ନବୀନ@74 : ସାଧାରଣ ଲୋକଙ୍କ ଖୁସି ହିଁ ଏକମାତ୍ର ଏଜେଣ୍ଡା

ଭୁବନେଶ୍ବର () 73 ବର୍ଷ ବୟସରେ ପାଦ ଦେଲେ ଓଡିଶା ରାଜନୀତିର ଉଜ୍ବଳ ତାରକା ନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ଯେଉଁ ସଫଳତା ହାସଲ କରିଛନ୍ତି,ତାହା ଅନ୍ୟ କୌଣସି ନେତାଙ୍କ ଭାଗ୍ୟରେ ଯୁଟିନାହିଁ। ଲଗାତର 5 ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରଚିଛନ୍ତି ଇତିହାସ। ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିର ମଙ୍ଗ ଧରିଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକମାତ୍ର ସ୍ଲୋଗାନ ହେଉଛି, ରାଜ୍ୟବାସୀଙ୍କ ଖୁସୀରେ ତାଙ୍କର ଖୁସୀ । ଯେଉଁଥିପାଇଁ ସେ ତାଙ୍କ ପ୍ରଶାସନ ଓ ବିଧାୟକଙ୍କୁ ସେବା ମନୋବୃତି ନେଇ ଲୋକଙ୍କ ସୁଖ ଦୁଃଖର ସାଥି ହେବାକୁ ଆହ୍ବାନ ଦେଉଛନ୍ତି । ବିଜେଡି ସରକାର ସାଧାରଣ ଜନତାଙ୍କ ସ୍ନେହ ଓ ପ୍ରେମର ପ୍ରତିଫଳନ । ତେଣୁ ବିଜେଡି ସରକାରର ସବୁ ଯୋଜନା ଲୋକ କୈନ୍ଦ୍ରିକ ।

୧୯୯୭ ମସିହାରେ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତିର ଇତିହାସ । ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ । ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା, ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ, ଦିନେ ନିଜ କାନ୍ଧରେ ବୋହି ନେବେ ସାରା ଓଡ଼ିଶାର ଭାର । ଅତି ଆକସ୍ମିକ ଭାବେ ରାଜନୀତିରେ ସେଦିନ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । ୨1 ବର୍ଷ ତଳେ ଯେତେବେଳେ ରାଜନୀତିରେ ନବୀନ ପ୍ରବେଶ କଲେ, ସେତେବେଳେ ତାଙ୍କ ବିଷୟରେ ଜାଣିଥିଲେ ଖୁବ କମ୍ ଲୋକ । ସେଦିନ ହୁଏତ କେହି ଅନ୍ଦାଜ ଲଗାଇ ପାରିନଥିଲେ ଯେ ନବୀନ ଦିନେ ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ରଚିବାକୁ ଯାଉଛନ୍ତି ।

ସେ ରାଜନୀତିରେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ରାଜନୀତିର ପୂରା ସମୀକରଣ । ୧୯୯୭ରେ ଆସ୍କା ଉପନିର୍ବାଚନରେ ଜିତି ସାଂସଦ ଭାବେ କ୍ୟାରିଅର ଆରମ୍ଭ କରିଥିବା ନବୀନ ପଟ୍ଟନାୟକଙ୍କ ହାତରେ ରହିଛି 20 ବର୍ଷ ଧରି ରାଜ୍ୟ ଶାସନର ଡୋରି । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ ନବୀନଙ୍କୁ ମୋହରା କରି ଅନୁକମ୍ପା ସାଉଁଟି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଗଢିଲେ ନିଜର ଇମାରତ୍ । ରାଜନୀତିକୁ ପ୍ରବେଶ କରିବାର କିଛି ମାସ ମଧ୍ୟରେ ଗଢା ହେଲା ବିଜେଡି । ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ ।

୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ । ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜ ମୁକୁଟ । ଏହା ପୂର୍ବରୁ ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ ବିଦ୍ରୋହୀବିଜୟ ମହାପାତ୍ରଙ୍କୁ ରାସ୍ତାରୁ ହଟାଇ ସାରିଥିଲେ ନବୀନ। ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏଦଳଦ୍ରୋହୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ଦେଇଥିଲେ ସେ । ଦୁର୍ନୀତିର କଳାଚାଦର ଢାଙ୍କିହେଲେ ବିରୋଧୀ ଆଉ ନବୀନ ସ୍ବଚ୍ଛ ଶାସନର ମୂଳଦୂଆ ପକାଇଲେ ।

୨୦୦୯ ନିର୍ବାଚନ ଥିଲା ତାଙ୍କ ପାଇଁ ଅଗ୍ନିପରୀକ୍ଷା । ପ୍ରଥମ ଥର ପାଇଁ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ପ୍ରଥମେ ତାଙ୍କ ବିଜୟର ବଡ ଶ୍ରେୟ ନେଉଥିଲା ବିଜେପି । ୨୦୦୯ରେ ସେ ପ୍ରମାଣ କରିଥିଲେ ବିଜେଡି ଓ ତାଙ୍କ ନେତୃତ୍ବର ଏକକ ଲୋକପ୍ରିୟତା । ଆଉ ୨୦୧୪ରେ ସେ ଯାହା କରି ଦେଖାଇଥିଲେ, ତାହା ଥିଲା ଅନ୍ୟ ଏକ ଇତିହାସ । ଯେଉଁ ପ୍ୟାରୀମୋହନ ମହାପାତ୍ରଙ୍କ ସାଂଗଠନିକ କୌଶଳ ବିଜେଡି ସଫଳତାର ଚାବିକାଠି କୁହାଯାଉଥିଲା ତାକୁ ବି ଭୁଲ ପ୍ରମାଣିତ କରିଥିଲେ । ସାରା ଭାରତରେ ବହୁଥିବା ମୋଦିଙ୍କ ହାୱା ମଧ୍ୟ ଓଡ଼ିଶାରେ ପ୍ରଭାବହୀନ ହୋଇଥିଲା । 117 ଆସନ ଜିତି ନବୀନ ଏକାକୀ ସରକାର ଗଢିଲେ । ନବୀନ ପ୍ରମାଣ କରିଥିଲେ, ଜନମାନସରେ ସେ ହିଁ ଏକମାତ୍ର ଜନନେତା । ପାଂଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଗତ ବର୍ଷ ଜାତୀୟ ଗଣମାଧ୍ୟମ ପତ୍ରିକା ‘ଆଉଟଲୁକ’ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନିତ କରାଯାଇଥିଲା ବେଳେ ଚେନ୍ନାଇର ଏକ ସଂସ୍ଥା ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନୀତ କରିଛି ।

2017 ପଂଚାୟତ ନିର୍ବାଚନରେ ସାମାନ୍ୟ ସଫଳତାରେ ଉତ୍ଫୁଲ୍ଲିତ ବିଜେପି ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର ବିରୋଧରେ ଦୁର୍ନୀତିର ପାହାଡ ଛିଡା କରିଥିଲା । କିନ୍ତୁ ସେ ପାହାଡ ଲୋକଙ୍କୁ ନବୀନଙ୍କର ଅଧିକ ନିକଟତର କଲା । ଫଳରେ ପଂଚମ ଥର ପାଇଁ 112 ଆସନରୁ ଜିତାଇ ରାଜ୍ୟବାସୀ ଆଉ ଥରେ ତାଙ୍କ ହାତରେ ରାଜ୍ୟ ଶାସନର ଡୋରୀ ଧରାଇଲେ ।

Share

Leave a Reply

Your email address will not be published. Required fields are marked *

4 + fourteen =