ବୈଜୟନ୍ତଙ୍କ ଉପରୁ ଆସ୍ଥା ହରେଇଲେଣି ବିଜେପି, କଂଗ୍ରେସ

ଭୁବନେଶ୍ବର () ବିଜେଡିରୁ ଅଲୋଡା ହୋଇଯିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବେ କେଉଁ ରାଜନୈତିକ ଦଳ କିମ୍ବା ମଂଚର ଆଶ୍ରୟ ନେବେ ସେନେଇ ଥଳକୂଳ ପାଉନାହାଁନ୍ତି । କେତେବେଳେ ବିଜେପି ଆଡେ ତ କେତେବେଳେ କଂଗ୍ରେସ ପୁଣି କେତେବେଳେ ନୂଆ ଦଳ ଗଢିବା ଚର୍ଚ୍ଚା ହେଉଛି ।ସ୍ଥିତି ଏମିତି ହୋଇଛି ଯେ, କେନ୍ଦ୍ରାପଡାର ଏହିପୂର୍ବତନ ସାଂସଦ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବାର ଅଢେଇ ମାସ ପରେ ମଧ୍ୟ ନିଜର ରାଜନୈତିକ ଭବିଷ୍ୟତ ନେଇ ନିଷ୍ପତ୍ତି ନେଇପାରୁନାହାଁନ୍ତି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବିଜେଡିରୁ ବହିଷ୍କୃତ ବିଧାୟକ ଦାମୋଦର ରାଉତଙ୍କ ପରି ବୈଜୟନ୍ତଙ୍କ ପ୍ରତି ମଧ୍ୟ ଅନ୍ୟ ନେତା ଓ ଦଳ ଭରସା କରିପାରୁନାହାଁନ୍ତି ।

ନିକଟରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀଙ୍କ ନିକଟରେ ବୈଜୟନ୍ତ ବସିଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଏହାର କିଛି ଦିନ ପରେପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଗୁପ୍ତରେ ଭେଟିଲେ । ଏହି ଗୁପ୍ତ ବୈଠକର କୌଣସି ଫଟୋ ଯଦିଓ ପ୍ରକାଶ ପାଇନାହିଁ, ତଥାପି ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏମତି ଚର୍ଚ୍ଚା ଭିତରେ ଦାମ ରାଉତ ନୂଆ ଦଳ ଗଠନ ସଂପର୍କରେ କଂଗ୍ରେସ ଭବନରେ ଯେଉଁ ବାଣ ମାରିଲେ ସେଥିରି ବୈଜୟନ୍ତଙ୍କ ନାଁ ନେଇଯିବାରୁ ବିଜେପି ନେତାଙ୍କ ଶିବିରରେ ମଧ୍ୟ ସେ ଏବେ ଅସ୍ପୃଶ୍ୟ ହୋଇଯାଇଛନ୍ତି ।

ଏଇମାତ୍ର ଦୁଇ ଦିନ ପୂର୍ବରୁ ଦାମ ରାଉତ କହିଥିଲେ ଯେ, ରାଜ୍ୟରେ ଏକ ନୂଆ ଆଂଚଳିକ ଦଳ ଗଠନ ହେବ, ଏହା ପଛରେ ବୈଜୟନ୍ତଙ୍କର ସମର୍ଥନ ରହିଛି । ବୈଜୟନ୍ତ କିନ୍ତୁ ଏହାକୁ ସ୍ବୀକାର ନକରି ସୋସିଆଲ ମିଡିଆରେ ଏହାକୁ ତୁରନ୍ତ ଖଣ୍ଡନ କରିଥିଲେ । ବରଂ ସେ ନିଜ ଭବିଷ୍ୟତ ରଣନୀତି ସ୍ପଷ୍ଟ କରିବାକୁ ଯାଇ କହିଥିଲେ ଯେ, ସେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି ଏବଂ ଓଡିଶାର ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା କରୁଛନ୍ତି । ସବୁ ବିକଳ୍ପ ଖୋଲା ରହିଛି । ଯେ କୈାଣସି ନିଷ୍ପତ୍ତି ନେବେ ତାହା ସେନିଜେ କହିବେ, ଅନ୍ୟ କାହା ମାଧ୍ୟମରେ ନୁହେଁ ।

ଏମିତି କହି ସେ ପରୋକ୍ଷରେ ଦାମ ରାଉତଙ୍କ ଉକ୍ତିକୁ ଖଣ୍ଡନ କରିଥିଲେ । ରାଜନୈତିକ ସମୀକ୍ଷକମାନେ ଏବେ ବୈଜୟନ୍ତଙ୍କ ଏଭଳି ଘଡିକୁ ଘଡି ରଙ୍ଗ ବଦଳାଉଥିବା ଏଣ୍ଡୁଏର ମାନସିକତା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । ବିଜେଡିରୁ ସେ ନିଲମ୍ବିତ ହେବାର ମୂଳ କାରଣ ଥିଲା, ବିଜେପି ଶୀର୍ଷ ନେତା ଓ ରାଜ୍ୟର ମଙ୍ଗୁଆଳମାନଙ୍କ ସହ ଭିତିରି ସମ୍ପର୍କ ରଖି ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ହେବା । ଯଦି  ବିଜେଡିରୁ ନିଲମ୍ବିତ ହେବା ସମୟରେ ସେ ବିଜେପି ସହ ଉତ୍ତମ ସଂପର୍କରେ ଥିଲେ, ତେବେ ତତକ୍ଷଣାତ ବିଜେପିରେ ଯୋଗ ଦେଇଦେବା କଥା । କିନ୍ତୁ ସେ ବିଜେପିକୁ ଯାଇପାରୁନାହାଁନ୍ତି । ସେପରି ପରବର୍ତ୍ତି ସମୟରେ ଚର୍ଚ୍ଚା ହେଲା ଯେ, ସେ ଓ ଦାମ ରାଉତ ମିଳିତ ବାବେ ବିଜୁ କ୍ରାନ୍ତି ଦଳ ଗଠନ କରି କଂଗ୍ରେସ ସହ ରାଜନୈତିକ ମେଣ୍ଟ କରିବେ । କିନ୍ତୁ ବିଜୁ କ୍ରାନ୍ତି ଦଳ ଗଠନ ପ୍ରସଙ୍ଗରେ ସେ ଦାମ ରାଉତଙ୍କୁ ବିରୋଧ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଏବେ ଦେଖିବାକୁ ଗଲେ ରାଜ୍ୟର ରାଜନୈତିକ ପାଣିପାଗ ମଧ୍ୟରେ ବୈଜୟନ୍ତ ଓ ଦାମବାବୁଙ୍କ ମଧ୍ୟରେ ବେଶ ଭଲ ସଂପର୍କ ସୃଷ୍ଟି ହୋଇଛି । ତେଣୁ ଦାମ ବାବୁଙ୍କ ନିକଟତମ ସୂତ୍ର ଅନୁଯାୟୀ, ବୈଜୟନ୍ତ ବାବୁ ପ୍ରାଣପଣେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ନିଜ ବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କାହିଁକି କେଜାଣି ବିଜେପି ରାଜ୍ୟ ନେତାମାନେ ଆଉ ବୈଜୟନ୍ତଙ୍କୁ ଭରସା କରିପାରୁନାହାଁନ୍ତି । ସେପଟେ ବିଜେପି ସହ ତାଙ୍କର ରହିଥିବା ସଂପର୍କର ପୃଷ୍ଟଭୂମୀରେ ତାଙ୍କୁ କଂଗ୍ରେସ ବି ବିଶ୍ବାସକୁ ନେଇପାରୁନାହାଁନ୍ତି । ତେଣୁ ଦେଖିବାକୁ ଗଲେ ବୈଜୟନ୍ତ ଦୁଇ ନାଆରେ ଗୋଡ ଦେଇ ବାଜି ମାରିବାକୁ ଯେଉଁ ଚେଷ୍ଟା କରିଥିଲେ ତାହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଦୁଇ ଆଉ ବିଶ୍ବାସ ହରାଇଲେଣି ।

Share

Leave a Reply

Your email address will not be published. Required fields are marked *

2 × 2 =