ଅନୁମତି ନ ଥିବା ହେଲିକପ୍ଟର ଚଢ଼ୁଛନ୍ତି ବୈଜୟନ୍ତ ପଣ୍ଡା

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡ଼ିର ଫେରାଦ

ଭୁବନେଶ୍ୱର (): ଖଣି କମ୍ପାନୀର ହେଲିକପ୍ଟର ଚଢ଼ି ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ଯାଉଛନ୍ତି । ଅଥଚ ବ୍ୟବସାୟିକ ଭଡ଼ାରେ ବ୍ୟବହାର ପାଇଁ ଉକ୍ତ ହେଲିକପ୍ଟରର ଅନୁମତି ନାହିଁ । ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ରେ ଏହା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ସେଥିପ୍ରତି ଖାତିର ନାହିଁ । ବିଜେପି ନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଜି ଏହି ସଙ୍ଗୀନ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଏହାର ଅନୁଧ୍ୟାନ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।

ବିଜେଡ଼ି ଦର୍ଶାଇଛି, ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଚାର ପାଇଁ ଯେଉଁ ହେଲିକପ୍ଟର ବ୍ୟବହାର କରୁଛନ୍ତି ତାହାର ମାଲିକ ହେଉଛନ୍ତି ଇମ୍ଫା ଖଣି କମ୍ପାନୀ । ଇମ୍ଫା କମ୍ପାନୀର ଏହି ହେଲିକପ୍ଟରର କମର୍ସିଆଲ୍ ଚାର୍ଟର ନାହିଁ । ଅର୍ଥାତ୍ ତାହା ବ୍ୟବସାୟିକ ଭଡ଼ାରେ ବ୍ୟବହୃତ ହୋଇପାରିବ ନାହିଁ । ବ୍ୟବସାୟିକ ଭଡ଼ା ପାଇଁ ଅନୁମତି ଥିବା ହେଲିକପ୍ଟରକୁ ହିଁ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେ । ଏଥିସହ ହେଲିକପ୍ଟରର ରକ୍ଷଣାବେକ୍ଷଣ ଓ ଉଡ଼ାଣ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚରେ ସାମିଲ ହେବା ବି ନିହାତି ଜରୁରୀ । ତେବେ ବ୍ୟବସାୟିକ ଭଡ଼ା ପାଇଁ ଅନୁମତି ନ ଥିବା ଖଣି କମ୍ପାନୀ ହେଲିକପ୍ଟରକୁ ବୈଜୟନ୍ତ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ବେଆଇନ ।

ନିର୍ବାଚନ ଗାଇଡ଼ଲାଇନର ଏହା ଖୋଲା ଉଲ୍ଲଂଘନ କରୁଛି । ଏହା ଉପରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡ଼ି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ମୁଖପାତ୍ର ସୁଲତା ଦେଓ, ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ ।

Share

Leave a Reply

Your email address will not be published. Required fields are marked *

five + 3 =