ହାରୁ ନେତା ସ୍ଥିତି ଜାହିର ପାଇଁ କରୁଛନ୍ତି ସାମ୍ବାଦିକ ସମ୍ମିଳନୀ : ବିଜେଡି

ଭୁବନେଶ୍ବର () ରାଜ୍ୟ ବିଜେପି ହାତରେ ଏବେ କୌଣସି ପ୍ରସଙ୍ଗ ନଥିବାରୁ ଯାଜପୁର ଘଟଣାକୁ ବାହାନା କରି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ହୀନ ରାଜନୀତି କରୁଛି । ରାଜନୀତିରେ ଅସ୍ଥିତ୍ବ ହରାଇଥିବା ଦଳର ହାରୁ ନେତାମାନଙ୍କ ସ୍ଥିତି ଜାହିର ପାଇଁ ଏଭଳି ସାମ୍ବାଦିକ ସମ୍ମିଳନୀ ଏବେ ପ୍ଲାଟଫର୍ମ ପାଲିଟିଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍‍ ମହାନ୍ତି ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ କେବଳ ସାମ୍ବାଦିକ ସମ୍ମିଳନୀ କରିବା ଛଡା ଦଳ ହାତରେ କୌଣସି ପ୍ରମାଣ ନାହିଁ । ଯଦି ଏହି ଘଟଣାରେ ବିଜେପି ହାତରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ତାହାକୁ ପୁଲିସ୍‍ କିମ୍ବା ଅଦାଲତରେ ଦେବା ଆବଶ୍ୟକ । କିନ୍ତୁ ଦଳୀୟ ନେତାମାନେ ଏହା ନକରି କେବଳ ରାଜନୀତି କରିବାଲାଗି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଡାକି ବୟାନବାଜି କରୁଛନ୍ତି । ମିଛ କହିବାର ଗୋଟିଏ ସୀମା ଅଛି, ହେଲେ ରାଜ୍ୟ ବିଜେପି ନେତାମାନେ ସେହି ସୀମା ଟପିଯାଇଛନ୍ତି । ଜଣେ ମହିଳା କର୍ମଚାରୀଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ଘଟଣାରେ ମନଗଢା ଖବର ସୃଷ୍ଟି କରୁଛନ୍ତି ଯାହାକି ପୁଲିସ୍‍ ତଦନ୍ତରେ ବାଧା ଉପୁଯାଉଛି ।

ଏହି ଘଟଣାରେ ପୁଲିସ୍‍ ତାହାର ତଦନ୍ତ ଜାରି ରଖିଥିବାବେଳେ ଜଣଙ୍କୁ ଗିରଫ କରିଛି । ହେଲେ ରାଜନୀତି ପାଇଁ ବିଜେପି ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଅତୀତରେ ମଧ୍ୟ କେତେକ ସ୍ପର୍ଶକାତର ଘଟଣାରେ ବିଜେପି ଏଭଳି ଆଚରଣ କରିଛି । ବିଜେଡିର ଶତ ଅନୁରୋଧ ସତ୍ତ୍ବେ ଦଳୀୟ ନେତାମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ହୋଇନଥିବାବେଳେ ଓଡିଶାବାସୀ ଏହାର ଜବାବ ଦେବେ । ସେ କହିଛନ୍ତି ଯେ ଓଡିଶାରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଦେଶର ବିଜେପି ଶାସିତ ରାଜ୍ୟ ଗୁଡିକ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଛି । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସଦ୍ୟତମ ରିପୋର୍ଟ ଅନୁଯାୟୀ ଅପରାଧ ପଞ୍ଜିକରଣ କ୍ଷେତ୍ରରେ ଓଡିଶା ୧୫ତମ ସ୍ଥାନରେ ଥିବାବେଳେ ୧୦ଟି ବିଜେପି ଶାସିତ ରାଜ୍ୟ ଏହା ପଛରେ ଅଛନ୍ତି । ବିଜେପି ଶାସିତ ରାଜ୍ୟ ଗୁଡିକରେ ଆଇନ୍‍ ଶୃଙ୍ଖଳା ନିୟନ୍ତ୍ରଣର ସ୍ଥିତି କଣ ଏଥିରୁ ତାହା ଜଳ ଜଳ ହୋଇ ଦିଶୁଛି । ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ସର୍ବୋଚ୍ଚ ସ୍ତରରେ ରହିଛି । ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମ ରହିଛନ୍ତି । ୨୦୧୭ରେ ଏନ୍‍ସିଆରବି ରିପୋର୍ଟ ପ୍ରସ୍ତୁତି ବେଳକୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଥିଲା । ସେହିଭଳି ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଧର୍ଷଣ କ୍ଷେତ୍ରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବାବେଳେ ଏଠାରେ ବିଜେପି ନେତାମାନେ ମହିଳାଙ୍କ ସୁରକ୍ଷାକୁ ନେଇ କୁମ୍ଭୀରକାନ୍ଦଣା କାନ୍ଦିବା ଆଦୌ ଶୋଭା ପାଉନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଓଡିଶାର ଆଇନ୍‍ ଶୃଙ୍ଖଳା ପରିସ୍ଥିତିକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ବିଜେପି ନେତାମାନେ ନିଜ ଦଳର ଶାସନ ଚାଲିଥିବା ରାଜ୍ୟ ଗୁଡିକୁ ପ୍ରଥମେ ଦେଖିବା ଦରକାର । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ ସହିତ ଯେ କୌଣସି ମାମଲା ଯେଭଳି ସହଜରେ ଥାନାରେ ରୁଜୁ ହୋଇପାରିବ ସେଥିପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ବିଜେପି ଶାସିତ ରାଜ୍ୟ ଗୁଡିକରେ ପରିଲକ୍ଷିତ ହୁଏନାହିଁ । ଏଭଳି ସ୍ଥିତିରେ ବିଜେପି ନେତାମାନେ ଓଡିଶାକୁ ଦୋଷ ଦେବା ପୂର୍ବରୁ ଥରେ ନିଜ ଦଳର ସରକାର ଶାସନ କରୁଥିବା ରାଜ୍ୟ ଗୁଡିକରେ କିଭଳି ଅପରାଧ ଓ ମହିଳା ହିଂସାର ସ୍ଥିତି ରହିଛି ତାହା ପରଖିନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 10 =