ସଚେତନତାର ଅଭାବ ନା ପ୍ରାର୍ଥୀ ପସନ୍ଦ ହେଉନାହାଁନ୍ତି ?

ଭୁବନେଶ୍ବର () ରାଜ୍ୟରେ ଭୋଟର ଏବେ ବି ଇଭିଏମରେ ଭୋଟ ଦେବା ନେଇ ସମ୍ପୁର୍ଣ୍ଣ ସଚେତନ ହୋଇନାହାଁନ୍ତି । କିମ୍ବା ବିଭିନ୍ନ ଦଳ ବା ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ସେମାନଙ୍କ ପସନ୍ଦ ନୁହଁନ୍ତି । ଗତ ନିର୍ବାଚନରେ ନୋଟା (none of the above)କୁ ଯେତିକି ଭୋଟ ଯାଇଛି ସେଥିରୁ ଏମିତି ସଙ୍କେତ ମିଳୁଛି ।

ଗତ ସାଧାରଣ ନିର୍ବାଚନରେ ବିଧାନସଭାରେ 147 ନିର୍ବାଚନମଣ୍ଡଳୀରେ ମୋଟ 2 କୋଟି 15 ଲକ୍ଷ 32ହଜାର 680 ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ସେମଧ୍ୟରୁ 2 ଲକ୍ଷ 71 ହଜାର 336ଟି ଭୋଟ ନୋଟାକୁ ଯାଇଥିଲା । ଅର୍ଥାତ ଯେତିକି ଲୋକ ଭୋଟ ଦେଇଛନ୍ତି ସେମାନଙ୍କ ମଧ୍ୟରୁ 1.3 ପ୍ରତିଶତ ଭୋଟର ନୋଟାକୁ ପସନ୍ଦ କରିଛନ୍ତି ।

ସେହିଭଳି ଲୋକସଭା କ୍ଷେତ୍ରରେ 21ଟି ଲୋକସଭା ଆସନରେ 3ଲକ୍ଷ 32 ହଜାର 780ଜଣ ଭୋଟର ନୋଟାରେ ଭୋଟ ଦେଇଛନ୍ତି । ନବରଙ୍ଗପୁରରେ ସର୍ବାଧିକ 44ହଜାର 408ଟି ଭୋଟ ନୋଟାକୁ ଯାଇଛି । କୋରାପୁଟରେ 33ହଜାର 232, କେନ୍ଦୁଝରରେ 26ହଜାର 65, ମୟୁରଭଂଜରେ 23ହଜାର 517, ବଲାଙ୍ଗିରରେ 21ହଜାର 43, କଳାହାଣ୍ଡିରେ 20ହଜାର 880 ଓ ସୁନ୍ଦରଗଡରେ 15ହଜାର 835ଜଣ ମତଦାତା ନୋଟାରେ ଭୋଟ ଦେଇଛନ୍ତି । ସାମଗ୍ରୀକ ଭାବେ 21ଟି ଯାକ ଲୋକସଭା ଆସନର ଭୋଟକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ପୁରୀ, ଭୁବନେଶ୍ବର ଭଳି ଉପକୂଳ ନିର୍ବାଚନମଣ୍ଡଳୀରେ ନୋଟାକୁ ଅପେକ୍ଷାକୃତ କମ ଭୋଟ ଯାଇଛି । ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଏବଂ ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲାରେ ନୋଟାର ଭୋଟ ହାର ଅଧିକ ।

ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କ କହିବା ଅନୁଯାୟୀ, ଭୋଟର ସଚେତନତା ଅଭାବରୁ ସେମାନେ ନୋଟାରେ ଭୋଟ ଦେଉଛନ୍ତି । ଇଭିଏମରେ ସଙ୍କେତ ବୁଝିନପାରି ସେମାନେ ନୋଟାରେ ଭୋଟ ଦେଉଛନ୍ତି । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ଆକଳନ କହୁଛି, ବିଭିନ୍ନ ରାଜନୈତିକ ଘଟଣାକ୍ରମ ମଧ୍ୟରେ ପ୍ରାର୍ଥୀଙ୍କୁ ପସନ୍ଦ କରୁନାହାଁନ୍ତି ଭୋଟର । ଯେଉଁଥିପାଇଁ ନୋଟାର ଭୋଟ ହାର ଉଦବେଗଜନକ ଭାବେ ଅଧିକ ରହୁଛି  । ତେବେ ଉପକୂଳ ଏବଂ ଦକ୍ଷୀଣ, ଉତ୍ତର ଓ ପଶ୍ଚିମ ଓଡିଶାର ନୋଟ ଭୋଟ ହାରରେ ଦେଖାଯାଉଥିବା ତାରତମ୍ୟ କେବଳ ମନମୁତାବକ ପ୍ରାର୍ଥୀ ନହେବା ନୁହେଁ । ଯଦି ପ୍ରାର୍ଥୀଙ୍କୁ ଭୋଟର ପସନ୍ଦ କରୁନଥାନ୍ତେ ତେବେ ନୋଟାର ଭୋଟ ହାର ସବୁ ଜିଲ୍ଲାରେ ହାରାହାରି ଏକ ପ୍ରକାର ରହିଥାନ୍ତା ।

Share

Leave a Reply

Your email address will not be published. Required fields are marked *

9 + 10 =