ରାଜ୍ୟ ନେତାଙ୍କ ଉପରେ ନାହିଁ ଭରସା, ଛତିଶଗଡ ନେତାଙ୍କୁ ଦିଆଯାଇଛି ଦାୟିତ୍ବ

ରାଜ୍ୟ ନେତାଙ୍କ ଉପରେ ନାହିଁ ଭରସା, ଛତିଶଗଡ ନେତାଙ୍କୁ ଦିଆଯାଇଛି ଦାୟିତ୍ବ

ବଲାଙ୍ଗିର () ଆସନ୍ତା 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି । ଗତ ସେପ୍ଟେମ୍ବର 22 ତାରିଖରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ପରେ ପଶ୍ଚିମ ଓଡିଶାକୁ ମୋଦିଙ୍କ ଦ୍ବିତୀୟ ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବାକୁ ହାତରେ ମାତ୍ର ଆଉ ମାତ୍ର ମାସ ଦୁଇଟା ନଥିବା ବେଳେ ଏହି ଗସ୍ତକୁ ବିଶେଷ ଭାବେ ଗୁରୁତ୍ବାରୋପଣ କରାଯାଉଛି । ଏହି ଦୃଷ୍ଟିରୁ ବଲଙ୍ଗୀର ସମାବେଶରେ ଲକ୍ଷାଧିକ ଲୋକଙ୍କ ସମାଗମ କରିବାକୁ କେନ୍ଦ୍ରୀୟସ୍ତରରୁ ନିର୍ଦ୍ଦେଶ ଆସିଥିବା କୁହାଯାଉଛି । ହେଲେ ଏତେ ବଡ ଆୟୋଜନ କରିବାକୁ ଏବେ ଅବିଭକ୍ତ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ଦଳର ସଙ୍ଗଠନ ମଜବୁତ ନଥିବାରୁ ରାଜ୍ୟ ନେତୃତ୍ବର ଚିନ୍ତା ବଢିଯାଇଛି । ଏଥିପାଇଁ ଦଳ ପୁଣି ଥରେ ଛତିଶଗଡ ନେତାଙ୍କ ସହଯୋଗ ଲୋଡିଥିବା ସୂଚନା ମିଳିଛି ।

ପଶ୍ଚିମ ଓଡିଶାରେ ପୂର୍ବରୁ କଂଗ୍ରେସ ଗଡ ଥିବା ବେଳେ ବିଭିନ୍ନ ଜିଲ୍ଲାର କିଛି ଆସନରେ କିଛି ଦଶନ୍ଧ ତଳେ ବିଜେପି ତାର ଅସ୍ତିତ୍ବ ଜାହିର କରିଥିଲା । କେବିକେର ମୁଖ୍ୟ କେନ୍ଦ୍ର କୁହାଯାଉଥିବା ବଲାଙ୍ଗିର ସବୁବେଳେ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ବ ବହନ କରିଆସିଥାଏ । ପଶ୍ଚିମ ଓଡିଶାର ରାଜନୀତିକୁ ମଧ୍ୟ ବଲାଙ୍ଗୀର ଅନେକ ମାତ୍ରାରେ ପ୍ରଭାବିତ କରିଆସିଛି । ଏହି ଦୃଷ୍ଟିରୁ ବଲାଙ୍ଗୀରରେ ହିଁ ବିଜେପି ମୋଦିଙ୍କ ଦଳୀୟ ସଭା କରିବାକୁ ଯାଉଛି  । ହେଲେ ଏହାର ଆୟୋଜନ କରିବାକୁ ସମଗ୍ର ଜିଲ୍ଲାରେ ବିଜେପିର ସାଙ୍ଗଠନିକ ସ୍ଥିତି ସୁଦୃଢ ନାହିଁ ।

ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ବ୍ଲକର ପଥରଚେପାରେ ଆସନ୍ତା 15 ତରିଖରେ ମୋଦିଙ୍କ ସାଧାରଣ ସଭା ପାଇଁ ସ୍ଥିର ହୋଇଛି । ତେଣୁ, ଏହାର ଆୟୋଜନ ଭାର ବଲାଙ୍ଗୀର ଜିଲ୍ଲା ବିଜେପି ହାତରେ ନ୍ୟସ୍ତ ରହିବା କଥା । ହେଲେ ବଲାଙ୍ଗୀର ତ ଦୂରର ଥା, ସମଗ୍ର ପଶ୍ଚିମ ଓଡିଶାର ନେତା ବି ଏହି ଆୟୋଜନାରେ ସକ୍ରିୟ ଭୂମିକା ନେବାର ମୌକା ପାଉନାହାଁନ୍ତି । କାରଣ, ଏହାର ସିଂହଭାଗ ଆୟୋଜନ ଦାୟିତ୍ବ ଛତିଶଗଡର ନେତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେଉଥିବା ସୂଚନା ମିଳୁଛି । ବଲାଙ୍ଗୀର ଜିଲ୍ଲାର କେବଳ ପାଟଣାଗଡ ଆସନରେ ଦଳର ହେଭିୱେଟ ନେତା ତଥା ପାଟଣା ରାଜା କନକବର୍ଦ୍ଧନ ସିଂହଦେଓ ବିଧାୟକ ଭାବେ କ୍ରମାଗତ ବିଜୟୀ ହୋଇଆସୁଛନ୍ତି । କିନ୍ତୁ ଦଳୀୟ ସଂଗଠନରେ ତାଙ୍କ ଦବଦବା ନଗନ୍ୟ ପରି ସାବ୍ୟସ୍ତ ହୋଇଛି ।

ଜିଲ୍ଲାର 5ଟି ବିଧାନସଭା ଆସନ ମଧ୍ୟରୁ 3ଟି ବିଜେଡି ହାତରେ ଥିବା ବେଳେ କଂଗ୍ରେସ ଏବଂ ବିଜେପି ହାତରେ ଗୋଟିଏ ଲେଖାଏଁ ଆସନ ରହିଛି । ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାୟକ ରହିଛନ୍ତି । ତେଣୁ, ବସ୍ତୁତଃ ଜିଲ୍ଲା ସଂଗଠନରେ ବିଜେପି ଏକପ୍ରକାର ଅସ୍ତିତ୍ବ ସଂକଟ ଦେଇ ଗତି କରିଆସୁଛି । ସେହିପରି ବଲାଙ୍ଗୀରରେ ବିଜେଡି ତାର ବିକାଶ କାମକୁ ତୃଣମୂଳ ସ୍ତରରକୁ ନେଇଥିବା ବେଳେ ଦୀର୍ଘ ଦଶନ୍ଧିର ଦାବିକୁ ସାକାର କରିପାରିଛି । ବଲାଙ୍ଗୀର ମେଡିକାଲ କଲେଜ ଏବଂ ଲୋୟର ସୁକତେଲ ଭଳି ବୃହତ ପ୍ରକଳ୍ପ ପାଇଁ ବିଜେଡି ଜିଲ୍ଲାରେ ଲୋକଙ୍କ ଆଶାତୀତ ଭାବେ ପ୍ରିୟ ହୋଇଛି । ସେପଟେ ଆଭ୍ୟନ୍ତରିଣ ପ୍ରତିଯୋଗିତାରେ ଉଭୟ କଂଗ୍ରେସ ଏବଂ ବିଜେପି ସାଙ୍ଗଠନିକ ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି ।

ଏଭଳି ସ୍ଥିତିରେ ମୋଦିଙ୍କ ସମାବେଶ ଆୟୋଜନ ପାଇଁ ବଲଙ୍ଗୀର ଜିଲ୍ଲାରେ ସଂଗଠନ ପ୍ରତି ଦଳର ଭରସା ନାହିଁ । ଏହାଛଡା ପଡୋଶୀ ନୂଆପଡା ଜିଲ୍ଲାରେ ଖୋଦ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଧାୟକ ଥିଲେ ହେଁ, ନିଜର ଆସନରେ ତାଙ୍କ ସ୍ଥିତି ବିପନ୍ନ ହେବାରେ ଆଭାସ ଗତ ପଂଚାୟତ ନିର୍ବାଚନରୁ ମିଳିସାରିଛି । ଏହାବାଦ ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଜେପି ଅସ୍ତିତ୍ବ ସଙ୍କଟର ସମ୍ମୁଖୀନ ହେଉଛି । କଳାହାଣ୍ଡି ଜିଲ୍ଲାରେ ଗତ ପଂଚାୟତ ନର୍ବାଚନରେ ଦଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାସଲ କରିବା ପରେ ନେତାଙ୍କ ଅହଙ୍କାର ମନୋବୃତ୍ତି ତଥା କର୍ମୀଙ୍କ ଦାଦାଗିରି ଯୋଗୁ ଲୋକେ ପୁଣି ଥରେ ଦଳଠୁ ବିମୁଖ ହୋଇଥିବା ଜଣାପଡିଛି ।

କେବିକେ ଅଂଚଳକୁ ବାଦ ଦେଲେ ଅବିଭକ୍ତ ସମ୍ବଲପୁରରେ ବିଜେପିର ସଂଗଠନ କିଛିଟା ଥିଲା । କିନ୍ତୁ  ଜୟନାରାୟଣ ମିଶ୍ର ବନାବିରା ଗୁଳିକାଣ୍ଡ ମାମଲାରେ ଦୀର୍ଘ ଦିନ ଧରି ଜେଲରେ ରହିବା ଏବଂ ସ୍ବାସ୍ଥ୍ୟଗତ କାରଣରୁ ଅଞ୍ଚଳରେ ଅନୁପସ୍ଥିତ ଥିବା ଯୋଗୁଁ ସଂଗଠନ ପୂରା ଭୁଶୁଡି ଗଲାଣି । ଆଉ ସୁରେଶ ପୂଜାରୀଙ୍କ ନିଜସ୍ବ କର୍ମୀ ସଂଖ୍ୟା 100 ନିଥିବା ସମସ୍ତେ ଜାଣନ୍ତି । ଏହି ଦୃଷିରୁ ଛତିଶଗଡରେ ବିଜେପି ପରାଜିତ ହୋଇଥିବେ ବି ସେମାନଙ୍କ ହାତରେ ହିଁ ପରୋକ୍ଷରେ ମୋଦି ସମାବେଶର ଆୟୋଜନ ଭାର କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶରେ ଦିଆଯାଇଥିବା କୁହାଯାଉଛି । ଅବଶ୍ୟ ପଶ୍ଚିମ ଓଡିଶାର ନେତାଙ୍କୁ ସମାବେଶ ମଂଚ ଆଗରେ ରଖି ଛତିଶଗଡି ନେତାଙ୍କୁ ନୈପଥ୍ୟରେ ରଖିବାକୁ ଦଳ ଚିନ୍ତା କରୁଥିବା ନେଇ ଖୋଦ କର୍ମୀ ମହଲେ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

20 − 17 =