଥା ବୁଝିବେ ।

ମୃତ୍ୟୁ ଶଯ୍ୟାରେ ଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କ ଏଭଳି ନିବେଦନକୁ ଅଗ୍ରାହ୍ୟ କରିବା ମାନବିକତା ବିରୋଧୀ । ନବୀନ ବି ଠିକ ସେୟା କରିଛନ୍ତି । ବାପା କରିଥିବା ଅପରାଧର ଦଣ୍ଡ ପୁଅକୁ କାହିଁକି ? ସେହି ନ୍ୟାୟରେ ବାପାଙ୍କ ଆସନର ଉତ୍ତରାଧିକାରୀ ପୁଅକୁ କରିବାକୁ ସମ୍ବିତଙ୍କୁ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି ।

(ଦାମ ରାଉତ ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ ପାଇଁ ଆସିଥିବା ନବୀନଙ୍କୁ କଣ କହୁଛନ୍ତି, ଏ ଭିଡ଼ିଓକୁ ଧ୍ୟାନ ଦେଇ ଶୁଣନ୍ତୁ)

Share

Leave a Reply

Your email address will not be published. Required fields are marked *

19 − 2 =