ସଙ୍କଟରେ କଂଗ୍ରେସ, ଚିନ୍ତାରେ ମଙ୍ଗୁଆଳ

ଭୁବନେଶ୍ବର () ରାଜ୍ୟ କଂଗ୍ରେସରେ ଏବେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ କଂଗ୍ରେସ ବିଧାୟକମାନେ ପିପିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ହଟେଇ ତାଙ୍କ ସ୍ଥାନରେ ନିରଂଜନ ପଟ୍ଟନାୟକଙ୍କୁ ଦାୟିତ୍ବ ଦେବାକୁ ଦିଲ୍ଲୀରେ ଲବି କରୁଥିଲେ, ସେମାନଙ୍କ ମଧ୍ୟରୁ କିଛି ଏବେ ହାତ ଛାଡି ଶଙ୍ଖ ଧରିବାକୁ ଆଗ୍ରହୀ । ପ୍ରଦେଶ କଂଗ୍ରେସ କମିଟିର ପରିବର୍ତ୍ତନ ହେଉନଥିବାରୁ ସେମାନେ ଅସନ୍ତୋଷ ଜାହିର କରି ଏଆଇସିସିର ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇବା ସହ ଏକଦା ସମୁହ ଇସ୍ତଫା ଦେବାକୁ ଧମକ ଦେଇଥିଲେ ।

କିଛି ପୂର୍ବତନ ବିଧାୟକ ଏଭିତରେ ଦଳ ଛାଡିଥିବା ବେଳେ, ବର୍ତ୍ତମାନର ୪ ବିଧାୟକ ଅନ୍ୟ ଦଲକୁ ଡେଇଁବା ପାଇଁ ଗୋଡ ଟେକି ବସିଛନ୍ତି। ବିଧାୟକ ନବ ଦାସ, ଯୋଗେଶ ସିଂ, ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀଙ୍କ ଭଳି ବିଧାୟକ ବିଜେଡି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି। ଏହା ରାଜ୍ୟ କଂଗ୍ରେସର ନେତୃତ୍ବକୁ ଚିନ୍ତାରେ ପକାଇଛି । ଗୋଟେପଟେ ନିରଂଜନ ସାଂଗଠନିକ ଦାୟିତ୍ବ ନେବା ପରେ 2019ରେ ରାଜ୍ୟରେ କଂଗ୍ରେସର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଦଳ ଗୋଟିଏ ଗୋଟିଏ ବଡ ଅସ୍ତ୍ର ହରାଉଛି । ଏଭଳି କାହିଁକି ହେଉଛି? ଯେଉଁ ବିଧାୟକ ଓ ନେତାମାନେ ନିରଂଜନଙ୍କୁ ଦାୟିତ୍ବ ଦେବା ଦାବିରେ ସମୁହ ଇସ୍ତଫାର ଧମକ ଦେଉଥିଲେ, ସେମାନେ କେମିତି ପଟ୍ଟ ପରିବର୍ତ୍ତନ କରୁଛନ୍ତି ?

ଏବେ ଦଳ ପାଇଁ ଆଉ ଏକ ବଡ ଚିନ୍ତା ହେଉଛି ଗୋଷ୍ଠୀ କନ୍ଦଳ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ବିରୋଧ କରୁଛନ୍ତି। ପିସିସି ସଭାପତି ପଦରେ ବସିବା ପରଠୁ ବିଭିନ୍ନ ପ୍ରସଙ୍ଗରେ ସେ ନିରଂଜନଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରୁଛନ୍ତି। କେତେବେଳେ ଖଣି ଚୋର କଥା କହି ତ କେତେବେଳେ ଓବିସି ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା ହେଉ । ଏପରିକି ସେ ପଟନାୟକ ପରିବାରର ୪୦ ବର୍ଷର ଶାସନର ନକରାତ୍ମକ ଦିଗକୁ ଗଣମାଧ୍ୟମରେ ଉଖୁରାଉଛନ୍ତି ।

ପୂର୍ବତନ ବିଧାୟକ କୄଷ୍ନଚନ୍ଦ୍ର ସଗରିଆଙ୍କ କାନ୍ଧରେ ବନ୍ଧୁକ ରଖି ଜଟିଳ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏପରିକି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଙ୍କୁ ମଧ୍ୟ କୃଷ୍ଣଚନ୍ଦ୍ର ସଗରିଆ ଯେଉଁ ଆକ୍ଷେପ କରିଛନ୍ତି ତା ପଛରେ ଶ୍ରୀକାନ୍ତଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଶ୍ରୀକାନ୍ତଙ୍କ ମୁହଁ ବନ୍ଦ ରଖିବା ଲାଗି ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ତାଙ୍କୁ ବାଦ ଦିଆଯାଇଛି। ତାଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ନିଆଯିବ ବୋଲି ରାଜ୍ୟ କଂଗ୍ରେସ ଭିତରେ ଆଲୋଚନା ହେଉଛି। କୃଷ୍ଣ ସଗରିଆଙ୍କ ବିରୋଧରେ ବି ହୋଇପାରେ କାର୍ଯ୍ୟାନୁଷ୍ଠାନ।

ଆଗକୁ ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ ବିଜେପି କ୍ଷେତ୍ର ପ୍ରସ୍ତୁତ କରିବା ସହ ଲଢ଼େଇକୁ ଜୋରଦାର କରିବାକୁ ଲାଗିଛନ୍ତି। ଠିକ୍ ଏତିକି ବେଳେ ରାଜ୍ୟ କଂଗ୍ରେସ ଗୋଷ୍ଠୀ କନ୍ଦଳ ଭିତରେ ଫଶିଛି। କିଛି ନେତା ଘର ଭିତରେ ରହି ଘର ଭାଙ୍ଗୁଛନ୍ତି। ଏମତି ଏବେ ପିସିସି ସଭାପତିଙ୍କ ପାଇଁ ତିନୋଟି ଚ୍ୟାଲେଞ୍ଜ ଦେଖାଦଇଛି। ପ୍ରଥମତଃ ଗୋଷ୍ଠୀ କନ୍ଦଳରେ ପୂର୍ଣ୍ଣଛେଦ ପକାଇବା, ଦ୍ବିତୀୟରେ ଦଳ ଛାଡିବାକୁ ଗୋଡ କାଢି ବସିଥିବା ବିଧାୟକଙ୍କୁ ମାନଇବା ଓ ତୃତୀୟରେ ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା। ଏମିତିରେ ଆଗୁଆ ଟିକେଟ ଘୋଷଣାର ନାରା ଦେଇଥିଲେ ବି ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରିନି ତାଲିକା।

Share

Leave a Reply

Your email address will not be published. Required fields are marked *

twelve − nine =