ମିଛ ପ୍ରତିଶ୍ରୁତି ଦେଇ ଫର୍ମ ବୁଲୋଉଛନ୍ତି ବିଜେପି, କଂଗ୍ରେସ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ବର (): ବିଜେପି ଓ କଂଗ୍ରେସ ଏବେ ପ୍ରତିଶ୍ରୁତିଭରା ଫର୍ମ ବୁଲାଇ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜୁ ଜନତା ଦଳ ପକ୍ଷରୁ ପ୍ରମାଣ ସହ ଏହି ଗୁରୁତର ଅଭିଯୋଗ ଅଣାଯାଇଛି । ଦଳର ନିର୍ବାଚନୀ ଇସ୍ତାହାର ଏବଂ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ବାହାରେ ଏହା କରାଯାଉଥିବାରୁ  ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଛି । ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡ଼ି ପ୍ରତିନିଧି ଦଳ ଦାବି କରିଛନ୍ତି ।

ବିଜେଡ଼ି ଦର୍ଶାଇଛି ଯେ ‘ପ୍ରତିଶ୍ରୁତି ପତ୍ର’ ନାଁରେ ବିଜେପି ଏକ ଫର୍ମ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଛି । ସେଥିରେ ଗରିବ ଲୋକଙ୍କୁ ପକ୍କା ଘର ଏବଂ ଜମି ପଟ୍ଟା ଦେବାର ପ୍ରତିଶ୍ରୁତି ଦିଆଯାଇଛି । ଲୋକମାନେ ଆଶା ରଖି ନିଜର ସମସ୍ତ ବିବରଣୀ ଦେଇ ଏହି ଫର୍ମ ପୂରଣ କରୁଛନ୍ତି । ଖାଲି ସେତିକି ନୁହେଁ, ଲୋକଙ୍କ ମନରେ ମିଛ ବିଶ୍ବାସ ଜନ୍ମାଇବା ପାଇଁ ଏକ ରିସିପ୍ଟ ଦିଆଯାଉଛି ଯାହା ସାଥୀରେ ନମ୍ବର ଲାଗିଥିବା ଆକ୍ନଲେଜମେଣ୍ଟ ଏବଂ ବିଜେପି ନେତାମାନଙ୍କ ଫଟୋ ରହୁଛି । ତେବେ ବିଜେପି ତାର ଇସ୍ତାହାରରେ ଏଭଳି କୌଣସି ପ୍ରତିଶ୍ରୁତି ଦେଇନାହିଁ । ପ୍ରତିଶ୍ରୁତି ଦେଲେ ବି ଭୋଟବେଳେ ବା ଭୋଟ ପୂର୍ବରୁ ଲୋକଙ୍କଠାରୁ ଫର୍ମ ପୂରଣ କରି ଆଣିବା ନିର୍ବାଚନ ଆଚରଣ ବିଧିର ସ୍ପଷ୍ଟ ଉଲ୍ଲଂଘନ କରୁଛି ।

ସମାନ ଢ଼ଙ୍ଗରେ କଂଗ୍ରେସ ‘ଗ୍ୟାରେଣ୍ଟି କାର୍ଡ’ ନାଁରେ ଏକ ଫର୍ମ ବୁଲୋଉଛି । ସେଥିରେ ବାଳିକାଙ୍କୁ ମାଗଣା ଶିକ୍ଷା ଏବଂ ବିବାହ ବେଳେ ଆର୍ଥିକ ସହାୟତାର ପ୍ରତିଶ୍ରୁତି ଦିଆଯାଇ ଫର୍ମ ପୂରଣ କରାଯାଉଛି । ଖାଲି ସେତିକି ନୁହେଁ, ୬୦ ବର୍ଷ ଶାସନକାଳରେ ସବୁ ଲୋକଙ୍କୁ ପାଣି ଟୋପାଏ ଦେବାକୁ ସମର୍ଥ ହୋଇ ନ ଥିବା କଂଗ୍ରେସ ସବୁ ପରିବାରକୁ ପାଣି ଏବଂ ଘର ଦେବାର ପ୍ରତିଶ୍ରୁତି ବି ଦେଉଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନିର୍ବାଚନ ଆଚରଣ ବିଧି ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ସୁଲତା ଦେଓ, ସୁଲୋଚନା ଦାସ, ଲେଲିନ୍ ମହାନ୍ତି ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ ।

Share

Leave a Reply

Your email address will not be published. Required fields are marked *

9 − nine =