ଲୋକସଭା ଲଢେଇ : 18ରେ ଚିତ୍ର ସ୍ପଷ୍ଟ, ଦ୍ବନ୍ଦ୍ବରେ 3ଟି ଆସନ

ଭୁବନେଶ୍ବର () ରାଜ୍ୟର 21ଟି ଲୋକସଭା ଆସନ ମଧ୍ୟରୁ ବିଜେଡି 3ଟି ଆସନକୁ ନେଇ ଦ୍ବନ୍ଦ୍ବରେ ରହିଛି । ଦଳୀୟ ସର୍ଭେ ଅନୁଯାୟୀ, ସୁନ୍ଦରଗଡ, ନବରଙ୍ଗପୁର ଓ କଳାହାଣ୍ଡି ଏହି ତିନୋଟି ଲୋକସଭା ଆସନରେ ଦଳର ବିଜୟ ସମ୍ଭାବନା କ୍ଷୀଣ । ବିରୋଧୀ ଦଳର ରଣନୀତି ବିଜେଡି ପାଇଁ ଏହି ତିନୋଟି ଆସନରେ ମହତ୍ବପୂର୍ଣ୍ଣ ହେବ ।

ବିଜେଡିର ଏକ ଅନୌପଚାରିକ ସର୍ଭେ ରିପୋର୍ଟ ଅନୁଯାୟୀ 18ଟି ଆସନରେ ବିଜେଡିର ବିଜୟ ସମ୍ଭାବନା ଉଜ୍ବଳ ରହିଛି । ଏହି ତିନୋଟି ଆସନକୁ ବାଦ ଦେଲେ ଅନ୍ୟ ସମସ୍ତ ଆସନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ । ହେଲେ ସୁନ୍ଦରଗଡ, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍ଥିତି ବିଜେଡି ପାଇଁ ଏତେ ସହଜ ନୁହେଁ । ସୁନ୍ଦରଗଡରେ ବର୍ତ୍ତମାନ ସ୍ଥିତିରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାର ସ୍ଥିତି ରହିଛି ।

ଯଦି କଂଗ୍ରେସ ସୁନ୍ଦରଗଡରେ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରେ ତେବେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବ । ଜର୍ଜ ତିର୍କି କଂଗ୍ରେସରୁ ପ୍ରାର୍ଥୀ ହେଲେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆକଳନ କରାଯାଉଛି । କିନ୍ତୁ କଂଗ୍ରେସରୁ ଏହି ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ନିଜ ଝିଅଙ୍କୁ ପ୍ରାର୍ଥୀ କରିବାକୁ ଲବି କରୁଛନ୍ତି । ତେବେ ବିଜେଡି ଆକଳନ କହୁଛି, ହେମାନନ୍ଦଙ୍କ ଝିଅ ପ୍ରାର୍ଥୀ ହେବେ ବିଜେଡି ପାଇଁ ବିଜୟ ସମ୍ଭାବନା ଅଧିକ ଉଜ୍ବଳ ହେବ । ସେହିଭଳି ନବରଙ୍ଗପୁରରେ ମଧ୍ୟ ବିଜେଡି ଆକଳନ ଅନୁଯାୟୀ କଂଗ୍ରେସର ସ୍ଥିତି ଭଲ ରହିଛି । ଯଦିଓ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ ହାରିଯାଇଥିଲେ, ଏଥର କିନ୍ତୁ ଏହି ଆସନ କଂଗ୍ରେସ ଖାତାକୁ ଯାଇପାରେ । ଦଳୀୟ ସୂତ୍ର ଅନୁଯାୟୀ ବଳଭଦ୍ରଙ୍କୁ ପୁଣି ଥରେ ପ୍ରାର୍ଥୀ କରାଗଲେ କଂଗ୍ରେସ ଖାତାକୁ ଏହି ଆସନଟି ଚାଲିଯିବା ନିଶ୍ଚିତ ।

ସେପଟେ କଳାହାଣ୍ଡିରେ ମଧ୍ୟ ବିଜେପି ଅପେକ୍ଷାକୃତ ଭାବେ ଭଲ ସ୍ଥିତିରେ ରହିଛି । ଯଦିଓ ଗତ ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଅର୍କ କେଶରୀ ସିଂହଦେଓ ଜିତିଥିଲେ, ଏଥର କିନ୍ତୁ ସେ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ଗତ ପଂଚାୟତ ନିର୍ବାଚନରେ ମଧ୍ୟ କଳାହାଣ୍ଡିରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଯଦିଓ ଏଭିତିରେ ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶ ଏବଂ ଅନ୍ୟାନ ଉନ୍ନୟନମୂଳକ ଯୋଜନା ପାଇଁ ସ୍ଥିତି ଧିରେ ଧିରେ ବଦଳିଛି । ବିଜେପି ଦଖଲକୁ ଯାଇଥିବା କଳାହାଣ୍ଡି ଏବେ ବିଜେଡି ସପକ୍ଷକୁ ଆସିଛି । ଏହି ଆସନରେ ବିଜେପିର ରଣନୀତି ଉପରେ ନିର୍ଭର କରୁଛି ବିଜେଡିର ବିଜୟ ସମ୍ଭାବନା ।

Share

Leave a Reply

Your email address will not be published. Required fields are marked *

16 + eight =