ବିଜେଡି ନେତାଙ୍କ ମନୋବଳ ଭାଙ୍ଗିବାକୁ ‘ସିବିଆଇ ରଣନୀତି’

ଭୁବନେଶ୍ୱର () : ପଞ୍ଚାୟତ ନିର୍ବାଚନ ସଫଳତାକୁ ନେଇ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖି ମିଶନ ୧୨୦ର ନାରା ଦେଇଥିଲା। ପଞ୍ଚାୟତ ନିର୍ବାଚନରେ ଅଳ୍ପ କିଛି ଆସନ ଜିତି ବିଜେପିର ଏହି ଦମ୍ୱୋକ୍ତି କିନ୍ତୁ ଏବେ ଭାଙ୍ଗିଯାଇଛି। ମିଶନ-୧୨୦ର ସ୍ୱପ୍ନ ବି ଚୂରମାର ହୋଇଯାଇଛି। ମିଶନ ଫେଲ‌୍‍ ହେବା ଦେଖି ଏବେ ଦଳର ନେତାମାନେ ବିଜେଡି ଉପରେ ଆରମ୍ଭ କରିଛନ୍ତି ଅସହିଷ୍ଣୁତାର ରାଜନୀତି। ଆଉ ଏହି ଅସହିଷ୍ଣୁତାର ଟାର୍ଗେଟରେ ଅଛନ୍ତି ବିଜେଡିର ୟୁଥ‌୍‍ ବ୍ରିଗେଡ‌୍‍।

ପଞ୍ଚାୟତ ନିର୍ବାଚନରେ ଯଦିଓ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା କିଛି ଜିଲ୍ଲାରେ କିନ୍ତୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ବିପର୍ଯ୍ୟୟ ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ପାଇଁ ରଚନା କଲେ ମିଶନ ୧୨୪+ର ରଣନୀତି। ୧୯୯୦ ମସିହାରେ ତାଙ୍କ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡିଶା ବିଧାନସଭାରେ ୧୨୩ଟି ଆସନ ଜିତି ରେକର୍ଡ ସୃଷ୍ଟି କରିଥିଲେ। ତେବେ ନବୀନ ପଟ୍ଟନାୟକ ନିଜ ବାପାଙ୍କ ରେକର୍ଡ ଅତିକ୍ରମ କରି ୧୨୪+ ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍ଷ୍ୟ ହାସଲରେ ସାରଥୀ ସାଜିଛନ୍ତି ବିଜେଡି ଯୁବ ନେତାମାନେ। ଏହି ଯୁବନେତାମାନେ ପଞ୍ଚାୟତ ନିର୍ବାଚନ ପରେ ପରେ ମନ୍ତ୍ରୀ ପଦ ଛାଡି ସଂଗଠନର ଦାୟିତ୍ୱ ନେଇଛନ୍ତି। ନବୀନଙ୍କ ବିକାଶ ମନ୍ତ୍ର ରାଜ୍ୟର କୋଣ ଅନୁକୋଣ ଓ ଗାଁ ଗାଁ ପହଞ୍ଚାଇବାର ଭାରା ବୋହୁଛନ୍ତି। ଏଥିସହ ଯେଉଁ ସବୁ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ଦଳ ବିପର୍ଯ୍ୟାୟ ଭୋଗିଥିଲା ସେହିସବୁ ଜିଲ୍ଲାରେ ସଂଗଠନର ମୂଳଦୁଆକୁ ପୁଣି ଥରେ ମଜଭୁତ କରିଛନ୍ତି। ମୟୂରଭଞ୍ଜ‌୍‍ରୁ ଆରମ୍ଭ କରି କେନ୍ଦ୍ରାପଡା, ବରଗଡ, ବଲାଙ୍ଗୀର, ସମ୍ୱଲପୁର, ଜଗତସିଂହପୁର ଆଦି ଜିଲ୍ଲାରେ ବିଜେଡି ପୁଣି ଥରେ ଶତସିଂହର ବଳ ନେଇ ଆଗକୁ ବଢୁଛି। ନବୀନଙ୍କ ବିକାଶ ମନ୍ତ୍ର ସାଙ୍ଗକୁ ସ୍ୱଚ୍ଛତା ଓ କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ଲୋକାଭିମୁଖୀ ଯୋଜନା ତୃଣମୂଳସ୍ତରରେ ଭୋଟରଙ୍କୁ ‘ନବୀନ ପ୍ରେମୀ’ କରାଇଛି। ପଞ୍ଚାୟତ ନିର୍ବାଚନ ପରେ ପରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପି ଯେଉଁ ବାହାସ୍ଫୋଟ ମାରୁଥିଲା ତାହା ପାଣିଫୋଟକା ଭଳି ଉଭେଇଗଲା। ବିଜେପି ପ୍ରାର୍ଥୀ ୪୦ ହଜାର ଭୋଟ ବ୍ୟବଧାନରେ ମାଟି କାମୁଡିଲେ। ବିଜେପୁର ଉପନିର୍ବାଚନରେ ଏହି ବିଜୟର ଶ୍ରେୟ ଦଳର ଯୁବନେତାଙ୍କୁ ଯାଇଛି।

ତେଣୁ ଏବେ ବିଜେପି ବିଜେଡିର ଯୁବ ନେତାଙ୍କୁ ସିବିଆଇ ଫାଶରେ ବାନ୍ଧିବାକୁ ଚକ୍ରାନ୍ତ କରୁଛି । ଏହିକ୍ରମରେ ଏବେ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ ଜାରି ହୋଇଛି । ଉଦ୍ଦେଶ୍ୟ ଦଳର ସାଙ୍ଗଠନିକ ଦାଇତ୍ୱ ନେଇଥିବା ଏହିସବୁ ଯୁବ ନେତାଙ୍କୁ ସାଧାରଣରେ ନିନ୍ଦିତ କରିବା ଓ ମାନସିକ ସ୍ତରରେ ଦୁର୍ବଳ କରିବା । ବିଜେପିର ଏହି ‘ସିବିଆଇ ରଣନୀତି’ରେ ଆଗକୁ ଆଉ କିଛି ଯୁବ ନେତାଙ୍କୁ ସାମିଲ କରି ନିନ୍ଦିତ କରିବାକୁ ସୁଚିନ୍ତିତ ଯୋଜନା ହୋଇଛି । ନିର୍ବାଚନ ଯେତେ ପାଖେଇବା ଏହି ପ୍ରକ୍ରିୟା ସେତେ ଜୋର ଧରିବ ।

Share

Leave a Reply

Your email address will not be published. Required fields are marked *

3 + 16 =