ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ନେଇ ବିଜେପି ବିଭ୍ରାନ୍ତ କରୁଛି : ବିଜେଡି

ଭୁବନେଶ୍ୱର (): ଭାରତୀୟ ଜନତା ପାର୍ଟିର ନେତାମାନେ ଏବଂ ବିଶେଷ କରି ପିତାମ୍ବର ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନ ଠାରୁ ବୋଧେ ଆଇନ୍ ପଢ଼ିବା ଛାଡ଼ି ଦେଇଛନ୍ତି କିମ୍ବା ତାଙ୍କର ଆଇନ୍ ପାଠ ଭୁଲିଯାଇଛନ୍ତି । ଅଭ୍ୟାସଗତ ଭାବେ ଅଶାଳୀନ ଓ ଅଶୋଭନୀୟ ବକ୍ତବ୍ୟ ଶ୍ରୀ ଆଚାର୍ଯ୍ୟ ଦେଇଆସୁଛନ୍ତି ଏବଂ ତାଙ୍କଠାରୁ ଏ ପ୍ରକାରର ଅଶାଳୀନ ବକ୍ତବ୍ୟ ଛଡ଼ା ଆଉ କୌଣସି ବିଷୟ ଆଶା କରାଯାଇପାରେ ନାହିଁ ବୋଲି ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି । ସେ କହିଛନ୍ତି ଯେ,  ବିଜୁ ଜନତା ଦଳ ଆଶା କରୁଛି, ବିଜେପିର ନେତାମାନେ ତାଙ୍କୁ ଶାଳୀନତା ଶିଖାନ୍ତୁ ଏବଂ ଯେଉଁ ଆଇନ୍ କାନୁନ୍ ସେ ପାସୋରି ଯାଇଛନ୍ତି, ତାଙ୍କୁ ମନେ ପକେଇବାରେ ସାହାଯ୍ୟ କରନ୍ତୁ ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବିଷୟରେ ଯେଉଁ ବକ୍ତବ୍ୟ ରଖାଯାଇଛି, ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର, କପୋଳକଳ୍ପିତ ଓ ଅମୁଳକ । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ବିଜେପି ଦ୍ୱାରା ଏହା ଆଉ ଏକ ନିଆରା ଉଦ୍ୟମ । ପ୍ରଥମତଃ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ସାମ୍ବାଧାନିକ ବିଧି ବ୍ୟବସ୍ଥା ନୁହେଁ । ଯେଉଁ ୯ଟି ଜିଲ୍ଲାରେ ଏହାକୁ ଗଠନ କରାଯାଇଛି, ତାହା କେବଳ ସେଠାକାର ବାସିନ୍ଦାଙ୍କ ସଂସ୍କୃତି ଏବଂ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଦ୍ଦିଷ୍ଟ । ଏହା ଏକ ବିକାଶମୂଳକ ପଦକ୍ଷେପ ଏବଂ ଏହା କୌଣସି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁନାହିଁ । ଅନୁସୂଚିତ ଜନଜାତି ଭାଇ ଭଉଣୀଙ୍କର କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ରାଜ୍ୟ ସରକାର ଚେଷ୍ଟିତ ଥିବାବେଳେ କେନ୍ଦ୍ର ସରକାର କେବିକେ ଯୋଜନା, ବିଆର୍ଜିଏଫ୍ ଯୋଜନା ଓ ଆଇଏପି ଯୋଜନାକୁ ବନ୍ଦ କରି ଅନୁସୂଚିତ ଜନଜାତିଙ୍କ ପ୍ରତି କୁଠାରଘାତ କରିଛନ୍ତି ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଏହାକୁ ଗୌଣ ଓ ବିଭ୍ରାନ୍ତ କରିବା ପାଇଁ ଯେଉଁ ଅପଚେଷ୍ଟା ବିଜେପି କରୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଏଥିସହ ସେ କହିଛନ୍ତି ଟ୍ରାଇବାଲ ଆଡ଼ଭାଇଜରି କାଉନସିଲ (ଟିଏସି) ସମ୍ବିଧାନର ୫ମ ଅନୁଚ୍ଛେଦ ଦ୍ୱାରା ଏକ ସାମ୍ବିଧାନିକ ପଦବୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଉନସିଲ ରାଜ୍ୟର କେଉଁ ଜାତିମାନେ ଜନଜାତି  ବର୍ଗ ମଧ୍ୟରେ ସୀକୃତିପ୍ରାପ୍ତ ହେବେ ତାହାକୁ ଅନୁମୋଦନ କରିଥାନ୍ତି । ଗତ ୧୯ ବର୍ଷ ମଧ୍ୟରେ ୧୭ଥର ଏହି କାଉନ୍ସିଲ ତା’ର ବୈଠକ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ମାରିଥିଲା ପରେ ମଧ୍ୟ ସେହି ଅନୁମୋଦନ ଗୁଡିକୁ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ଟିଏସି ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ତୁଳନା କରି ବିଜେପି ଯେଉଁ ଷଡଯନ୍ତ୍ର କରୁଛି ତାହା ସଫଳ ହେବ ନାହିଁ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

three × four =