ନିର୍ବାଚନ ଲଢିବାକୁ ପାଉନି ଆତ୍ମବିଶ୍ବାସ ?

ଭୁବନେଶ୍ବର () ଚଳିତ ନିର୍ବାଚନରେ ବିଧାନସଭା କି ଲୋକସଭାରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ବୋଧହୁଏ ଆତ୍ମବିଶ୍ବାସ ସୃଷ୍ଟି କରିପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳର ଦୁଇଟି ପର୍ଯ୍ୟାୟରେ 121ଟି ବିଧାନସଭା ଏବଂ 16ଟି ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଲାଣି । କିନ୍ତୁ ଏଭିତରେ କେଉଁଠି ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନାହିଁ । ତାଙ୍କ ନିଜ ଜିଲ୍ଲାର ତାଳଚେର, ଅନୁଗୁଳ, ପାଲଲହଡା ଏବଂ ପଡୋଶୀ ଦେବଗଡ ଏସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇସାରିଲାଣି । ପୂର୍ବରୁ ନିଜେ ଧର୍ମେନ୍ଦ୍ର ପ୍ରଧାନ ଏଥର ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ ବି ବର୍ତ୍ତମାନର ପାଣିପାଗକୁ ଦେଖିଲେ ସେ ଲଢିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏପଟେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଭୁବନେଶ୍ବରରୁ ଯାଜପୁର, ଚଣ୍ଡିଖୋଲ, ରାଜନଗର, ଭଦ୍ରକ, ବରଗଡ, ଲକ୍ଷ୍ମୀପୁର ସବୁଠି ଆଶାୟୀମାନେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ତିନି ଦିନ ହେଲା ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ପଡୁଛି । ଚର୍ଚ୍ଚା ହେଉଛି, ଧର୍ମେନ୍ଦ୍ର ପ୍ରଧାନ ନିଜ ଜିଲ୍ଲା ଛାଡି ଏବେ ଭୁବନେଶ୍ବର ଉତ୍ତର ଓ ପାରାଦ୍ବୀପକୁ ଆଖେଇଛନ୍ତି । ଦଳର ଯୁବ ନେତା ଦିଲ୍ଲୀପ ମହାନ୍ତିଙ୍କୁ ଭରସା କରି ଭୁବନେଶ୍ବର ଉତ୍ତର କିମ୍ବା ଡାକ୍ତର ଦାମୋଦର ରାଉତଙ୍କୁ ଭରସା କରି ପାରାଦ୍ବୀପ ଆଡେ ମୁହାଁଇଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ ଆକଳନ କହୁଛି, କେନ୍ଦ୍ରମନ୍ତ୍ରୀ ବୋଧହୁଏ ପ୍ରତ୍ୟକ୍ଷ ନିର୍ବାଚନ ଲଢିବାକୁ ଆତ୍ମବିଶ୍ବାସ ଜୁଟାଇ ପାରୁନାହାଁନ୍ତି । କିମ୍ବା କେନ୍ଦ୍ରୀୟ ନେତାମାନେ ତାଙ୍କ ଜିତାପଟକୁ ନେଇ ଭରସା କରିପାରୁନାହାଁନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଗତ ଦୁଇ ବର୍ଷ ହେଲା ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା, ନିଯୁକ୍ତି ଆଦି ପ୍ରସଙ୍ଗକୁ ନେଇ ଯେଉଁ ବାହାସ୍ଫୋଟ ମାରୁଥିଲେ, ତାହା ଯେ ନିର୍ବାଚନୀ ଧୁଆଁବାଣ ତାହା ପ୍ରମାଣିତ ହୋଇଯାଇଛି । ଏପରିକି ଉଜ୍ଜ୍ବଳା ଯୋଜନାର କାର୍ଯ୍ୟକାରିତା ନେଇ ବି ପ୍ରଶ୍ନ ଉଠୁଛି । ତେଣୁ ନିଜର ଅପାରଗତାକୁ ନେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଚାହୁଁନାହାଁନ୍ତି ବୋଲି ବିଜେଡି ନେତାମାନେ କଟାକ୍ଷ କରିଛନ୍ତି । ଏଥିସହିତ ସେ ନିଜକୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁଥିଲେ ବି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଏବଂ ଲୋକପ୍ରିୟତାର ସମକକ୍ଷ ହୋଇପାରୁନାହାଁନ୍ତି । ତେଣୁ ସେ ନିର୍ବାଚନ ନଲଢି ବ୍ୟାକଡୋର ପରିଟିକ୍ସ କରିବେ ବୋଲି କହିଛନ୍ତି କିଛି ବିଜେଡି ନେତା । ଏହାର ଜବାବ ଦେଇ ବିଜେପି ନେତାମାନେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ପ୍ରଚାର ଦାୟିତ୍ବ ତୁଲାଉଛନ୍ତି । ତେଣୁ ଦଳର ସଫଳତା ପାଇଁ ସେ ଏବଂ କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ।

Share

Leave a Reply

Your email address will not be published. Required fields are marked *

4 × two =