ବିଜେପି ଚାପରୁ କାଳିଆ ସହାୟତାକୁ ମୁକ୍ତ କରାଯାଉ

ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ବାରସ୍ଥ ହେଲା ବିଜେଡ଼ି

ଭୁବନେଶ୍ବର (): ରାଜ୍ୟ ସରକାରଙ୍କ ଲୋକପ୍ରିୟ ‘କାଳିଆ’ ଯୋଜନା ବନ୍ଦକୁ ନେଇ ଶେଷରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ବାରସ୍ଥ ହୋଇଛି ବିଜୁ ଜନତା ଦଳ । ରାଜ୍ୟର ଚାଷୀକୂଳଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ‘କାଳିଆ’ ଯୋଜନା ଚାଲୁ ରଖିବା ସହ ସହାୟତା ଅର୍ଥ ବଣ୍ଟନ ଉପରୁ କଟକଣା ହଟାଇବାକୁ କମିଶନରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବିଜେଡ଼ି ପ୍ରତିନିଧି ଦଳ ସହ ଚାଷୀ ପ୍ରତିନିଧିମାନେ ସାମିଲ ହୋଇ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ ।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ବିଜେଡ଼ି କାଳିଆ ଯୋଜନାର ଲୋକପ୍ରିୟତା ଓ ଏହା ବନ୍ଦ ପଛର ଚକ୍ରାନ୍ତ ଉଲ୍ଲେଖ କରିଛି । ବିଜେଡ଼ି ଦର୍ଶାଇଛି ଯେ, ଚାଷୀକୂଳର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚନ ତାରିଖ ହେବାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ଦେଶ ବିଦେଶର ବିଶେଷଜ୍ଞମାନେ ଏହି ସୁଦୂର ପ୍ରସାରୀ ଯୋଜନାର ଭୂରି ଭୂରି ପ୍ରଶଂସା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏଥିରୁ ଉପକୃତ ହୋଇସାରିଲେଣି । ‘କାଳିଆ’ ସହାୟତା ବାବଦ ଦୁଇଟି କିସ୍ତିରେ ୧୮୫୦ କୋଟି ଟଙ୍କା ଚାଷୀଙ୍କୁ ଡିବିଟି ମାଧ୍ୟମରେ ଦିଆଯାଇଛି । ଏହି ସହାୟତା ପାଇବାକୁ ଆଉ ୧୪.୯୩ ଲକ୍ଷ କ୍ଷୁଦ୍ର ଓ ମଧ୍ୟବୀତ୍ତ ଚାଷୀ ଏବଂ ୧୦.୪୧ ଲକ୍ଷ ଭୂମିହୀନ ଚାଷୀ ପରିବାର ଏହିଭଳି ଭାବେ ୨୫.୩୪ ଲକ୍ଷ ହିତାଧିକାରୀଙ୍କୁ  ତାଲିକାଭୁକ୍ତ କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା ।

ମାତ୍ର ନିର୍ବାଚନ ଆଚରଣ ବିଧିର ଆଳ ଖୋଜି ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ସମର୍ଥ ହୋଇଛି । ବିଜେଡ଼ିର ଲୋକପ୍ରିୟତାରେ ଇର୍ଷାନ୍ବିତ ହୋଇ ବିଜେପି ନିଜର ରାଜନୈତିକ ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ଏଭଳି ଚକ୍ରାନ୍ତ କରିଛି । ମିଥ୍ୟା ଅଭିଯୋଗ ଦର୍ଶାଇ ‘କାଳିଆ’ ଯୋଜନା ବନ୍ଦ କରିବାକୁ ଗତ ମାର୍ଚ୍ଚ ୧୩ ତାରିଖରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ଠାରେ ଦାବି କରିଥିଲେ । ଇତିମଧ୍ୟରେ ବିଜେଡ଼ି ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ‘କାଳିଆ’ ଯୋଜନା ଚାଲୁ ରଖିବାକୁ ବାରମ୍ବାର ଅନୁରୋଧ କଲେଣି । ମାତ୍ର ବିଜେପି ଚାପ ଯୋଗୁଁ ତାହା ବନ୍ଦ ହୋଇ ରହିଛି ।

‘କାଳିଆ’ ଯୋଜନା ବନ୍ଦ ହୋଇଯିବା ଯୋଗୁଁ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ବର୍ତ୍ତମାନ ବେସାହାରା ହୋଇଯାଇଛନ୍ତି । ଖରିଫ୍ ଋତୁ ପାଇଁ ସେମାନଙ୍କ ଯୋଜନା ଧୋଇ ହୋଇଯାଇଛି । ଚାଷୀଙ୍କ ସ୍ବାର୍ଥକୁ ବଳି ଚଢ଼ାଇ ବିଜେପିର ଏହି ଚକ୍ରାନ୍ତକୁ ପ୍ରଶୟ ଦେବା ଠିକ୍ ହେଉନାହିଁ । ନିର୍ବାଚନ କମିଶନଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ କାର୍ଯ୍ୟକାରୀ ହେଉଥିବା କୌଣସି ପ୍ରକଳ୍ପ ନିର୍ବାଚନ ଆଚରଣ ବିଧି ଲାଗୁ ଦ୍ବାରା ପ୍ରଭାବିତ ହେବ ନାହିଁ । ସେହି ପ୍ରକଳ୍ପଗୁଡ଼ିକ ବନ୍ଦ ହୋଇପାରିବନି କି ଅଟକ ରଖାଯାଇ ପାରିବ ନାହିଁ । ଏଭଳିସ୍ଥଳେ ‘କାଳିଆ’ ଯୋଜନା ବନ୍ଦ କରି ଚାଷୀଙ୍କ ସ୍ବାର୍ଥ ସହ ଖେଳ ଖେଳିବା ଉଚିତ ହେଉନାହିଁ ।ନିର୍ବାଚନ କମିଶନ ଏହାର ବିଚାର କରି ତ୍ବରିତ୍ ପଦକ୍ଷେପ ନେବାକୁ ବିଜେଡ଼ି ପକ୍ଷରୁ ଅନୁରୋଧ କରାଯାଇଛି ।

ସେହିଭଳି ଚାଷୀ ପ୍ରତିନିଧିଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୃଥକ୍ ସ୍ମାରକପତ୍ର ଦିଆଯାଇଛି । ଓଡ଼ିଶାରେ କୃଷିର ବିକାଶ ଓ ଚାଷୀକୂଳଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ଦିଷ୍ଟ ‘କାଳିଆ’ ଯୋଜନାରୁ ବହୁତ ଉପକୃତ ମିଳୁଛି । ବର୍ତ୍ତମାନ ସୁଦ୍ଧା ୩୫ ଲକ୍ଷ ଚାଷୀ ଏଥିରୁ ଉପକୃତ ହୋଇଛନ୍ତି ଏବଂ ୨୫ ଲକ୍ଷ ଚାଷୀ ଉପକୃତ ହେବାକୁ ଅପେକ୍ଷା କରିଛନ୍ତି । ମାତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ବନ୍ଦ କରିଦେବା ଯୋଗୁଁ ଚାଷୀକୂଳ ଉପରେ ଚଡ଼କ ପଡ଼ିଛି । ନିର୍ବାଚନ କମିଶନ ଏହା ଉପରେ ହସ୍ତକ୍ଷେପ କରି ତୁରନ୍ତ କଟକଣା ହଟାଇବାକୁ ସେମାନେ ଦାବି କରିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ସାଂସଦ ପିନାକୀ ମିଶ୍ର, ମୁଖପାତ୍ର ତଥା ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ସୁଲୋଚନା ଦାସ, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ସାମିଲ ହୋଇଥିଲେ । ସେହିଭଳି ଚାଷୀ ପ୍ରତିନିଧି ଦଳରେ କିଶୋର ଚନ୍ଦ୍ର ଦେବତା, ନନ୍ଦଲାଲ ବେହେରା, ପଞ୍ଚାନନ ଦଳପତି, ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

three + 8 =