ବୈଜୟନ୍ତଙ୍କ ପାଇଁ କେନ୍ଦ୍ରାପବାସୀ ନୁହଁନ୍ତି, ଇମ୍ଫାର ଲାଭ ଥିଲା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର () ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କାହିଁକି ଅର୍ଥ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ତାର ଗୁମର ଖୋଲିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବୈଜୟନ୍ତ କିଭଳି ଭାବେ ରାଜନୀତିକୁ ନିଜର ପାରିବାରିକ ଇମ୍ଫା କମ୍ପାନୀର ବ୍ୟବସାୟ ବୃଦ୍ଧି ପାଇଁ ବ୍ୟବହାର କରୁଥିଲେ ତାର ଖୁଲାସା ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ଫାର ବୋର୍ଡ ଅଫ ଡିରେକ୍ଟର୍ସ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବର ସାର୍ଟିଫାଏଡ କପି ପ୍ରଦର୍ଶନ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଏହି ଦସ୍ତାବେଜ ଅନୁଯାୟୀ 2014 ମେ 20 ତାରିଖରେ ବସିଥିବା ଇମ୍ଫାର ବୋର୍ଡ ଅଫ ଡିରେକ୍ଟର୍ସ ବୈଠକରେ ବୈଜୟନ୍ତ ପଣ୍ଡା କମ୍ପାନୀର ଉପାଧ୍ୟକ୍ଷ ଭାବେ ସୂଚନା ଦେଇଥିଲେ ଯେ, ଇମ୍ଫାର ସହଯୋଗୀ ଉତ୍କଳ କୋଲ ଲିମିଟେଡକୁ ସେରୀ ଇନଫ୍ରାଷ୍ଟ୍ରକଚର ଫାଇନାନସ ପକ୍ଷରୁ 110 କୋଟି ଋଣ ମଞ୍ଜୁର ହୋଇଯାଇଛି । ଏହା ଦର୍ଶାଉଛି ଯେ, ବୈଜୟନ୍ତ ପଣ୍ଡା ଇମ୍ଫା କମ୍ପାନୀର ଆର୍ଥିକ କାରବାର ଏବଂ ଋଣ ଆଦି ପ୍ରସଙ୍ଗରେ ଗୋଟାପଣ ସଂପୃକ୍ତ ହେଉଛନ୍ତି । କିନ୍ତୁ ବାହାରେ କହିଆସୁଥିଲେ ଯେ, ଇମ୍ଫାର ପରିଚାଳନା ଏବଂ ବ୍ୟବସାୟରେ ତାଙ୍କର କୌଣସି ଭୁମୀକା ନାହିଁ ।

କେବଳ ଏଥିକି ନୁହେଁ, ଏହି ଦସ୍ତାବେଜ ଅନୁଯାୟୀ କମ୍ପାନୀର ଋଣ ସମ୍ପର୍କିତ ସମସ୍ତ କାଗଜପତ୍ରରେ ଦସ୍ତଖତ କରିବାର ଅଧିକାର ତାଙ୍କୁ ଦିଆଯାଇଥିଲା । ଏହାହିଁ ଇମ୍ଫା କମ୍ପାନୀର ବ୍ୟବସାୟୀକ କାରବାରରେ ବୈଜୟନ୍ତଙ୍କ ପ୍ରତ୍ୟକ୍ଷ ସଂପୃକ୍ତିର ଆଉ ଏକ ପ୍ରମାଣ । ସେହି ବର୍ଷ ଜୁନ 14 ତାରିଖରେ ବସିଥିବା କମ୍ପାନୀର ଅର୍ଥିକ ପରିଚାଳନା କମିଟି ବୈଠକରେ ମଧ୍ୟ ବୈଜୟନ୍ତଙ୍କୁ ଆଇସିଆଇସିଆଇରୁ 430 କୋଟି ଟଙ୍କା ଋଣ ଗ୍ରହଣ ପାଇଁ ଅଧିକାରଭୁକ୍ତ କରାଯାଇଥିଲା । ଏହି ସମୟରେ ଦିଲ୍ଲୀରେ ସଂସଦର ଅର୍ଥ ସଂପର୍କିତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ମନୋନିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏହି କମିଟିର ଅଧ୍ୟକ୍ଷ ଭାବେ ମନୋନିତ ହୋଇ ବୈଜୟନ୍ତ ପଣ୍ଡା ନିଜ ପଦର ପ୍ରଭାବରେ ନିଜ ପାରିବାରିକ କମ୍ପାନୀ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାଇବାକୁ ଯୋଜନା କରୁଥିଲେ । ହଜାର ହଜାର କୋଟି ଟଙ୍କା ବ୍ୟାଙ୍କର ଋଣ ନେବେ ଆଉ ତାର ପରିଷୋଧ କରିବେ ନାହିଁ । ଏହା ହିଁ ଥିଲା ଚାଲ । ଏହି ଦୁଇଟି ଦସ୍ତାବେଜ ତାର ପ୍ରମାଣ ଦେଉଛି ବୋଲି ବିଜେଡି ଅଭିଯୋଗ କରିଛି । ସେ ଜଣେ ରାଜନେତା ନଥିଲେ । ସେ ରାଜନୀତିକୁ ନିଜର ବ୍ୟବସାୟୀକ ବୃଦ୍ଧି ପାଇଁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ଜଣେ ବ୍ୟବସାୟୀ । ଏବଂ ରାଜନୀତିର ପ୍ରଭାବରେ ସେ ନିଜ ବ୍ୟବସାୟୀକ ଅଭିବୃଦ୍ଧି ପାଇଁ ଯୋଜନା କରୁଥିଲେ ବୋଲି ବିଜେଡି ଅଭିଯୋଗ କରିଛି ।

କେନ୍ଦ୍ରାପଡାବାସୀ ମଧ୍ୟ ଏହାର ପ୍ରମାଣ ପାଇସାରିଲେଣି । ନିଜ ବ୍ୟବସାୟର ବୃଦ୍ଧି ପାଇଁ ସେ କେନ୍ଦ୍ରାପଡାବାସୀଙ୍କ ଉପେକ୍ଷା କରୁଥିଲେ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତାଙ୍କ ପାଖରେ ସମୟ ନଥିଲା । 10 ବର୍ଷ ଧରି କେନ୍ଦ୍ରାପଡାର ସାଂସଦ ରହିଥିଲେ ବି ଏହି ଜିଲ୍ଲାରେ ରେଳ ଲାଇନ ବିଛା କାମର ଅଗ୍ରଗତି ପାଇଁ କେବେ ବି ଚେଷ୍ଟା କରିନଥିଲେ । ଚଳିତ ନିର୍ବାଚନରେ କେନ୍ଦ୍ରାପଡାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − two =