ଲୋକଙ୍କ ଦୁର୍ଦ୍ଦିନରେ ନାହାଁନ୍ତି ଦାମ ରାଉତ ଓ ବୈଜୟନ୍ତ

ଭୁବନେଶ୍ବର () 1999 ମହାବାତ୍ୟାର କରଳକାୟ ରୂପ ଏଯାଏଁ ଲୋକଙ୍କ ମନରୁ ଲିଭିନି । ବାତ୍ୟା କଥା ଶୁଣିଲେ କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଲୋକେ ଆତଙ୍କିତ ହୋଇପଡୁଛନ୍ତି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନମାନେ ପୂରା ଦମରେ ଲାଗିଛନ୍ତି । କେଉଁଠି ତଳି ଅଂଚଳର ଲୋକଙ୍କ ସ୍ଥାନନ୍ତର କରାଯାଉଛି ତ କେଉଁଠି ରିଲିଫ ସରଂଜାମ ମହଜୁଦ କରାଯାଉଛି । ଏଭଳିସ୍ଥିତିରେ ବାତ୍ୟା ଆଶଙ୍କା ଥିବା ସବୁ ଜିଲ୍ଲାର ଜିଲ୍ଲା ପ୍ରଶାସନ ସହ ହାତ ମିଳାଇଛନ୍ତି ସ୍ଥାନୀୟ ନେତା ଓ ଲୋକ ପ୍ରତିନିଧି । ହେଲେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଦୁଇ ଚର୍ଚ୍ଚିତ ନେତା ଡାକ୍ତର ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଦେଖା ଦର୍ଶନ ମିଳୁନି ।

ଏହି ଦୁଇ ନେତା ବିଜେଡିରୁ ବାହାରିବା ପରେ ରାଜନୀତିରେ ବେଶ ଚର୍ଚ୍ଚାରେ ଥିଲେ । ବୈଜୟନ୍ତ ପଣ୍ଡା ନିଜ ଲୋକପ୍ରିୟତା ବଢାଇବାକୁ “ହେଇ ଯାଉ” ନାମକ କାର୍ଯ୍ୟକ୍ରମ ଜରିଆରେ ରାଜନୀତି ଚର୍ଚ୍ଚା କରି ବିଜେଡି ସରକାର ବିରୋଧରେ ପ୍ରଚାର କରୁଛନ୍ତି । ସେହିଭଳି ଦାମ ବାବୁ ମଧ୍ୟ ଭୁବନେଶ୍ବର, ମହାଙ୍ଗା, ନମାପଡା ବୁଲି ବିଜେଡି ଓ ଏହାର ମୁଖ୍ୟଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ହେଲେ ଠିକଣା ସମୟରେ ସାଧାରଣ ଲୋକଙ୍କ ସାଙ୍ଗରେ ନାହାଁନ୍ତି । ବାତ୍ୟା ଆସୁଛି ଜାଣି ମଧ୍ୟ ବୈଜୟନ୍ତ ବାବୁ ଦିଲ୍ଲୀ ପଲେଇଥିବା ବେଳେ ଦାମ ବାବୁ ଭୁବନେଶ୍ବରରେ ବସିଛନ୍ତି ।

ଗତ 1999 ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଜଗତସିଂହପୁର ପରେ କେନ୍ଦ୍ରାପଡାରେ ମଧ୍ୟ ମହାବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଥିଲା । 1999 ମହାବାତ୍ୟା ଭଳି ତିତଲିର ପ୍ରଭାବକୁ ନେଇ ମଧ୍ୟ ଉପକୂଳିଆ ଜଗତସିଂହପୁର ଓ କେନ୍ଦ୍ରାପଡାବାସୀ ଆତଙ୍କିତ ହୋଇପଡିଲେଣି । ଏହି ଦୁଇ ଜିଲ୍ଲାରେ ମଧ୍ୟ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଦୁଇ ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବା ଦୁଇ ଚର୍ଚ୍ଚିତ ନେତା ଲୋକଙ୍କ ସାଙ୍ଗରେ ନାହିଁନ୍ତି ।

ବାତ୍ୟା ଆସି କ୍ଷୟକ୍ଷତି କରି ଚାଲିଯିବା ପରେ ଏହି ଦୁଇ ନେତା ଗଣମାଧ୍ୟମରେ ମୁହଁ ଦେଖାଇ ମିଛ ଲୁହ ଗଡାଇବା ସହ ସରକାର ବିଫଳ ବୋଲି ଅଭିଯୋଗ କରିବେ । କିନ୍ତୁ ଜନପ୍ରତିନିଧି ଭାବେ ସେମାନଙ୍କର କଣ ନିଜ ଅଂଚଳବାସୀଙ୍କ ସହ ରହିବା ଏବଂ ବାତ୍ୟା ମୁକାବିଲା ପାଇଁ ସହଯୋଗର ହାତ ବଢିବା ସେମାନଙ୍କ ଦାୟିତ୍ବ ନୁହେଁ । ଜଣେ ଦିଲ୍ଲୀରେ ବସି ସରକାରଙ୍କ ବିଫଳତା ମାପିବେ ଆଉ ଜଣେ ଭୁବନେଶ୍ବରର ଚାରି କାନ୍ଥ ମଧ୍ୟରେ ବସି ରହି ଢଗ-ଢମାଳି ସହ ସରକାରଙ୍କ ବିଫଳତା ବଖାଣିବେ । ଏହାକୁ କଣ ସାଧାରଣ ଲୋକ ଗ୍ରହଣ କରିବେ?

1999 ବାତ୍ୟା ପାଇଁ କୁଆଡେ ଦାମ ବାବୁଙ୍କ ହୃଦୟ ଆଜି ବି କାନ୍ଦୁଛି  । ସେପଟେ ଯେତେବେଳେ ସାଂସଦ ଥିଲେ ସେତେବେଳେ ବୈଜୟନ୍ତ ବାବୁ ସାମାନ୍ୟ ବର୍ଷା ହେଲେ ବି ନିଜ ହେଲିକ୍ୟାପ୍ଟର ନେଇ କେନ୍ଦ୍ରାପଡାରେ ପହଁଚି ବିସ୍କୁଟ, ଚୁଡା ବାଣ୍ଟୁଥିଲେ । କେଉଁଛି ଚାଳ ଘରେ ବସି ମିଛି ମିଛିକା ପଇଡ ପିଉଥିଲେ ତ କେଉଁଛି ଚା କପକୁ ହାତରେ ଥରି ପିଇବାର ନାଟକ କରି ଫଟୋ ଉଠାଇ ଫେସବୁକରେ ସେୟାର କରି ବାହାଦୁରୀ ଦେଖାଉଥିଲେ । ଏବେ ତାଙ୍କର ସେ କେନ୍ଦ୍ରାପଡାବାସୀଙ୍କ ପ୍ରତି ପ୍ରେମ କୁଆଡେ ଗଲା । ଯେଉଁ ନିର୍ବାଚନମଣ୍ଡଳୀରୁ ଦୁଇ ଥର ସାଂସଦ ହେଲେ, ସେହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧି ବିହିନ କରିଦେଇଛନ୍ତି । ତାଙ୍କୁ ନିର୍ବାଚିତ କରିଥିବା ଭୋଟରଙ୍କ ଦୁର୍ଦ୍ଦିନରେ ଛିଡା ହେବା ପରିବର୍ତ୍ତେ ନିଜ ଦିଲ୍ଲୀ ଚାଲିଯାଇଛନ୍ତି । କେବଳ କଣ କ୍ଷମତାରେ ରହିଲେ ଲୋକଙ୍କ ସାଙ୍ଗରେ ରହିବେ, ନହେଲେ ତାଙ୍କୁ ରାଜନୀତିରେ ପ୍ରତିଷ୍ଠା ଦେଇଥିବା ଭୋଟର କେହି ନୁହଁନ୍ତି । ବୈଜୟନ୍ତ ପଣ୍ଡା ଓ ଦାମ ବାବୁଙ୍କର ସାଧାରଣ ଲୋକ ଓ ଭୋଟର ପ୍ରତି କଣ ଏଇ ମାନସିକତା ? ଏହା କଣ ଜଣେ ଉତ୍ତମ ରାଜନେତାର ପରିଚୟ, ନା ଜଣେ ସୁବିଧାବାଦୀ ରାଜନେତାର ପରିଚୟ? ଏକଥା ରାଜ୍ୟବାସୀ ବିଚାର କରିବେ ।

Share

Leave a Reply

Your email address will not be published. Required fields are marked *

seven + sixteen =