ବିଜେପିରୁ ଇସ୍ତଫା ଦେଲେ ଦାମ

ଭୁବନେଶ୍ୱର () ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଜୀବନରେ ଲାଗିଲା ପୂର୍ଣ୍ଣଛେଦ । ବିଜେଡିରୁ ବହିସ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ପାଣିପାଗ ସୁହେଇଲା ନାହିଁ କି ବିଜେପି ଵାଲା ବି ଆଉ ପଚାରୁନାହାନ୍ତି । ତେଣୁ ଦୁଃଖ ଓ ପରିତାପର ସହ ମାନସିକ ଅସନ୍ତୁଳନ ଭିତରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି ।

ବିଜେଡିରେ ନେତୃତ୍ୱ ବିରୋଧରେ କହି ବିଦା ହୋଇଥିଲେ ।। ବିଜେପିରେ ତାଙ୍କର ଆଉ ଗୁରୁତ୍ୱ ନଥିବାରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡିରୁ ବିଦାହେବା ପରେ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ଡାକ୍ତର ରାଉତ ତାଙ୍କର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେ ବିଜେଡି କିମ୍ବା ଏହାର ନେତା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିନଥିଲେ । ସେ ମନ୍ତ୍ରୀ ଥିବା ବିଭାଗରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବା ସହିତ ଏହାର ତଦନ୍ତ ଦାବି କରି ମନ୍ତ୍ରୀମଣ୍ଡଳ ଓ ବିଜେଡିରୁ ବହିଷ୍କାର ହୋଇଥିଲେ ।

ପରବର୍ତ୍ତୀ ସମୟରେ ସୂଚନା ଅଧିକାରକର୍ମୀମାନଙ୍କ ସହ ସାମିଲ ହୋଇ ରାଜ୍ୟ ବୁଲି ବୁଲି ଶାସନକଳରେ ସୃଷ୍ଟି ହୋଇଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଏଭଳି ସ୍ଥିତିରେ ବିଜେପି ନେତାମାନେ ତାଙ୍କୁ ଦିଲ୍ଲୀ ନେଇ ସେଠାରେ ଜାତୀୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ସାମିଲ କରିଥିଲେ । ସଦସ୍ୟତା ଗ୍ରହଣପରେ ରାଜ୍ୟରେ ପ୍ରଚାର କମିଟିର ଆବାହକ ଭାବେ ସ୍ୱତନ୍ତ୍ର ଦାୟିତ୍ୱ ଦେଇ ସାଧାରଣ ନିର୍ବାଚନ ସମୟରେ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବାପାଇଁ ତାଙ୍କୁ ନିୟୋଜିତ କରାଯାଇଥିଲା ।

ହେଲେ ନିର୍ବାଚନ ପରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କର ଉପସ୍ଥିତି ବା ସମ୍ପୃକ୍ତି ଆଦୌ ଆବଶ୍ୟକ ହେଉନଥିବା ସେ ଅନୁଭବ କରୁଛନ୍ତି । ଏହା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଛି । ରାଜ୍ୟ ବିଧାନସଭାରେ ୩୫ବର୍ଷର ବିଧାୟକ ଏବଂ ୬ଥର କ୍ୟାବିନେଟ୍‍ ମନ୍ତ୍ରୀଭାବେ କାର୍ଯ୍ୟ କଲାପରେ ଦଳ ଏଭଳି ଅଲୋଡା କରିବାଯୋଗୁଁ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାପାଇଁ ବାଧ୍ୟ ହୋଇଛନ୍ତି ।

ପରିଣତ ବୟସରେ ଦଳୀୟ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ କରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜଣେ ଉତ୍ସର୍ଗୀକୃତ ଅନୁଗତଭାବେ ରାଜ୍ୟ ଓ ରାଜ୍ୟବାସୀଙ୍କର ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ଲାଗି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି । ତେବେ ବିଜେପି କିମ୍ବା ଏହାର ନେତୃତ୍ୱ ବିରୁଦ୍ଧରେ ତାଙ୍କର କୌଣସି ଅସୂୟାଭାବ ନଥିବା ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + six =