କଂଗ୍ରେସ ପିଠିରେ ଲାଉ ହେଉଛନ୍ତି ବୈଜୟନ୍ତ

ମାର୍ଚ୍ଚରେ ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର () ଓଡ଼ିଶାର ସବୁଠୁ ରାଜନୈତିକ ସମ୍ବେଦନଶୀଳ ତଥା ବିଜେଡିର ଗଡ଼ ବୋଲି କୁହାଯାଉଥିବା କେନ୍ଦ୍ରାପଡାରେ ଶାସକ ଦଳକୁ ଚେକ ଦେବାକୁ କଂଗ୍ରେସ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମନେଇବାକୁ ଚେଷ୍ଟା କରୁଛି । ବୈଜୟନ୍ତ କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ ନଥିବା ବେଳେ ପିସିସି ପକ୍ଷରୁ ତାଙ୍କୁ ଦଳରେ ଯୋଗ ଦେବାକୁ ଚାପ ପକାଉଛନ୍ତି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ସ୍କ୍ରିନିଂ କମିଟି ବୈଠକରେ ମଧ୍ୟ ବୈଜୟନ୍ତଙ୍କୁ କେନ୍ଦ୍ରାପଡାରୁ ଲୋକସଭା ପ୍ରାର୍ଥୀ କରିବାକୁ ଜିଲ୍ଲାର କିଛି ନେତା ଓ ବିଧାୟକ ଦାବି କରିଥିଲେ । ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଖୋଲାଖୋଲି ବୈଜୟନ୍ତଙ୍କୁ ପ୍ରାର୍ଥୀ କରାଗଲେ କଂଗ୍ରେସ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଥିଲେ । ଏପରିକି ସେ ନିଜେ ବୈଜୟନ୍ତଙ୍କ ସହ ଆଲୋଚନା କରିଥିବା ଏବଂ ବୈଜୟନ୍ତ ମଧ୍ୟ ଏଭିତରେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିବା ଦେବେନ୍ଦ୍ର ସୂଚନା ଦେଇଛନ୍ତି । ବୈଜୟନ୍ତ ସ୍ୱାଧୀନ ପ୍ରାର୍ଥୀ ଭାବେ କଂଗ୍ରେସ ସମର୍ଥନରେ ଲଢ଼ିବାକୁ ଆଗ୍ରହୀ ଥିବା ବେଳେ ଦଳ ଚାହୁଁଛି ସେ ପାର୍ଟିରେ ଯୋଗଦିଅନ୍ତୁ ।

ତେବେ ସେ ଯା ହେଉନା କାହିଁକି, ବୈଜୟନ୍ତ ଶେଷରେ କଂଗ୍ରେସରୁ ନିଜ ଭାଗ୍ୟ ପରଖିବାକୁ ଲାଗିଛନ୍ତି । ହେଲେ ଏଭିତରେ ଦଳର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି । ଆଜିର ସ୍କ୍ରିନିଂ କମିଟି ବୈଠକରେ କେନ୍ଦ୍ରାପଡା ଲୋକସଭା ପାଇଁ ବୈଜୟନ୍ତ ପଣ୍ଡା ଓ ଧରଣୀଧର ନାୟକଙ୍କ ନାଁ ସୁପାରିଶ କରିଥିବା ବେଳେ ସାଲେପୁର ପାଇଁ ପ୍ରକାଶ ବେହେରା, ମାହାଙ୍ଗା ପାଇଁ ଦେବ ସାହୁ ଓ ପ୍ରଦୀପ କୁମାର ନାୟକ, କେନ୍ଦ୍ରାପଡା ପାଇଁ ଗଣେଶ୍ୱର ବେହେରା, ମାନସ ମଲ୍ଲିକ ଓ ହଳଧର ସେଠୀ, ଆଳି ପାଇଁ ଦେବେନ୍ଦ୍ର ଶର୍ମା, ରାଜନଗର ପାଇଁ ଅଂଶୁମାନ ମହାନ୍ତି, ମହାକାଳପଡ଼ା ପାଇଁ ବିଭ୍ରଶ ଲେଙ୍କା, ଲୋକନାଥ ମହାରଥୀ ଓ ପ୍ରଫୁଲ୍ଲ ଦାସଙ୍କ ନାଁ ସୁପାରିଶ କରିଛି ।

ସେହିଭଳି ଢେଙ୍କାନାଳ ଲୋକସଭା ପାଇଁ କେ.ପି. ସିଂହଦେଓ ଓ ସଂଗ୍ରାମ ମିଶ୍ର, ଢେଙ୍କାନାଳ ପାଇଁ ନବୀନ ଚନ୍ଦ୍ର ଦାସ ଓ ସୁରେଶ ପାଣିଗ୍ରାହୀ, ପରଜଙ୍ଗ ପାଇଁ ସନ୍ତୋଷ ରାଉତ ଓ ଗଜପତି ବିଶ୍ୱାଳ, ହିନ୍ଦୋଳ ପାଇଁ ମମତାଞ୍ଜଳି ବେହେରା, କାମାକ୍ଷାନଗର ପାଇଁ ଭବାନୀ ମହାପାତ୍ର ଓ ପ୍ରଭୁଦତ୍ତ ଭଟ୍ଟ, ପାଲଲହଡା ପାଇଁ ସୁବୋଧ ପାଣି ଓ ଫକୀର ସାମଲ, ତାଳଚେର ପାଇଁ ସୁରେଶ ବେହେରା, ପ୍ରଫୁଲ୍ଲ ଦାସ ଓ କେଶବ ଭୁତ୍ତିଆ, ଅନୁଗୁଳ ପାଇଁ ବିପ୍ଳବ ଜେନା ଓ ଅମ୍ବିକା ଭଟ୍ଟଙ୍କ ନାଁକୁ ସ୍କ୍ରିନିଂ କମିଟି ସୁପାରିଶ କରିଛି ।

ଦୁଇ ଦିନର ସ୍କ୍ରିନିଂ କମିଟି ବୈଠକରେ 11ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଅଂଚଳ ପାଇଁ ପ୍ରାର୍ଥୀଙ୍କ ନାଁ ସୁପାରିଶ ହୋଇଛି । ବଳକା 10ଟି ଲୋକସଭା କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ଆସନ୍ତା ସପ୍ତାହରେ ପୁଣି ସ୍କ୍ରିନିଂ କମିଟି ବୈଠକ ବସିବ । ଆସନ୍ତା 22 ତାରିଖରେ ପିଇସି ବୈଠକ ବସିବ । ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ବୋଲି ଆଜି ସ୍କ୍ରିନିଂ କମିଟି ଅଧ୍ୟକ୍ଷ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 + twelve =