ଠକିଲେ ନବ ଦାସ, ହାରିଯିବା ଭୟ

ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଏଆଇସିସି ଅଧ୍ୟକ୍ଷ ଯେଉଁ କିଛି ଯୁବ ଓ ଅଭିଜ୍ଞ ନେତାଙ୍କ ଉପରେ ଭରସା କରିଥିଲେ ସେମାନେ ଏବେ ତାଙ୍କୁ ଧୋକା ଦେବା ଆରମ୍ଭ କରିଛନ୍ତି । ରାହୁଲଙ୍କୁ ଧୋକା ଦେଇ ବିଜେଡି ସହ ଭିତିରି ସଂପର୍କ ସ୍ଥାପନ କରିଥିବା ସେହି ନେତାଙ୍କ ମଧ୍ୟରୁ ସବୁଠାରୁ ଆଗରେ ଅଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡି ଟିକେଟରେ ୨୦୧୯ ନିର୍ବାଚନ ଲଢିବାକୁ ସେ ଯୋଜନା କରୁଛନ୍ତି ।

କଂଗ୍ରେସ ଟିକେଟରେ ଦୁଇ ଦୁଇ ଥର ବିଧାୟକ ହେଲେ । ପଶ୍ଚିମ ଓଡିଶାରେ କଂଗ୍ରେସର ଭୋଟ ବ୍ୟାଙ୍କୁ ପାଥେୟ କରି ସେ ବିଧାନସଭାକୁ ଯିବାକୁ ସକ୍ଷମ ହେଲେ । କିନ୍ତୁ ଯେତେବେଳେ କଂଗ୍ରେସ ୨୦୧୯ରେ କର ବା ମର ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପିକୁ କଡା ଟକ୍କର ଦେବାକୁ ଅଣ୍ଟାଭିଡିଛି, ସେଭଳି ଏକ ସମ୍ବେଦନଶୀଳ ସମୟରେ ନବ ରାହୁଲଙ୍କୁ ଠକି ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କ୍ଷମତାରୁ ହଟେଇବା ପାଇଁ ଯେଉଁ ମେଣ୍ଟ ହୋଇଥିଲା ସେଥିରେ ନବ ଥିଲେ ଅନ୍ୟତମ କାର୍ପଟଦାର । ସେ କେତେବେଳେ ଚିରଂଜୀବୀଙ୍କ ପାଇଁ ଲବି କରୁଥିଲେ ତେ କେତେବେଳେ ନିଜ ପାଇଁ ଲବି ଚଳାଉଥିଲେ । ଏଥିପାଇଁ ସେ ମାସ ମାସ ଧରି ଦିଲ୍ଲୀରେ ଡେରା ପକାଇ ରହିଥିଲେ । ଯେତେବେଳେ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ରାହୁଲ ଆସ୍ଥା ପ୍ରକଟ କରିଥିଲେ ସେତେବେଳେ ନବ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଭଳି କି ରାହୁଲ ନିଜର ୟୁଥ ଟିମରେ ନବଙ୍କୁ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦେଇଥିଲେ । ଏଥିସହିତ ତାଙ୍କୁ ପଶ୍ଚିମ ଓଡିଶାର ସାଙ୍ଗଠନିକ ଦାୟିତ୍ୱ ମଧ୍ୟ ଦେଇଥିଲେ ।

ହେଲେ ଝାରସୁଗୁଡା କଂଗ୍ରେସ ସଂଗଠନରୁ ମିଳୁଥିବା ସୂଚନା ଅନୁଯାୟୀ, ନବ ଗତ ୫ ବର୍ଷ ମଧ୍ୟରେ ନିଜ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ବିଶ୍ୱାସ ହରାଇଥିଲେ । ବ୍ୟବସାୟୀକ କାର୍ଯ୍ୟରେ ଲିପ୍ତ ରହୁଥିବା ନବ ନିଜ ଅଂଚଳର ବିକାଶ କଥା ଭୁଲି ଯାଇଥିଲେ । ସେପଟେ ବିଜେଡିର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପୁଣି ଥରେ ଝାରସୁଗୁଡାର ଭୋଟରଙ୍କୁ ବିଜେଡି ଆଡକୁ ଅନୁପ୍ରାଣିତ କରୁଥିଲା । ତୃଣମୂଳ ସ୍ତରରେ ନବଙ୍କ ବିରୋଧରେ ବୋହୁଥିବା ହାଓାରୁ ସେ ଏଥର ହାରିଯିବେ ବୋଲି ପ୍ରାକ ଆକଳନ କରାଯାଉଥିଲା । ତେଣୁ ଚର୍ଚ୍ଚା ହେଉଛି ଯେ, ସେ ହାରିଯିବା ଭୟରେ କଂଗ୍ରେସ ଛାଡି ବିଜେଡି ପଳାଉଛନ୍ତି । ନାଁକୁ ମାତ୍ର ନିଜ ସମର୍ଥକଙ୍କ ଦ୍ୱାହୀ ଦେଉଛନ୍ତି ।

ଏହାପୂର୍ବରୁ ମଧ୍ୟ ସେ ନିଜ ନିର୍ବାଚନମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ନିଜ ସମର୍ଥକଙ୍କ ମତାମତ ସଂଗ୍ରହ କରୁଥିଲେ । ତାଙ୍କ ସମର୍ଥକମାନେ ମଧ୍ୟ ତାଙ୍କୁ ଏଥର ସ୍ଥିତି ତାଙ୍କ ସପକ୍ଷରେ ନାହିଁ ବୋଲି ଚେତାଇ ଦେଇଥିଲେ । ତେଣୁ ନବ ଗତ କିଛି ମାସ ହେଲା ବିଜେଡି ସହ ସଂପର୍କ ବୃଦ୍ଧି କରିଥିଲେ ଆଉ ସୁଯୋଗ ଦେଖି ସେ କଂଗ୍ରେସ ଛାଡି ବିଜେଡି କ୍ୟାମ୍ପକୁ ପଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − thirteen =