ଅପରାଜିତାଙ୍କ ଅନୁପ୍ରବେଶ ପରେ ଚିନ୍ତାରେ ତିନି ମୁଖ୍ୟମନ୍ତ୍ରୀ ଆଶାୟୀ

ଭୁବନେଶ୍ବର () କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେବା ପରେ ଅପରାଜିତା ଷଢଙ୍ଗୀ ଆସନ୍ତା 27 ତାରିଖରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିବେ । 28 ତାରିଖରେ ଭୁବନେଶ୍ବର ଫେରିବେ, ଆଉ ତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବିରାଟ ସଭାର ଆୟୋଜନ କରାଯାଇଛି । ଅପରାଜିତଙ୍କ ଯୋଗଦାନକୁ ନେଇ ବିଜେପିର କେନ୍ଦ୍ରୀୟ ନେତାମାନେ ଯେତିକି ଆଶାବାଦୀ, ରାଜ୍ୟ ବିଜେପି ନେତାମାନେ ସେତିକି ଆତଙ୍କିତ ।

ଦଳର କେନ୍ଦ୍ରୀୟ ନେତାମାନେ ସ୍ପଷ୍ଟ ସଙ୍କେତ ଦେଇସାରିଲେଣି ଯେ, ଅପରାଜିତା ଆଗାମୀ ଦିନରେ ରାଜ୍ୟ ବିଜେପିର ମଙ୍ଗ ଧରିବେ ଆଉ ତାଙ୍କୁହିଁ ଦଳର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯିବ । ଏଭଳିସ୍ଥିତିରେ ରାଜ୍ୟ ବିଜେପିର ତିନି ତୁଙ୍ଗ ନେତା, ଯେଉଁମାନେ ଏବେ ଦଳର ମଙ୍ଗ ଧରିଥିଲେ ଏବଂ ଆଗକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ, ସେମାନଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନେ ହେଲେ ନିଜକୁ ଚଷା ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିଜକୁ ଆଦିବାସୀ ରାଜା ବୋଲି ଦାବି କରୁଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଜେପିର ବାବା ନାମରେ ଲୋକପ୍ରିୟ ନେତା ପ୍ରତାପ ଷଢଙ୍ଗୀ ।

କେନ୍ଦ୍ର ନେତାମାନଙ୍କ ସହ ସୁସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2014 ନିର୍ବାଚନ ପରଠାରୁ ରାଜ୍ୟ ବିଜେପିକୁ ପୂରାପୂରି ନିଜ କବଜାକୁ ନେଇଛନ୍ତି । ଦଳର ରାଜ୍ୟ ସଭାପତିଙ୍କ ମନୋନୟନ ଠାରୁ ଆରମ୍ଭ କରି ଦଳର ବିଭିନ୍ନ ପଦାଧିକାରୀ ଚୟନରେ ମଧ୍ୟ ତାଙ୍କ ମୁଖ୍ୟ ହାତ ରହିଛି । ଏଭଳିକି ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ତାଙ୍କର ପରିକଳ୍ପନା । ମୋଟାମୋଟି ଭାବେ କହିବାକୁ ଗଲେ ବିଜେଡି ସରକାର ବିରୋଧରେ ରାଜ୍ୟ ବିଜେପିର ଲଢେଇରେ ସେ ହେଉଛନ୍ତି ପ୍ରଧାନ ସେନାପତି । ଚର୍ଚ୍ଚା ଅନୁସାରେ 2019 ନିର୍ବାଚନରେ ମୁଖ୍ୟ ଲଢେଇ ବିଜେପି ଓ ବିଜେଡି ମଧ୍ୟରେ ହେବାକୁ ଯାଉଛି । ଏହି ଦୃଷ୍ଟିରୁ ବିଜେଡିର ସେନାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଥିବା ବିଜେପି ସେନାଧ୍ୟକ୍ଷ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦାବି କରିବା ସ୍ବାଭାବିକ ।

ସେହିଭଳି ଆଦିବାସୀ ରାଜା ଜୁଏଲ ଓରାମ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାକୁ ପ୍ରତିନିଧିତ୍ବ କରୁଛନ୍ତି । କେନ୍ଦ୍ର ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଜୁଏଲ ଓରାମ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଭାର ବୋହୁଛନ୍ତି । ଏଥିସହିତ ରାଜନୈତିକ ଅଭିଜ୍ଞତାରେ ମଧ୍ୟ ସେ ଧର୍ମେନ୍ଦ୍ରଙ୍କ ଠାରୁ ଅଧିକ ଅନୁଭୂତି ସମ୍ପନ୍ନ । ଏହି ଦୃଷ୍ଟିରୁ ଦିନେକେଟା ସେ ମଧ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ପ୍ରୋଜେକ୍ଟ କରୁଥିଲେ । କିନ୍ତୁ କେନ୍ଦ୍ରୀୟ ନେତାଙ୍କର ଧର୍ମେନ୍ଦ୍ର ପ୍ରତି ଆକର୍ଷଣକୁ ଦେଖି ସେ ଆପେ ଆପେ ସେ ରେସରୁ ନିଜକୁ ଦୂରେଇ ଦେଇଥିଲେ ବି ଆଶା ଛାଡିନାହାଁନ୍ତି ।

ସେହିଭଳି ରାଜ୍ୟ ବିଜେପିର ଉପସଭାପତି ପ୍ରତାପ ଷଢଙ୍ଗୀ । ରାଜ୍ୟ ବିଜେପିରେ ସେ ବାବା ନାଁରେ ସୁପରିଚିତ । ଜଣେ ସଚ୍ଚୋଟ ଓ ସ୍ପଷ୍ଟବାଦୀ ନେତା ଭାବେ ତାଙ୍କର ସୁନାମ ରହିଛି । ସଂଘ ପୃଷ୍ଠଭୂମୀରୁ ଆସିଥିବା ଏହି ନେତାଙ୍କ ପ୍ରତି ଆରଏସଏସର ବଳିଷ୍ଠ ସମର୍ଥନ ରହିଛି । ତାଙ୍କୁ ଦଳର ସଭାପତି କରିବାକୁ ମଧ୍ୟ ସଂଘ ବହୁବାର ଚାପ ପକାଇଛି । କିନ୍ତୁ ଦଳୀୟ ରାଜନୈତିକ ଗୋଟି ଚାଳନାରେ ତାଙ୍କୁ ସବୁବେଳେ କଣଠେସା କରାଯାଉଛି । କିନ୍ତୁ ସଂଘର ବଳିଷ୍ଠ ସମର୍ଥନ ରହୁଥିବାରୁ ଉତ୍ତର ପ୍ରଦେଶ ଭଳି ଓଡିଶାରେ ମଧ୍ୟ ଯଦି ବିଜେପି କ୍ଷମତାକୁ ଆସେ ତେବେ ପ୍ରତାପ ଷଢଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଯିବାର ସମସ୍ତ ସମ୍ଭାବନା ରହିଛି ।

କିନ୍ତୁ ଅପରାଜିତାଙ୍କୁ କେନ୍ଦ୍ରୀୟ ବିଜେପି ନେତାମାନେ ଯେଉଁ ଭଳି ପ୍ରୋଜେକ୍ଟ କରୁଛନ୍ତି, ତାହା ଦେଖିଲେ ରାଜ୍ୟ ବିଜେପିର ଏହି ତିନି ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଭବିଷ୍ୟତ କଣ ତାହା ଜଣାପଡୁନି । ଅପରାଜିତାଙ୍କ ସହ ଏମାନେ ଦଳ ମଧ୍ୟରେ ଆଭ୍ୟନ୍ତରିଣ ପ୍ରତିଯୋଗିତା ଚଳାଇବେ ନା ତାଙ୍କ ନେତୃତ୍ବକୁ ସ୍ବୀକାର କରିନେବେ ତାହା ଦେଖିବାର କଥା ।

Share

Leave a Reply

Your email address will not be published. Required fields are marked *

four − two =