୭ ପେଟ୍ରୋ କମ୍ପାନୀର ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ : କଂଗ୍ରେସ

ଭୁବନେଶ୍ବର () ବହି ବିଜ୍ଞାପନ ନାଁରେ ଓଡ଼ିଶା ରାଜ୍ୟ ବିଜେପି ନେତାମାନେ ସାତୋଟି ସରକାରୀ ପେଟ୍ରୋ କମ୍ପାନୀର ଶହ ଶହ କୋଟି ଟଙ୍କା ଲୁଟ କରିବା ଘଟଣା ଏବେ ନଜରକୁ ଆସିଛି । ଏକ ଖବର କାଗଜରେ ପ୍ରକାଶିତ ତଥ୍ୟ ଏବଂ ଆମେ ସଂଗ୍ରହ କରିଥିବା ପ୍ରମାଣ ଓ ବିବରଣୀ ଅନୁଯାୟୀ ବିଭାଗୀୟ ବଡପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଜ୍ୟ ବିଜେପି ନେତାମାନଙ୍କ ଦ୍ବାରା କରାଯାଇଥିବା ଅନାମଧେୟ ଏବଂ ଅଣପଂଜିକୃତ ଟ୍ରଷ୍ଟକୁ ବହି ଛାପିବା ବାବଦରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଗେଲ, ଓଏନଜିସି, ଓଆଇଏଲ ଏବଂ ଇଆଇଏଲ ପ୍ରଭୃତି ପେଟ୍ରୋକମ୍ପାନୀ ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଜ୍ଞାପନ ଦେଇଛନ୍ତି । ବିଜେପି ନେତାମାନଙ୍କର ଏହି ଅନାମଧେୟ ଟ୍ରଷ୍ଟ ଗଢ଼ାଯିବାର ମାସେ ଦୁଇମାସ ମଧ୍ୟରେ ପେଟ୍ରୋ କମ୍ପାନୀମାନେ କେଉଁ ମାପକାଠିର ବହି ଛାପିବାକୁ କୋଟି କୋଟି ଟଙ୍କା ଦେଇଛନ୍ତି? ତାହାପୁଣି ମୂଲ୍ୟହୀନ ଇଂଟରନେଟ ଫଟୋ ସମ୍ମିଳିତ କଲର ଫଟୋକପି ବାହାର କରାଯାଇ ବନ୍ଧେଇ ହୋଇଥିବା ମାତ୍ର ୫୦ ଖଣ୍ଡ ବହି ବାବଦକୁ । ଏପରିକି କୌଣସି ବହିରେ ପ୍ରକାଶକ ଏବଂ ମୁଦ୍ରକଙ୍କର ସଂମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ । ଏ ବାବଦରେ କୋଟି କୋଟି ଟଙ୍କାର ଆୟକର, ଜିଏସଟି ଏବଂ ଅନ୍ୟାନ୍ୟ ଟିକସ ମଧ୍ୟ ହଡପ କରାଯାଇଛି ବୋଲି ଆଜି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଅଭିଯୋଗ କରିଛନ୍ତି ।

ବିଜ୍ଞାପନ ନାଁରେ ହଡ଼ପ କରାଯାଇଥିବା ପେଟ୍ରୋ କମ୍ପାନୀଗୁଡ଼ିକର ଟଙ୍କା ଜନସାଧାରଣଙ୍କ ଅର୍ଥ ଏହାକୁ ନିଜର ପୈତୃକ ସମ୍ପତି ଭାବେ ପେଟ୍ରୋ କମ୍ପାନୀମାନେ ବିଜେପି ନେତାଙ୍କର ବ୍ୟକ୍ତିଗତ ପାଣ୍ଠି ବଢ଼ାଇବା ପାଇଁ ଯେଉଁଭଳି ଘୃଣ୍ୟ ଏବଂ ନଗ୍ନ ଭାବେ ହଡ଼ପ କରି ଚାଲିଛନ୍ତି, ଏହାର ପର୍ଦାଫାସ ହେବା ପରେ ଏକଦା ଓଡ଼ିଶା ଟ୍ରାଇବାଲ ଆଣ୍ଡ ରୁରାଲ ଟୁରିଜିମ୍ କୋପରେଟିଭ୍ ସୋସାଇଟିର ମୁଖ୍ୟ ଥିବା କାର୍ପଟଦାର ସେ ଓହରି ଯାଇ ଭୁବନେଶ୍ବର ଜିଲା ବିଜେପି ସଭାପତି ହରେକୃଷ୍ଣ ଖୁଂଟିଆଙ୍କୁ ଏହାର ସଭାପତି କରିଛନ୍ତି । କେବଳ ଏହି ସଂସ୍ଥା ଅନାମଧେୟ ମୂଲ୍ୟହୀନ ବହି ଛାପି ବିଜ୍ଞାପନ ଆକାରରେ ୫୦ କୋଟିରୁ ଅଧିକ ଟଙ୍କା ନେଇଛନ୍ତି । ତାହା ବାବଦରେ କୋଟି କୋଟି ଟଙ୍କା ଟିକସ ହିଁ ଫାଙ୍କିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି।

ଏହି ସଂସ୍ଥା ଭୁବନେଶ୍ବର ଏକାମ୍ର ହାଟ ସମ୍ମୁଖରେ ଥିବା ଇଡକୋ ପ୍ରଦର୍ଶନୀ ପଡିଆରେ ଦୁଇଟି ଘର ନେଇ ଏଠାରେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟ ଚଳାଇଛନ୍ତି । ସମଗ୍ର ଟଙ୍କା ହଡପ କାରବାରରେ ଏହା କେନ୍ଦ୍ରସ୍ଥଳୀ ପାଲଟିଛି । ସାରା ଦେଶରେ ବହି ବିଜ୍ଞାପନ ର୍ୟାକେଟ୍ ଚାଲିଥିବା ବେଳେ ଓଡିଶା ବିଜେଡିର ଜଣେ ବଡ ନେତା ମୁଖ୍ୟ କାର୍ପଟଦାର ଏବଂ ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ କିଙ୍ଗପିନ୍ ସାଜିଛନ୍ତି । ବହି ବିଜ୍ଞାପନ ଏବଂ ବ୍ୟାନର ପୋଷ୍ଟର ନାଁରେ ଓଡିଶାରେ ବିଜେପି ନେତାମାନେ ପେଟ୍ରୋ କମ୍ପାନୀରୁ ୫ ଶହ କୋଟି ଟଙ୍କା ଲୁଟ କରିବାରେ ସାଂଘାତିକ ଅପରାଧ କରିବା ପରେ ମଧ୍ୟ ପେଟ୍ରୋ କମ୍ପାନୀଗୁଡିକ ନିଜର ପୈତୃକ ସମ୍ପତି ଭଳି ବ୍ୟବହାର କରିବାର ଅନ୍ୟ ଏକ ଜଘନ୍ୟ ଅପରାଧିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

ଉଜ୍ଜ୍ୱଳା ଦିଦି କେଳେଙ୍କାରୀରେ ରାତାରାତି ଟେଣ୍ଡର ଫିକ୍ସିଂ କରାଯାଇ ନିର୍ଦ୍ଧିଷ୍ଟ ସଂସ୍ଥା ମାଧ୍ୟମରେ ୩୦ କୋଟି ଚଳୁ ହୋଇଛି । ଆଇଓସିଏଲ୍ ପକ୍ଷରୁ ଉଜ୍ଜ୍ୱଳା ଦିଦିର ଟେଣ୍ଡର ଆହ୍ବାନ କରିଥିଲା । ଗତ ଜାନୁଆରୀ ୧୨ ସନ୍ଧ୍ୟାରେ ଏ ସଂପର୍କିତ ଟେଣ୍ଡର ଆହ୍ବାନ କରାଯାଇଥିଲା । ଟେଣ୍ଡର ଦାଖଲର ଶେଷ ତାରିଖ ଜାନୁଆରୀ ୧୪କୁ ଧାର୍ଯ୍ୟ କରାଯାଇଥିଲା । ଜାନୁଆରୀ ୧୨ ଦ୍ବିତୀୟ ଶନିବାରରେ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଜାନୁଆରୀ ୧୩ ତାରିଖ ରବିବାର ଛୁଟିଦିନ ଯୋଗୁଁ ଆବେଦନକାରୀ ଟେଣ୍ଡର ପକାଇବାର ସୁଯୋଗ ପାଇନଥିଲେ । ୧୪ ତାରିଖ ସୋମବାର ଦିନ ଟେଣ୍ଡର ପକାଇବା ଶେଷ ତାରିଖ ଧାର୍ଯ୍ୟ ଥିଲା । ଏଣୁ ବହୁ ସଂସ୍ଥା ଟେଣ୍ଡର ପକାଇ ପାରିନଥିଲେ । ଏପରିକି କେତେକ ସଂସ୍ଥା ଟେଣ୍ଡର ଆବେଦନ କରିବା ପାଇଁ ଆଇଓସିଏଲ ୱେବ୍ସାଇଟ୍ ଓପନ୍ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସାଇଟରେ ଏହି ଟେଣ୍ଡରଟି ଖୋଲି ନଥିଲା ବୋଲି ସେ କହିଛନ୍ତି ।

ଜାନୁଆରୀ ୧୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ହଠାତ୍ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି ବୋଲି ଆଇଓସିଏଲ୍ କର୍ତୃପକ୍ଷ ଘୋଷଣା କଲେ । ହେଲେ ନିୟମ କହୁଛି ଯେକୌଣସି ଟେଣ୍ଡର ପାଇବାକୁ ହେଲେ ଆବେଦନକାରୀଙ୍କୁ ସର୍ବନିମ୍ନ ୧୫ ଦିନର ମହଲତ ଦେବା କଥା । ତେବେ ଆଇଓସିଏଲ୍ ଦୁଇଦିନରେ ଟେଣ୍ଡର ପ୍ରକ୍ରିୟା କିପରି ସାରିଦେଲେ, ତାହା ପୁଣି ଛୁଟି ଦିନରେ? ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଇଓସିଏଲ କର୍ତୃପକ୍ଷ ତରବରିଆ ଓ ବେଆଇନ୍ ଭାବେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ପ୍ରଦାନ କରିବା ପଛରେ କି ରହସ୍ୟ ରହିଛି? କାହା ଚାପରେ ଅଛନ୍ତି ଆଇଓସିଏଲ୍ କର୍ତୃପକ୍ଷ? ଉଜ୍ଜଳା ଦିଦି ଯୋଜନା ନାଁରେ ୩୦ କୋଟି ଟଙ୍କା ଚଳୁ କରିବାକୁ ଏହା ବିଧିବଦ୍ଧ ଷଡଯନ୍ତ୍ର ନୁହେଁତ? ଏହି ସମସ୍ତ କେଳେଙ୍କାରୀ ପଛରେ ବିଜେପି ନେତାଙ୍କ ପ୍ରତ୍ୟକ୍ଷ ହାତ ରହିଥିବା ଜଣାପଡିଛି । ବିଜେପି ନେତାଙ୍କ ସହ ଘନିଷ୍ଠତା ଥିବା ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଏହି ଟେଣ୍ଡର ଦେବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ତେଣୁ ଏବେ ଉଜ୍ଜଳା ଦିଦି ଯୋଜନା ଏକ ଯୋଜନା ନୁହେଁ, ଅର୍ଥ ହଡପ କାର୍ଯ୍ୟକ୍ରମ ହୋଇଛି । ଏହାର ଉଚ୍ଚସ୍ତରୀୟ ସିବିଆଇ ତଦନ୍ତ ହେଲେ ୩୦ କୋଟି ଟଙ୍କାର ଆତ୍ମସାତ୍ ଘଟଣା ପଦାକୁ ଆସିବ ବୋଲି ଛାତ୍ର କଂଗ୍ରେସ ଦାବି କରିବ ।

ଆସନ୍ତା ୨୪ ଘଂଟା ମଧ୍ୟରେ ପେଟ୍ରୋଲିୟମ ବିଭାଗ ଏବଂ ପେଟ୍ରୋ କମ୍ପାନୀମାନେ ଉଜ୍ଜଳା ଦିଦି କେଳେଙ୍କାରୀ ସୃଷ୍ଟିକରଣ ଓ ବହି ବିଜ୍ଞାପନ ଏବଂ ପୋଷ୍ଟର ବ୍ୟାନର ନାଁରେ ବିଗତ ସାଢେ ଚାରି ବର୍ଷରେ କେତେଟଙ୍କା କାହାକୁ କିପରି ଓ କେବେ ଦେଇଛନ୍ତି, ତାହାର ତାଲିକା ପ୍ରକାଶ କରନ୍ତୁ । ନଚେତ୍ ରାଜ୍ୟ ଛାତ୍ର କଂଗ୍ରେସ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସମସ୍ତ ପେଟ୍ରୋ କମ୍ପାନୀ କାର୍ଯ୍ୟଳୟ ଘେରାଉ କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଓଡିଶାର ପ୍ରତି ବ୍ଲକ ଏବଂ ସହରାଂଚଳରେ କଳାପତାକା ପ୍ରଦର୍ଶନ କରିବା ସହିତ ଅଣ୍ଡାମାଡ କରାଯିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + fifteen =