ଧର୍ଷଣ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ରାଜନୀତି ବନ୍ଦକରୁ: ବିଜେଡ଼ି

ଭୁବନେଶ୍ବର () ଧର୍ଷଣ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ନେତାମାନେ ରାଜନୀତି କରିବା ଅନୁଚିତ । ଏଭଳି ଘୃଣ୍ୟ କାର୍ଯ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଘଟୁଥିବା ଆମ ସମସ୍ତଙ୍କ ନଜରକୁ ଆସୁଛି । ତେଣୁ ଏଭଳି ଘଟଣାରେ ରାଜନୀତି କରିବା ଅପେକ୍ଷା ଏହାର ମୂଳୋତ୍ପାଟନ ଲାଗି ସମସ୍ତେ ଏକାଠି ହେବା ଉଚିତ୍‍ ବୋଲି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ କହିଛନ୍ତି ବିଜେଡ଼ି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ, ଏଭଳି ଘଟଣାରେ ଆମେ ସମସ୍ତେ ଦୁଃଖିତ ଓ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଏଭଳି ଘଟଣାରେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ସ୍ଥିତିରେ ଥିବାବେଳେ ଘଟଣାର ରାଜନୀତି କରାଗଲେ ସେମାନଙ୍କ ସ୍ଥିତି ଆହୁରି ଖରାପ ହୋଇଯିବ । ବାରମ୍ବାର ଅନୁରୋଧ ସତ୍ତ୍ବେ ବିଜେପି ଏଭଳି ଘଟଣାକୁ ରାଜନୈତିକ ରଙ୍ଗ ଦେବା ସହିତ ଅବାସ୍ତବ ତଥ୍ୟ ଉପସ୍ଥାପନ କରି ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛି । ଏଭଳି ଆଚରଣ ପାଇଁ ଓଡ଼ିଶାବାସୀ ନିକଟ ଅତୀତରେ ବିଜେପିକୁ ପରାଜୟର ସ୍ବାଦ ଚଖାଇଥିବାବେଳେ ମନୋଭାବରେ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ମଧ୍ୟ ଅନୁରୂପ ବାଟ ଦେଖାଇବେ । ତେଣୁ ବିଜେପି ନେତାମାନେ ଏଭଳି ରାଜନୀତିରୁ ବିରତ ରହିବାକୁ ଡକ୍ଟର ପାତ୍ର ପରାମର୍ଶ ଦେଇଛନ୍ତି ।

ସେହିଭଳି କାଳିଆ ଯୋଜନାକୁ ବିଜେପିର ସମାଲୋଚନାର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ରାଜ୍ୟର ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ଏକ ବୈପ୍ଳବିକ ପଦକ୍ଷେପ । ଏହାଦ୍ବାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ଏଭଳି ଯୋଜନାକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି । ଏଭଳି ଯୋଜନାକୁ ସମାଲୋଚନା କରି ବିଜେପି ତା’ର ଚାଷୀ ବିରୋଧି ମନୋଭାବକୁ ପ୍ରଦର୍ଶନ କରୁଛି । ଅନୁରୂପ ଭାବେ ବିଜେପିର ଗୃହନିର୍ମାଣ ସମ୍ପର୍କିତ ମତର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେଡ଼ି ସରକାର ଇତି ମଧ୍ୟରେ ରାଜ୍ୟରେ ୨୦ ଲକ୍ଷ ପକ୍କାଘର ନିର୍ମାଣ କରିଥିବାବେଳେ ବିଜେପି କେବଳ ସମାଲୋଚନା କରିବାରେ ଲାଗିଛି । ବିଜୁ ପକ୍କାଘର ଯୋଜନାର ସଫଳତାରେ ବିଜେପି ନେତାମାନେ ଇର୍ଷାନ୍ବିତ ହେଉଥିବାବେଳେ ଏଭଳି ମନ୍ତବ୍ୟ ସେମାନଙ୍କର ହତାଶା ଓ ବିଶୃଙ୍ଖଳିତ ମନୋଭାବକୁ ଦର୍ଶାଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =