କେନ୍ଦ୍ରକୁ 5 ବର୍ଷରେ ନିଯୁକ୍ତିର ହିସାବ ମାଗିଲା ବିଜେଡି

ଭୁବନେଶ୍ବର () 2014 ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ସରକାର ଦେଇଥିବା ପ୍ରତିଶୃତି ପୂରଣରେ ବିଫଳ ହୋଇଛି । ଗତ 5 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗୋଟିଏ ହେଲେ ନିର୍ବାଚନୀ ପ୍ରତିଶୃତି ପାଳନ କରିନି । ନିର୍ବାଚନ ପୂର୍ବରୁ ସରକାରକୁ ଆସିବା ପାଇଁ ବିଜେପି ଦେଶବାସୀଙ୍କୁ ନାନା ସ୍ବପ୍ନ ଦେଖାଇଥିଲା । କିନ୍ତୁ ଗୋଟିଏ ହେଲେ ସ୍ବପ୍ନ ସାକାର ହୋଇନି । ବିଶେଷ କରି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ସାଂଘାତିକ ଭାବେ ବିଫଳ ହୋଇଛି । ଏହି ଅଭିଯୋଗ କରି ଆଜି ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗତ ଚାରି ଦିନ ଧରି ଯେଉଁ ଭଳି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରୁଥିଲେ ଆଜି ବି ସେହି ସମାନ ଦୃଶ୍ୟ ଦେବାକୁ ମିଳିଥିଲା । ତେବେ ଆଜି ବିଜେପି ଓ କଂଗ୍ରେସ ହଟ୍ଟଗୋଳର ଜବାବ ଦେବାକୁ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ମାତ୍ର ଗୋଟିଏ ମିନିଟ ପରେ ବିଧାନସଭାକୁ ଏକ ଘଣ୍ଟା ପାଇଁ ମୁଲତବି ଘୋଷଣା କରିବାରୁ ବିଜେଡି ବିଧାୟକମାନେ ବିଧାନସଭାରୁ ପଦଯାତ୍ରାରେ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ ।

ବିଜେଡିର ଅଭିଯୋଗ ଥିଲା ଯେ, ବିଜେପି କେନ୍ଦ୍ରରେ ସରକାର ଗଢିବା ପୂର୍ବରୁ ବର୍ଷକୁ 2 କୋଟି ନିଯୁକ୍ତି ଦେବାକୁ ଘୋଷଣା କରିଥିଲା । ଅର୍ଥାତ ଗତ 5 ବର୍ଷ ମଧ୍ୟରେ ଅନ୍ୟୁନ 10 କୋଟି ଯୁବକ ଯୁବତୀ ନିଯୁକ୍ତି ପାଇବା କଥା । ଏହି ହାରରେ ଓଡିଶାରୁ ମଧ୍ୟ ଅତିକମରେ 50 ଲକ୍ଷ ଯୁବକ ଯୁବତୀ ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନରେ ନିଯୁକ୍ତି ପାଇଥାନ୍ତେ । କିନ୍ତୁ ଏମସିଏଲ, ନାଲକୋ, ଏନଟିପିସି ଓ ଆଇଓସିଏଲ ଭଳି ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକରେ ଓଡିଶା ଯୁବକ ଯୁବତୀ ନିଯୁକ୍ତି ପାଇନାହାଁନ୍ତି ।

କେନ୍ଦ୍ରୀୟ ସଂସ୍ଥାଗୁଡିକ ଓଡିଶାର ଖଣି ଖାଦାନକୁ ବ୍ୟବହାର କରି କୋଟି କୋଟି ଟଙ୍କା ଲାଭ କରୁଛନ୍ତି । କିନ୍ତୁ ଏହିସବୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗରେ ଆଖିଦୃଶିଆ ଓଡିଆ ପିଲା ନିଯୁକ୍ତି ପାଉନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିବା ସହ ଗତ 4/5 ବର୍ଷ ମଧ୍ୟରେ କେନ୍ଦ୍ର ସରକାର କେତେ ନିଯୁକ୍ତି ଦେଇଛନ୍ତି ତାର ହିସାବ ମାଗିଛି ବିଜେଡି ।

ଅପରପକ୍ଷରେ ରାଜ୍ୟ ସରକାର ସିଧାସଳଖ ଭାବେ ବିଭିନ୍ନ ସରକାରୀ ସଂସ୍ଥାରେ ପ୍ରାୟ 1ଲକ୍ଷ ନୂଆ ନିଯୁକ୍ତି ଦେଇଥିବା ବେଳେ ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପରେ ପ୍ରାୟ 15 ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । କେନ୍ଦ୍ର ସରକାର ନିଜ ବିଫଳତାକୁ ଲୁଚାଇବାକୁ ରାଜ୍ୟର ଯୁବକ ଯୁବତୀଙ୍କ ମଧ୍ୟରେ ମିଛର ପ୍ରଚାର କରୁଛନ୍ତି । ଏହିଦୃଷ୍ଟିରୁ କେନ୍ଦ୍ର ସରକାରକୁ ଅନ୍ୟ ଉପରେ ଦୋଷ ଲଦିବା ଛାଡି ନିଯୁକ୍ତି କ୍ଷେତ୍ରରେ ନିଜର ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

16 − 7 =