ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ଗଣମାଧ୍ୟମ ସମ୍ମୁଖରେ ଯେଉଁ ମତ ରଖିଛନ୍ତି, ତାହା ତାଙ୍କ ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ ପକାଉଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ସୂଚନା ଓ ଲୋକ ସଂପର୍କ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। କଥାରେ ଅଛି, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ । ସେହି ନ୍ୟାୟରେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅଭିଯୁକ୍ତ ନକହିଥିଲେ ହେଁ ସେ ନିଜକୁ ଦୋଷୀ ବୋଲି ମାନିବା ଓ ତାଙ୍କର ସନ୍ଦେହଜନକ ବିବୃତି ଅନେକ ଜିନିଷ ପଦାରେ ପକାଇଛି ବୋଲି ପ୍ରତାପ ଜେନା କହିଛନ୍ତି।

ଗତକାଲି ଏକ ପେସ୍‍ ଇସ୍ତାହାରରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରତାପ ଜେନା ପ୍ରଶ୍ନ କରିଥିଲେ ଯେ, ଛତ୍ରପୁର ବିଜେଡି କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍‍ରେ ରୁମ୍‍ ବୁକ୍‍ କରିଥିଲା? କେଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡର ପ୍ରଚ୍ଛଦପଟରେ ରହି ହତ୍ୟାକାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା ଯୋଗାଇଥିଲା? କେଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କୁ ଉତ୍ତରୀୟ ପିନ୍ଧାଇ ଗଞ୍ଜାମର ମିଶ୍ରଣ ପର୍ବରେ ବିଜେପିରେ ମିଶାଇଥିଲା? ତା’ର ଉତ୍ତର ରଖିବାକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି ଯେ ଯଦି କୌଣସି ସତ୍ୟତା ଅଛି, ତା’ହେଲେ ରାଜ୍ୟ ପୋଲିସ ତାଙ୍କୁ ସମନ କଲେ ସେ ହାଜର ହେବେ । କଥାରେ ଅଛି, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ । ସେହି ନ୍ୟାୟରେ ଶ୍ରୀ ପ୍ରଧାନ ନିଜକୁ ପଦାରେ ପକାଇ ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ, କିଛିଦିନ ତଳେ ସେ ତାଙ୍କୁ ପ୍ରଶ୍ନ କରିଥିଲି ଯେ ଗ୍ୟାଙ୍ଗଷ୍ଟର ଟିଟୋ ସହିତ ତାଙ୍କର ଏକ ମଧୁଚନ୍ଦ୍ରିକା କାହିଁକି ରହିଛି । ଅପରାଧୀଙ୍କୁ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଦାନ କରିବା ପଛରେ କେଉଁ ଅଭିସନ୍ଧି ରହିଥିଲା ତାହା କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ । କିନ୍ତୁ ପଳାୟନପନ୍ଥୀ ହୋଇ ସେ ଆଜି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ନିଜର ଉତ୍ତର ନରଖିବା ତାଙ୍କର ଭୟ ଓ ଅସହାୟତାକୁ ଓଡ଼ିଶା ଜନସାଧାରଣଙ୍କ ସମ୍ମୁଖରେ ପରିପ୍ରକାଶ କରୁଛି । ଯେହେତୁ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ବକ୍ତବ୍ୟ ଦେଉ ଦେଉ ପରୋକ୍ଷରେ ଅନେକ ବିଷୟରେ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍‍ ବାବଦରେ ପ୍ରକାଶ କରିଛନ୍ତି, ସେହି ଷଡ଼ଯନ୍ତ୍ରର ଗୁମର କେବେ ଶ୍ରୀ ପ୍ରଧାନ ଖୋଲିବେ ତାହା ଓଡ଼ିଶାବାସୀ ଉକ୍ରଣ୍ଠାର ସହିତ ଅପେକ୍ଷା କରିଛନ୍ତି । ଯଦି ସତ୍‍ସାହସ ଅଛି, ତେବେ ସେ ସତ କହିବା ଶିଖନ୍ତୁ ବୋଲି ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି ।

ଆଜି ଧର୍ମେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଯଦି ରାଜ୍ୟ ସରକାରଙ୍କ ପାଖରେ ଇଞ୍ଚେ ବି ସତ୍ୟତା ଥାଏ, ତା ହେଲେ ତାଙ୍କୁ ନୋଟିସ କରନ୍ତୁ। ସେ ଆଇନରୁ ଉର୍ଦ୍ଧ୍ବରେ ନୁହଁନ୍ତି, ଦେଢ ବର୍ଷରେ ଯଦି ସରକାରଙ୍କ ପାଖରେ ତଥ୍ୟ ପ୍ରମାଣ ଅଛି ତେବେ କୁହନ୍ତୁ। ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପ୍ରମାଣ ଥିଲେ ତାଙ୍କୁ ଜେଲ ପଠାନ୍ତୁ ବୋଲି ଧର୍ମେନ୍ଦ୍ର କହିଥିଲେ । କିନ୍ତୁ ୨୦ ଲକ୍ଷ ଲୋକଙ୍କ ଟଙ୍କା ଖାଇକି ନେତା ମନ୍ତ୍ରୀ  ଶୋଇଥିଲା ବେଳେ ସରକାର କମିଶନ ବଶାଇଛନ୍ତି। ଏବେ ମାମଲା କୋର୍ଟରୁ ସିବିଆଇ ପାଖକୁ ଗଲାଣି ।

Share

Leave a Reply

Your email address will not be published. Required fields are marked *

one + fifteen =