ଅପରାଜିତାଙ୍କ ବିରୋଧରେ ତେଜୁଛି ଅସନ୍ତୋଷ

ଭୁବନେଶ୍ବର () ରାଜ୍ୟ ବିଜେପିର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅପରାଜିତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଏକ ଗୋଷ୍ଠି । ଏ ସଂପର୍କରେ ସେମାନେ ଦଳର ରାଜ୍ୟ ନେତୃତ୍ବଙ୍କୁ ଏକ ଲମ୍ବା ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଅପରାଜିତାଙ୍କ ଏକପାଖିଆ କାର୍ଯ୍ୟକ୍ରମ ବିରୋଧରେ ସ୍ବର ଉଠାଇଛନ୍ତି ରାଜ୍ୟ ବିଜେପିର ଚାର୍ଡ କମିଟି । କମିଟିର ସଂଗଠନ ସଂଯୋଜକ ସୁଶାନ୍ତ କୁମାର ସାବତ ଚିଠି ଲେଖି ରାଜ୍ୟ ବିଜେପିର ସାଧାରଣ ସଂପାଦକ ମାନସ କୁମାର ମହାନ୍ତିଙ୍କୁ ଜଣାଇଛନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି ଯେ, ସାଂସଦ ନିର୍ବାଚନମଣ୍ଡଳୀରେ ଦଳର କର୍ମକର୍ତ୍ତାଙ୍କୁ ନଜାଣଇ ବୈଠକ କରୁଛନ୍ତି । ଟିମ ଅପରାଜିତା ନାମରେ କିଛି ଅପରାଧିକ ତତ୍ବଙ୍କୁ ସାମିଲ କରି ସମାନ୍ତରାଳ ସଂଗଠନ ଗଢୁଛନ୍ତି । ଏହି ସଂଗଠନ ଜିଲ୍ଲା ଓ ମଣ୍ଡଳକୁ ପଦାଘାତ କରିବା ପାଇଁ ଯୋଜନା କରୁଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ଗତ ଜୁନ 13 ତାରିଖରେ ଭୁବନେଶ୍ବର ଜିଲ୍ଲାର କୋର ସଦସ୍ୟ ଓ ଭୁବନେଶ୍ବର ସାଂସଦଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ବସି ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ସୁଦୃଢ କରିବାକୁ ଏକ ସଂଚାଳନ ସମିତି ଗଠନ ହୋଇଥିଲା । କିନ୍ତୁ ସାଂସଦ ଏହି ଦଳୀୟ ବ୍ୟବସ୍ଥାକୁ ଅବମାନନା କରି ନିଜର କ୍ଷମତା ଜାହିର କରିବାକୁ ଯାଇ ନିଜ କାର୍ଯ୍ୟାଳୟ କର୍ମକର୍ତ୍ତାଙ୍କ ମାଧ୍ୟମରେ ସଂଗଠନ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି ।

ଅପରାଜିତା ତାଙ୍କ କାର୍ଯ୍ୟକ୍ରମରେ ବ୍ୟବହୃତ ସମସ୍ତ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନଦେଇ ନିଜର ଅହଂକାର ପ୍ରଦର୍ଶନ କରିବା ସହିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଛନ୍ତି । ଗତ ଜୁନ 29 ତାରିଖରେ ଅପରାହ୍ନ ଟାରେ ସାଂସଦ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର କୌଣସି ଜିଲ୍ଲା ଓ ମଣ୍ଡଳ ସ୍ତରୀୟ ନେତୃତ୍ବଙ୍କ ସହ ଆଲୋଚନା ନକରି ନିଜର କ୍ଷମତା ପରିସର ବାହାରେ କର୍ମୀ ସମ୍ମୀଳନୀ କରିଛନ୍ତି ବୋଲି ମଧ୍ୟ ସୁଶାନ୍ତ ଅଭିଯୋଗ କରିଛନ୍ତି । ତେଣୁ ସାଂସଦଙ୍କ ଏଭଳି କାର୍ଯ୍ୟକୁ ଦଳ ବିରୋଧୀ ବୋଲି ବିବେଚନା କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁଶାନ୍ତ ।

ଏ ସଂପର୍କରେ ଅପରାଜିତା କିଛି ଗଣମାଧ୍ୟମରେ ଅତି ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦଳରେ କୌଣସି କନ୍ଦଳ ନାହିଁ । ସେ କହିଛନ୍ତି ଯେ, ଦଳରେ ସବୁ ଠିକଠାକ ଚାଲିଛି, କୌଣସି କନ୍ଦଳ ନାହିଁ ।

Share

Leave a Reply

Your email address will not be published. Required fields are marked *

two × 5 =