ଅକାଳରେ ଝଡିଗଲା କି ସ୍ବପ୍ନ …

ଭୁବନେଶ୍ବର () ଗତ ସପ୍ତାହରେ ରାଜ୍ୟ ରାଜନୀତିରେ ବିଜେପି ଖବରର ଶିରୋନାମାରେ ରହିଛି। ଖବରରେ ଯେଉଁ ଅସଲ କଥାଟି ପ୍ରକାଶ ନ ପାଇ ଲୁଚି ଯାଇଛି ତାହା ହେଲା ବିଜେପି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୟ। ଧର୍ମେନ୍ଦ୍ରଙ୍କ ଏହି ଭୟ ଅନ୍ୟ ଦଳର ନେତା ଆଡ଼ୁ ନୁହେଁ, ବରଂ ନିକଟରେ ଆଇଏସ ଚାକିରୀ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଆଡ଼ୁ ସୃଷ୍ଟି ହୋଇଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି।

ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ପ୍ରତିପକ୍ଷ ବିଜେଡ଼ି ନେତାମାନେ ଯେତିକି ଭୟଭୀତ ହେଉନଥିବାବେଳେ ଧର୍ମେନ୍ଦ୍ର ଅତ୍ୟଧିକ ଭୟଭୀତ ହୋଇପଡ଼ିଛନ୍ତି। ଦିଲ୍ଲୀଭଳି ଓଡ଼ିଶାରେ ଅପରାଜିତାଙ୍କୁ କାଳେ କେନ୍ଦ୍ରୀୟ ନେତୃତ୍ବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଇଦେବେ ତାହାକୁ ରୋକ ଲଗାଇବାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମାଧ୍ୟମରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରାଇଛନ୍ତି। ସୁନ୍ଦରଗଡ଼ରେ ଜୁଏଲ କିପରି ଆଗାମୀ ନିର୍ବାଚନରେ ହାରିବେ ଓ ଧର୍ମେନ୍ଦ୍ରଙ୍କ ରାସ୍ତାରେ କଣ୍ଟା ନ ହେବେ ସେଥିପାଇଁ ଦଳର ଏକ ଗୋଷ୍ଠୀ ସମସ୍ତ ପ୍ରକାରର ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଅସୁବିଧାରେ ଥିବାରୁ ନିଜର ଅସ୍ଥିତ୍ବକୁ ରକ୍ଷା କରିବା ପାଇଁ ଜୁଏଲ ଏଭଳି ଘୋଷଣା କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିବାରୁ ଧର୍ମେନ୍ଦ୍ର ଆଜି ଗଣମାଧ୍ୟମରେ ଜୁଏଲଙ୍କୁ ଧନ୍ୟବାଦ ଦେଇଛନ୍ତି।

ଓଡ଼ିଶାରେ ବିଜେପି ଆଗାମୀ ନିର୍ବାଚନରେ ୧୨୦+ ଆସନରେ ବିଜୟୀ ହେବ ବୋଲି ଦଳ ପକ୍ଷରୁ ଦାବି କରାଯାଉଥିଲାବେଳେ ଦଳର ପ୍ରସ୍ତାବିତ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ଦିଆଯାଉନଥିଲା। ଅପରାଜିତା ବିଜେପିରେ ଯୋଗ ଦେବା ପରେ ଦଳର କର୍ମୀମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିନ୍ତା କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏଭଳି ବିପତ୍ତିରୁ ରକ୍ଷା ପାଇବା ପାଇଁ ସେ ଆଗାମୀ ନିର୍ବାଚନ ପାଲଲହଡ଼ାରୁ ଲଢ଼ିବାକୁ ଆଗ୍ରହୀ ବୋଲି ଗତକାଲି ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଣ୍ଡୁରୁବେଡ଼ା ସ୍କୁଲର ବାର୍ଷିକ ଉତ୍ସବରେ ପରୋକ୍ଷରେ ସୂଚନା ଦେଇଛନ୍ତି। କିନ୍ତୁ ଏହି କଥାକୁ ସେ ଆଜି ଚତୁରତାର ସହିତ ଏଡ଼ାଇ ଯାଇଛନ୍ତି।

କେବଳ ସେତିକି ନୁହେଁ, ଅପରାଜିତା ଦିଲ୍ଲୀରେ ଅମିତ୍ ଶାହାଙ୍କ ଘରେ ବିଜେପିରେ ଯୋଗ ଦେଇ ଓଡ଼ିଶା ଫେରିବା ସମୟରେ ଯେପରି କୌଣସି ବରିଷ୍ଠ ନେତା ତାଙ୍କୁ ସ୍ବାଗତ ନ କରନ୍ତି ସେଥିପାଇଁ କୁଆଡେ଼ ଧର୍ମେନ୍ଦ୍ରଙ୍କ ପକ୍ଷରୁ ସମସ୍ତ ପ୍ରକାରର ଯୋଜନା କରାଯାଇଥିଲା। କାଳେ ଏହି ଯୋଜନା ଧରାପଡ଼ିଯିବ ସେଥିପାଇଁ ଭୁବନେଶ୍ବର ଜିଲ୍ଲାର କେତେକ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରି ଔପଚାରିକତା ପୁରା କରିଥିଲେ। ଫଳରେ ଅପରାଜିତା ଫେରିବା ଖବର ଗଣମାଧ୍ୟମରେ ଯେପରି ପ୍ରକାଶ ପାଇବା କଥା ତାହା ହୋଇନଥିଲା।

ଏହିସବୁ ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଅପରାଜିତା ବିଜେପିରେ ଯୋଗ ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବପ୍ନ ଅକାଳରେ ଝଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

Share

Leave a Reply

Your email address will not be published. Required fields are marked *

18 − 2 =