ଲୋକଙ୍କ ଧମନୀରେ ବିଜେଡି, 21 ବର୍ଷର ଲମ୍ବା ଟ୍ରାକ ରେକର୍ଡ … ପଢନ୍ତୁ

ଭୁବନେଶ୍ବର () 1997 ଡିସେମ୍ବର 26 ତାରିଖରେ ଜନ୍ମଗ୍ରହଣ କରିଥିବା ବିଜେଡିକୁ 21 ବର୍ଷ ପୁରିଲା । ଦଳ ପ୍ରତିଷ୍ଠା ସମୟରେ ରାଜନୈତିକ ସମୀକ୍ଷକ ଓ ପଣ୍ଡିତଙ୍କ ମନରେ ଯେଉଁ ସଂଶୟ ସୃଷ୍ଟି ହୋଇଥିଲା, ତାହା ଆଜି ଭୁଲ ପ୍ରମାଣିତ ହୋଇଛି । ଏକ ଆଞ୍ଚଳିକ ଦଳ ଭାବେ ଓଡିଶାର ରାଜନୀତିକ ଇତିହାସରେ ରେକର୍ଡ ସୃଷ୍ଟି କରିଛି ବିଜେଡି। ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ବହୁ ବାଦ ବିବାଦ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ବିଜେଡିର ନେତା ଓ କର୍ମୀ ନିଜ କାର୍ଯ୍ୟଶୈଳୀରେ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ଅଣକଂଗ୍ରେସ ରାଜନୀତିର ମୂଳଦୁଆ ଦେଇଥିବା ବିଜେଡି ଆଜି ରାଜ୍ୟରେ ଘରେ ଘରେ ପହଁଚିବାରେ ସକ୍ଷମ ହୋଇଛି ।

21 ବର୍ଷର ଏହି ଲମ୍ବା କ୍ୟାରିୟର ଭିତରେ ବହୁ ଉତଥାନ ପତନ ଦେଇ ଗତି କରିଥିବା ବିଜେଡିର ଭୋଟ ହାର ବଢୁଛି ସିନା ଛିଣ୍ଡୁନି । ଦଳ ଯେତିକି ପୁରୁଣା ହେଉଛି, ଗ୍ରହଣୀୟତା ସେତିକି ବଢୁଛି । ଏକଥା ଆମେ କହୁନୁ, 2000 ମସିହାରୁ 2014 ପର୍ଯ୍ୟନ୍ତ ଅନୁଷ୍ଠିତ 4ଟି ଯାକ ସାଧାରଣ ନିର୍ବାଚନର ଫଳାଫଳ ହିଁ ବୟାନ କରୁଛି । ସ୍ବଚ୍ଛତା, ଧର୍ମନିରପେକ୍ଷତା ଓ ନିର୍ମଳ ଭାବମୂର୍ତ୍ତୀର ଆଧାରରେ ଛିଡା ହୋଇଥିବା ବିଜେଡି ଓ ଏହାର ସୁପ୍ରିମଙ୍କ ଧୋବ ଫରଫର ପୋଷାକରେ ବିରୋଧୀ ଯେତେ କାଳିମା ବୋଳିବାକୁ ଚେଷ୍ଟା କଲେ ବି ସଫଳ ହେଉନାହଁନ୍ତି । ବରଂ ଦିନକୁ ଦିନ ନବୀନ ନିଜକୁ ଅଧିକ ସ୍ବଚ୍ଛ ଓ ନିରପେକ୍ଷ ବୋଲି ପ୍ରମାଣିତ କରିଚାଲିଛନ୍ତି ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କେବଳ ଯେ ରାଜନୈତିକ ସଫଳତାକୁ ସଫଳତାର ଆଧାର ବୋଲି ଗ୍ରହଣ କରିଛି ତାନୁହେଁ । ଓଡିଶାକୁ ଜାତୀୟ ସ୍ତରରେ ଏକ ପ୍ରଭାବୀ ଓ ବିକଶିତ ରାଜ୍ୟ ଭାବେ ଛିଡା କରିବାକୁ 2000 ମସିହାରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ଆଜି ସ୍ବଷ୍ଟ ପ୍ରତୟ ହୋଇଛି । ଏସିଆନ ଆଥଲେଟିକସ ଚମ୍ପିଆନସିପ, ହକି ବିଶ୍ବକପ, ମେକ ଇନ ଓଡିଶା କନକ୍ଲେଭ ଭଳି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ବ ଦରବାରରେ ଓଡିଶାକୁ ସୁପରିଚିତ କରିପାରିଛନ୍ତି ।

ରାଜ୍ୟ ରାଜନୈତିକ ଇତିହାସରେ ବହୁ ଆଞ୍ଚଳିକ ଦଳ ଗଠନ ହୋଇଛି । ସ୍ବାଧୀନତା ପରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ଗଠନ ହୋଇଥିଲା ପ୍ରଥମ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ । ୧୯୫୨ରେ ପ୍ରଥମ ବିଧାନସଭା ନିର୍ବାଚନରେ ୧୪୦ ଆସନରୁ ୩୧ଟି ଆସନରେ ବିଜୟ ଲାଭ କରିଥିଲା । ୧୯୫୭ରେ ୫୧ ଟି ଆସନ ପାଇ ପ୍ରଭାବ ବିସ୍ତାର କରିଥିଲା । ପରବର୍ତ୍ତି ଅବସ୍ଥାରେ ଏହି ଦଳ ଜାତୀୟ ଦଳ ସ୍ବତନ୍ତ୍ର ପାର୍ଟିସହ ମିଶ୍ରଣ ହୋଇଥିଲା । ତେବେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଗଣତନ୍ତ୍ର ପରିଷଦ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲା ।

୧୯୬୭ ବିଧାନସଭା ନିର୍ବାଚନରେ ଆଉ ଗୋଟିଏ ଆଞ୍ଚଳିକ ଦଳ ଓଡିଶା ରାଜନୀତିକୁ ପରିପୁଷ୍ଟ କରିଥିଲା । ମତଭେଦ ଯୋଗୁ କଂଗ୍ରେସ ଛାଡି ଡକ୍ଟର ହରେକୃଷ୍ଣ ମହତାବ ଜନ କଂଗ୍ରେସ ନାଁରେ ଦଳ ଗଠନ କଲେ । ସେତେବେଳେ ଜନ କଂଗ୍ରେସ ଓ ସ୍ବତନ୍ତ୍ର ପାର୍ଟି ମିଳିତ ଭାବେ ସରକାର ଗଠନ କରିଥିଲେ । ୧୯୭୧ରେ ଓଡିଶାରେ ଆଉ ଗୋଟିଏ ନୂଆ ଆଞ୍ଚଳିକ ଦଳର ଆବିର୍ଭାବ ହୋଇଥିଲା । କଂଗ୍ରେସ ଛାଡି ବିଜୁ ପଟ୍ଟନାୟକ ଗଠନ କରିଥିଲେ ଉତ୍କଳ କଂଗ୍ରେସ । ସେତେବେଳେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳିବାରୁ ସ୍ବତନ୍ତ୍ର ପାର୍ଟି ସହ ମିଶି ଉତ୍କଳ କଂଗ୍ରେସ ସରକାର ଗଠନ କରିଥିଲା । ଅବଶ୍ୟ ମେଣ୍ଟ ସରକାର ବେଶୀ ଦିନ ତିଷ୍ଠି ପାରି ନଥିଲା । ପରବର୍ତ୍ତି ଅବସ୍ଥାରେ ଉତ୍କଳ କଂଗ୍ରେସ, ସ୍ବତନ୍ତ୍ର ପାର୍ଟି ଓ ସୋସିଆଲିଷ୍ଟ ମିଶି ଜନତା ପାର୍ଟି ଗଠନ କରିଥିଲେ ଏବଂ କ୍ଷମତା ହାସଲ କରିଥିଲେ । ୧୯୮୦ରୁ ୧୯୯୭ ଭିତରେ ଓଡିଶା ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ କିଛି ନଥିଲା । 2000 ମସିହା ପରବର୍ତ୍ତି ସମୟରେ ଓଡିଶା ଗଣ ପରିଷଦ ଓ ସମତାକ୍ରାନ୍ତି ଦଳ ପରି ଦଳଗୁଡିକ ମୁଣ୍ଡ ଟୋକିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେମାନେ ନବୀନ ପଟ୍ଟନାୟକଙ୍କ ଗୋଟି ଚାଳନାରେ ହଜିଗଲେ ।

୧୯୯୭ରେ ବିଜୁଙ୍କ ଦେହାନ୍ତ ପରେ ଜନତା ଦଳ ବିଭାଜିତ ହୋଇ ଗଠନ ହୋଇଥିଲା ବିଜୁ ଜନତା ଦଳ । ରାଜନୀତିର ଧାର୍ ଧାରୁ ନଥିବା ବିଜୁଙ୍କ ସାନପୁଅ ନବୀନଙ୍କୁ ନେତୃତ୍ବ ନେବା ପାଇଁ ବିଜୁ ଅନୁଗତ ନେତାମାନେ ନିମନ୍ତ୍ରଣ କଲେ । ଆଉ ନବୀନ ଓଡିଶା ପାଇଁ ପାଲଟିଗଲେ ପଲିଟିକାଲ ହିରୋ । ବିଜୁଙ୍କ ପରେ ଆସ୍କା ଲୋକସଭା ଉପନିର୍ବାଚନଠୁ ଆରମ୍ଭ କରି ଏଯାବତ ସେ ବିଜୟ ଧ୍ବଜା ଉଡାଇ ଚାଲିଛନ୍ତି । ଓଡିଶା ଭଳି ରାଜ୍ୟରେ ଆଞ୍ଚଳିକ ଦଳର ନେତୃତ୍ବ ନେଇ ସେ ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ନବୀନ କିଛି ଜାଣିନାହାନ୍ତି ଏବଂ ବ୍ୟୁରୋକ୍ରାଟଙ୍କ ଉପରେ ନିର୍ଭରଶୀଳ ବୋଲି କହୁଥିବା ତାଙ୍କ ରାଜନୈତିକ ନିନ୍ଦୁକମାନଙ୍କୁ ସେ ଯଦିଓ କେବେ ବି କଟାକ୍ଷ କରିନାହାନ୍ତି, ମାତ୍ର ନିଜର କାର୍ଯ୍ୟଶୈଳୀରେ ସମସ୍ତଙ୍କୁ ଚୁପ୍ କରିବାରେ ସକ୍ଷମ ହୋଇଛନ୍ତି । ଉପରକୁ ଖୁବ୍ ନିରୀହ ଓ ଅପରିପକ୍ବ ବୋଲି ଦେଖାଯାଉଥିବା ନବୀନ ଯେ ରାଜନୀତିରେ ବେଶ୍ ଧୂରୀଣ, ଏକଥାକୁ ତାଙ୍କ ସମାଲୋଚକରମାନେ ବି ସ୍ବୀକାର କରନ୍ତି । ଗୋଟିଏ ସମୟରେ ରାଜନୀତିରେ ନିଜକୁ ଖୁବ୍ ପୋଖତ ମନେ କରୁଥିବା ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଫୁଲ୍ଲ ଘଡେଇ ଓ ଦାମୋଦର ରାଉତଙ୍କ ଭଳି ନେତାଏ ବି ପାଣି ପିଇଛନ୍ତି ।

ନବୀନ ସୁପ୍ରିମୋ ଥିଲେ ଏବଂ ଏଇ ଏକୋଇଶି ବର୍ଷ ଭିତରେ ସେ ନିଜକୁ ସୁପ୍ରିମୋରୁ ସୁପର ସୁପ୍ରିମୋରେ ପରିଣତ କରିସାରିଛନ୍ତି । ଲୋକଙ୍କ ପାଖରେ ସେ ଅପ୍ରତିଦ୍ବନ୍ଦୀ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ନା ଦଳ ଭିତରେ ଅବା ଦଳ ବାହାରେ, ଏମିତି କେହି ନେତା ନାହାନ୍ତି, ଯିଏ ତାଙ୍କୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି । ବରଂ ଏମିତି ଅବସ୍ଥା ଆସିଛି, ବିଧାନସଭା ଭିତରେ, ବାହାରେ ନବୀନଙ୍କୁ କଟୁ ସମାଲୋଚନା କରୁଥିବା ବିରୋଧୀ ଦଳ ନେତା ବି  ବିଜେଡିରେ ସାମିଲ ହୋଇଯାଇଛନ୍ତି । ଦଳରୁ ବିଦା ହୋଇଥିବା ନେତା ବି ପୁଣି ନବୀନଙ୍କ ପାଖକୁ ଫେରିବାକୁ ଗୋଡ ଟେକି ବସିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 7 =