ମିଛ ଗୁଇନ୍ଦା ରିପୋର୍ଟ ଦେଖାଇ ଅଡୁଆରେ ବିଜେପି, ମାମଲା ରୁଜୁ

ଭୁବନେଶ୍ୱର (): ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଚଞ୍ଚକତା ସୃଷ୍ଟି କରିବାକୁ ଯୋଜନା କରିଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପୁଣି ଥରେ ଅଡୁଆରେ ପଡିଯାଇଛନ୍ତି । ରାଜ୍ୟ ପୋଲିସ ଗୁଇନ୍ଦା ବିଭାଗର ଜାଲ୍ ସର୍ଭେ ରିପୋର୍ଟକୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରି ଆଇନର ଜାଲରେ ଛନ୍ଦି ହୋଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଟଙ୍କଧର ରାଜ୍ୟ ଗୁଇନ୍ଦା ବିଭାଗର ମାର୍ଚ୍ଚ ୧୫ ତାରିଖର ଏକ ଚିଠିକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପିତ କରିଛନ୍ତି । ରାଜ୍ୟ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଂଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ସମ୍ଭାବନା ଥିବା ଦର୍ଶାଇବା ସହ କେଉଁଠାରୁ ନିର୍ବାଚନ ଲଢିଲେ ମୁଖ୍ୟମନ୍ତ୍ରୀଙ୍କୁ ସୁବିଧା ହେବ ଏହି ପତ୍ରରେ ଉଲ୍ଲେଖ କରାଯାଇଥିବା କହିଥିଲେ ।

ତେବେ ସେ ଗଣମାଧ୍ୟମରେ ପ୍ରଦର୍ଶନ କରିଥିବା ଏହି ତଥ୍ୟ ଏବଂ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ମିଛ ଏବଂ ମନଗଢ଼ା କାହାଣୀ । ନିଜେ ପୋଲିସ ଡିଜି ଆର.ପି. ଶର୍ମା ଟ୍ୱିଟରରେ ଏଭଳି ରିପୋର୍ଟକୁ ମିଛ ବୋଲି କହିଛନ୍ତି । ଦଳ ପକ୍ଷରୁ ଏଭଳି ଏକ ମିଛ ରିପୋର୍ଟକୁ ପ୍ରଦର୍ଶନ କରି ଚଞ୍ଚକତା ସୃଷ୍ଟି କରାଯାଇଥିବାରୁ ଟଙ୍କଧରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ସ୍ପେଶାଲ୍ ବ୍ରାଞ୍ଚ ଏସ୍ପି କାର୍ତ୍ତିକେଶ୍ୱର ପାତ୍ରଙ୍କ ରିପୋର୍ଟ ଆଧାରରେ ଆଜି ଖାରବେଳ ନଗର ଥାନାରେ ଆଇପିସିର ଧାରା-୪୬୫, ୪୬୮, ୪୬୯ ଓ ୪୭୧ରେ ମାମଲା ରୁଜୁ କରାଯାଇଛି । ରୁଜୁ ହୋଇଥିବା ଏହି ଏଫ୍ଆଇଆରରେ କୁହାଯାଇଛି ଯେ, ଟଙ୍କଧର ଦର୍ଶାଇଥିବା  ଏସ୍ଆଇବି ପଲିଟିକାଲ୍ ଡେସ୍କ, ଏଭଳି କୌଣସି ୱିଙ୍ଗ ଗୁଇନ୍ଦା ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁନାହିଁ । ଏପରିକି ଟଙ୍କଧର ଗଣମାଧ୍ୟରେ ଦେଖାଇଥିବା ଦସ୍ତାବିଜ୍ ଗୁଇନ୍ଦା ନିର୍ଦ୍ଦେଶାଳୟର କୌଣସି ଅଧିକାରୀ ଜାରି କରିନାହାଁନ୍ତି । ଗୁଇନ୍ଦା ନିର୍ଦ୍ଦେଶାଳୟର ନାମକୁ ବ୍ୟବହାର କରି ଏଭଳି ଏକ ମିଛ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ସାଧାରଣ ସମ୍ପାଦକ କହିଛନ୍ତି ଯେ, ବିଜେପି ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଦସ୍ତାବିଜର ସତ୍ୟାସତ୍ୟର ଅନୁସନ୍ଧାନ ନ କରି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାକୁ ପ୍ରଚାର କରାଇବା ନିର୍ବାଚନୀ ଆଚରଣବିଧିର ଉଲ୍ଲଂଘନ । ନିର୍ବାଚନ କମିଶନଙ୍କ ନୂଆ ନିୟମାବଳୀ ଅନୁଯାୟୀ ନିର୍ବାଚନ ସଂପର୍କିତ ସମସ୍ତ ଆପତ୍ତି ଅଭିଯୋଗ ସଂପର୍କରେ ଅପରପକ୍ଷର ମତାମତ ନିଆଯିବା ଜରୁରୀ । ଅପରପକ୍ଷର ମତାମତ କିମ୍ବା ପ୍ରତିକ୍ରିୟା ନ ନେଇ ଏହାକୁ ପ୍ରସାରିତ କରିବା ନିୟମାବଳୀର ଉଲ୍ଲଂଘନ କରୁଛି । ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଘଟଣାବଳୀ ଦର୍ଶାଉଛି ବିଜେପି ଦଳ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଭୟଭୀତ ହୋଇ ଏଭଳି ଅପପ୍ରଚାର କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 12 =