ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବ ବିଜେପି

ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ : ସମୀର ମହାନ୍ତି

ଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ

ରାଜନୀତିରେ ସେବାକୁ ହିଁ ମହତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ବିଭିନ୍ନ ଜନସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତାକୁ ଲୋକମାନଙ୍କ ପାଖରେ ପହଂଚାଯାଉଛି

ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର, ତା.୧୧/୦୭ : ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକରେ ଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଛିି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିରେ ସେବାକୁ ହିଁ ମହତ୍ୱ ଦିଆଯାଇଛି । ଦଳ ନିର୍ବାଚନ ଜିତିବା ପାଇଁ ନୁହେଁ, ଦଳର ସଂଗଠନ କେବଳ କ୍ଷମତା ଦଖଲ କରିବା ପାଇଁ ନୁହେଁ ବରଂ ସମାଜକୁ ଭଲ ପାଇ ସେବା କରିବା, ସେବା ହିଁ ସଗଠନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ବିଗତ ସାଢେ ୩ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ କ୍ରିୟାନ୍ୱୟନ କାରଣରୁ ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିପାରିଛନ୍ତି । କରୋନା ମହାମାରୀ ସମୟରେ ଦଳ ପକ୍ଷରୁ ଗରିବଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ମାସ୍କ ବଂଟାଯିବା ଓ ରକ୍ତଦାନ ଶିବିର ଆୟୋଜନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଛି । ଏହାସହ ବିଭିନ୍ନ ଭର୍ଚୁଆଲ ଜନସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତାକୁ ଲୋକମାନଙ୍କ ପାଖରେ ପହଂଚାଯାଇ ପାରିଛି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଥିବା ବେଳେ ଓଡିଶାକୁ ବିକାଶର ପ୍ରୟୋଗଶାଳା କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ୧୧୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଓଡିଶାର ୧୦ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଏହସବୁ ଜିଲ୍ଲାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଅଧିକ ଲାଭ ଓଡିଶା ପାଇଛି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଧିକ ଲାଭ ଓଡିଶା ପାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ ମାସ ଯାଏଁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ମଧ୍ୟ ଆହୁରି ତିନିମାସ ବୃଦ୍ଧି କରାଯାଇଛି । ନିକଟରେ ଆତ୍ମନିର୍ଭର ପ୍ୟାକେଜରେ କୃଷି କ୍ଷେତ୍ର କିମ୍ବା ଏମଏସଏମଇ ହେଉ ଏହି ଯୋଜନାର ଅଧିକ ଲାଭ ଓଡିଶା ପାଇଛି । ଏହି କଥାକୁ ଲୋକମାନଙ୍କ ପାଖରେ ପହଁଚାଇବାର ଦାୟିତ୍ୱ ଦଳକୁ ନେବାର ଆବଶ୍ୟକତା ରହିଛି । ଏହବ୍ୟତିତ ଓଡିଆଙ୍କ ହକ୍ ପାଇଁ ଲଢିବାକୁ ବିଜେପିର କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।

କରୋନା ମହାମାରୀ ସତ୍ୱେ ଚଳିତବର୍ଷ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ମାନ୍ୟବର ସୁପ୍ରିମକୋର୍ଟଙ୍କ ସମେତ ଗୋବର୍ଦ୍ଧନ ମଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ, ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଦଳର ସମସ୍ତ ନେତୃବୃନ୍ଦ ଏବଂ ପଦାଧିକାରୀ ଧନ୍ୟବାଦ ଦେଇଥିଲେ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଦଳର କାର୍ଯ୍ୟକର୍ତାମାନେ ଟିମୱାର୍କ କରି ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୁତ୍ କରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାର ଆବଶ୍ୟକତା ରହିଛି । ସମସ୍ତଙ୍କର ବ୍ୟାପକ ଦକ୍ଷତାକୁ ପରିପ୍ରକାଶ କରି ସାଢେ ୪ କୋଟି ଓଡିଆଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିବାକୁ ପଡିବ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି । ସମଗ୍ର ଓଡିଶାକୁ ବିକାଶରେ ସାମିଲ କରିବା ଓ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ସଂଗଠନର ଲକ୍ଷ୍ୟ ରହିବା ଉଚିତ୍ । ଏହା ସହ ନିକଟରେ କାର୍ଯ୍ୟକର୍ତାମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କ୍ୱିୟାନ୍ୱିତ ହୋଇଥିବା ଗରିବ କଲ୍ୟାଣ ଯୋଜନା ଓ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ସମାଜର ସବୁଠୁ ତଳ ଶ୍ରେଣୀରେ ପହଁଚାଇବା ପାଇଁ କାମ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି ଯେ କେନ୍ଦ୍ର ସରକାର ଗରିବଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି । ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି । ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବି ଦୁର୍ନୀତି ହୋଇଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଥିଲେ ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହି ପଦାଧିକାରୀ ବୈଠକର ପରିଚାଳନା କରିଥିଲେ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ପଦାଧିକାରୀଙ୍କୁ ଶ୍ରୀ ମହାପାତ୍ର ସ୍ୱାଗତ କରିଥିଲେ । ଆଗାମୀ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଗଲୱାନ ଘାଟିରେ ଶହୀଦ ହୋଇଥିବା ବୀର ଯବାନ, ଦିବଙ୍ଗତ ନେତା ଏବଂ ବ୍ୟକ୍ତିବିଶେଷମାନଙ୍କ ଉପରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହି ପ୍ରସଙ୍ଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକ ଶେଷରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବୈଠକରେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ ଯୋଗ ଦେଇ ସେବା ମାଧ୍ୟମରେ ସଂଗଠନକୁ ମଜବୁତ୍ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଦଳକୁ ଆଗେଇ ନେବା ନେଇ ପ୍ରଦାଧିକାରୀଙ୍କୁ ମାର୍ଗଦର୍ଶନ କରିଥିଲେ ।

ଏହି ଅବସରରେ କରୋନା ସମୟରେ ରାଜ୍ୟ ବିଜେପି ପକ୍ଷରୁ କରାଯାଇଥିବା ବିଭିନ୍ନ ସାମାଜିକ ଭିତିକ କାର୍ଯ୍ୟକ୍ରମ ଯଥା ଗରିବଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ କରିବା, ମାସ୍କ ବଂଟନ, ରକ୍ତଦାନ ଶିବିର ପ୍ରଭୁତି କାର୍ଯ୍ୟକ୍ରମ ଉପରେ ଏକ ଭିଡିଓ ପ୍ରେଜେନଟଂସେନ ଉପସ୍ଥାପନ କରାଯାଇଥିଲା ।

ଆଜିର ଏହି ବୈଠକରେ ରାଷ୍ଟ୍ରୀୟ ସଂଗଠନ ସହ ସମ୍ପାଦକ ସୌଦାନ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ବିଧାୟକ ଦଳ ନେତା ପ୍ରଦୀପ ନାଏକ ପ୍ରମୁଖଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

10 − 1 =