କାଳିଆ କଲା ନକ୍ ଆଉଟ …

ଭୁବନେଶ୍ବର () ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବିରୋଧୀଙ୍କ ନିଦ ହଜେଇ ଦେଇଛି । ବିରୋଧୀ କେମିତି ଖୁଣ ବାହାର କରିବେ ସେନେଇ ଗତକାଲିଠାରୁ ଅଙ୍କ କଷୁଛନ୍ତି । ଏକ ପ୍ରକାର କହିବାକୁ ଗଲେ ବିରୋଧୀ ବୋଧହୁଏ ଏଭଳି ଏକ ଦୀର୍ଘସ୍ଥାୟୀ ଏବଂ ବିକାଶମୁଖୀ ଯୋଜନା ବାବାଦରେ ଚିନ୍ତା କରିନଥିଲେ । ନବୀନ ପଟ୍ଟନାୟକ ବିରୋଧୀଙ୍କୁ କାଳିଆ ନାମକ ଏହି ସରପ୍ରାଇଜ ଗୋଲରେ ନକ୍ ଆଉଟ କରିଦେଇଛନ୍ତି ।

ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ଓଡିଶାରେ ମଧ୍ୟ ଚାଷ ଋଣ ଛାଡ କରିବାକୁ ଦାବି କରୁଥିଲେ ବିରୋଧୀ । କିନ୍ତୁ ଋଣ ଛାଡ କରିବା ପରିବର୍ତ୍ତେ ଚାଷ ଓ ଚାଷୀଙ୍କ ସ୍ଥାୟୀ ବିକାଶର ଯୋଜନା କରିଛନ୍ତି ସରକାର । ଋଣ ଛାଡ କରି ରାଜ୍ୟ ଉପରେ ଋଣ ବୋଝ ଲଦିବା କିମ୍ବା ସରକାରଙ୍କୁ ଆଉ ଥରେ 1995ର ଦେବାଳିଆ ସ୍ଥିତିକୁ ନେବାକୁ ରାଜି ନୁହଁନ୍ତି ନବୀନ ପଟ୍ଟନାୟକ । ଏଥିସହିତ ଋଣ ଛାଡ ଅଳ୍ପ କିଛି ନିର୍ଦ୍ଧିଷ୍ଟ ଚାଷୀଙ୍କୁ ସାମୟିକ ଆସ୍ବସ୍ତି ଦେବ । ହେଲେ କାଳିଆ ଯୋଜନା ଏକ ଦୀର୍ଘମିଆଦି ସମାଧାନର ସୂତ୍ର ଦେଖାଇଛି ।

ଏକଥା ନୁହେଁ ଯେ, ବିରୋଧୀ ଏହା ଅନୁଭବ କରିନାହାଁନ୍ତି । 1995ରେ କଂଗ୍ରେସ ସରକାର ଅମଳରେ ଯାହା ଘଟିଥିଲା ଏବଂ ଋଣ ଛାଡ କରିଥିବା ରାଜ୍ୟମାନେ ଭବିଷ୍ୟତରେ ଯେଉଁ ଆର୍ଥିକ ସମସ୍ୟା ଦେଇ ଗତିକରିବେ ତାର ଆକଳନ ମଧ୍ୟ କରାଯାଇଛି । ବିରୋଧୀ କିନ୍ତୁ ଚାଷୀଙ୍କୁ ଯେଉଁ ରାଜନୀତି କରିବାକୁ ଚେଷ୍ଟା କରୁଥିଲେ ସେଥିରେ ଭଟା ପଡାଯାଇଛି । ଚାଷୀଙ୍କ ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି କାନ୍ଦ କାହିଁକି 1995ରେ ଶୁଣିବାକୁ ମିଳୁନଥିଲା । ଏପିରିକି ଋଣ ଛାଡ ହିଁ ଯଦି ଚାଷୀ ସମସ୍ୟାର ଏକମାତ୍ର ସମାଧାନ ତେବେ କେନ୍ଦ୍ର ସରକାର କାହିଁକି ଋଣ ଛାଡ କରୁନାହାଁନ୍ତି । ଉଭୟ କଂଗ୍ରେସ ଓ ବିଜେପି ଏହି ପ୍ରଶ୍ନର ଉତ୍ତର ଦେବେ କି ବୋଲି ଜଣେ ବିଜେଡି ନେତା ପ୍ରଶ୍ନ କରିଛନ୍ତି ।

ଋଣ ଛାଡ ଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଅଧିକ 26ହଜାର କୋଟି ଟଙ୍କାର ବୋଝ ଲଦିବାକୁ ବିରୋଧୀ କାହିଁକି ଏତେ ଆଗ୍ରହୀ ଥିଲେ । ବିରୋଧୀ କଣ ଚାହୁଁଛନ୍ତି ରାଜ୍ୟ ପୁଣି ଥରେ ଗୁରୁତ୍ତର ଆର୍ଥିକ ଶଙ୍କଟ ଭିତରକୁ ଠେଲି ହୋଇଯାଉ । 2000ରୁ 2009 ଯାଏଁ ବିଜେପି ବିଜେଡି ସହ ମେଣ୍ଟ ସରକାରରେ ଥିଲା । ଏହି 9 ବର୍ଷ ଭିତରେ ମଧ୍ୟ ରାଜ୍ୟ ଏକାଧିକ ଥର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଆଉ ସବୁ ବେଳେ ଚାଷୀକୂଳ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ସେ ସମୟରେ କାହିଁକି ବିଜେପି ମନ୍ତ୍ରୀ କି ନେତାମାନେ ଋଣ ଛାଡ କଥା ଉଠାଉନଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜେଡିର ଯୁକ୍ତି ହେଉଛି ଉଭୟ କଂଗ୍ରେସ ଓ ବିଜେପି ଏବେ ସରକାର ବିରୋଧରେ ପ୍ରସଙ୍ଗ ଶୂନ୍ୟ ହୋଇଯାଇଛନ୍ତି । ସରକାରଙ୍କୁ ଘେରିବାକୁ ଚାଷୀଙ୍କୁ ମହୋରା କରିବାକୁ ଚେଷ୍ଟା କରୁଛନ୍ତି । ଚାଷୀ ଦେଶ ଓ ରାଜ୍ୟର ମେରୁଦଣ୍ଡ ହେଉଥିବା ବେଳେ ବିଜେପି ଓ କଂଗ୍ରେସ ସେମାନଙ୍କୁ ରାଜନୀତର ପଶାପାଲିରେ ମହୋରା କରି ସରକାରଙ୍କୁ ମାତ ଦେବାକୁ ଚେଷ୍ଟା କରୁଥିଲେ । ହେଲେ ନବୀନଙ୍କ ସରପ୍ରାଇଜରେ ବିରୋଧୀ ଆବା କାବା ହୋଇ ନୂଆ ଗେମ ସନ୍ଧାନରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 17 =