ଚାଷୀ, ମହିଳା, ଯୁବକଙ୍କୁ ହତାସ କରିଛି ବିଜେପି

ବାଲେଶ୍ବର / ଭଦ୍ରକ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରାପଡା ଓ ବାଲେଶ୍ବର ଗସ୍ତ ସହ ତଳ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭଦ୍ରକରେ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ସେ ସିଧାସଳଖ ଭାବେ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ଚାଷୀ, ମହିଳା, ଯୁବକ ସମସ୍ତଙ୍କୁ ହତାସ କରିଛି ବୋଲି ସେ କହିଛନ୍ତି ।

ବାଲେଶ୍ବର ଓ ଭଦ୍ରକବାସୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ ଯେ, ନିର୍ବାଚନ ହେଲେ ବିଜେପିର ବଡ ବଡ ନେତାଙ୍କ ଓଡିଶା କଥା ମନେପଡେ । କିନ୍ତୁ ଯେତେବେଳେ ଫାଇଲିନ ହେଲା, କି ହୁଡହୁଡ ହେଲା କି ତିତଲି ହେଲା ସେତେବେଳେ କେହି ଆସିଲେ ନାହିଁ । ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ସେ କହିଥିଲେ ଯେ, 2014ରେ ବିଜେପି ବହୁମତରେ ସରକାର କଲା । ଲୋକଙ୍କ ବହୁ ଆଶା ଥିଲା । କିନ୍ତୁ 5 ବର୍ଷରେ ବିଜେପି ଲୋକଙ୍କ ବିଶ୍ବାସ ହରାଇଛି । ବିମୁଦ୍ରିକରଣ କଲେ । ଗରିବ ଆହୁରି ଗରିବ ହେଲେ । ଜିଏସଟି ଲାଗୁ କଲେ । ଯୁବକ ରୋଜଗାର ହରାଇଲେ । ଚାଷୀଙ୍କ ପାଇଁ କିଛି କଲେ ନାହିଁ । ସେଥିପାଇଁ ବିଜେପି ସବୁ ନିର୍ବାଚନରେ ହାରୁଛି । ଚାଷୀ, ମହିଳା, ଯୁବକ, ଗରିବ, ଅନୁସୂଚିତ ଜାତି ଜନଜାତି ଓ ସାଧାରଣ ଲୋକ ସମସ୍ତେ ହତାଶ ହୋଇଛନ୍ତି ।

କେବଳ କଥାରେ ଦେଶ ନିର୍ମାଣ ହୁଏ ନାହିଁ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଂଜାବ ସବୁଠି ଡବଲ ଇଞ୍ଜିନ ଥିଲା । ହେଲା କଣ? ବିଜେପି ଏସବୁ ରାଜ୍ୟରେ ହାରିଲା କାହିଁକି? ଗୁଜୁରାଟ ମଡେଲର ବହୁତ ପ୍ରଚାର ହେଲା । ଗୁଜୁରାଟ ବିଧାନସଭା ସିଟ ସଂଖ୍ୟା 182 । 2017 ବିଧାନସଭା ନିର୍ବାଚନରେ ବିଜେପି ପାଇଲା ମାତ୍ର 99 । ହାରୁ ହାରୁ ଜିତିଗଲା । ସାରା ଦେଶରେ ଏଥର ବିଜେପି ହାରୁଛି ବୋଲି ସେ ପୂର୍ବାନୁମାନ କରିଛନ୍ତି ।

କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିର 10 ହଜାର ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ତାଙ୍କ ହକ ଦେଇଛି । କେନ୍ଦ୍ର ଯୋଜନାରେ ମହିଳାଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ 5 ଲକ୍ଷ ଟଙ୍କା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ଦୁଇ ଗୁଣ । 10 ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ସାରା ଓଡିଶାବାସୀ ମୋର ପରିବାର, ମୁଁ ସବୁବେଳ ଆପଣଙ୍କ ସାଥିରେ ଅଛି ବୋଲି କହି ନବୀନ ବିଜେଡି ସପକ୍ଷରେ ଭୋଟ ପାଇଁ ଆହ୍ବାନ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five × three =