ବୈଜୟନ୍ତଙ୍କ ପାଇଁ ବଢୁଛି ଅଡୁଆ, ସଂସଦରେ ଭର୍ତ୍ତୃହରି ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବଢୁଛି ଅଡୁଆ । ବାହାମସ ଆକାଉଣ୍ଟ ଜରିଆରେ ବିଦେଶୀ ଟଙ୍କା ଆଣିବା ପ୍ରସଙ୍ଗ ଆଜି ଲୋକସଭାରେ ଉଠିଛି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇବା ସହ ମନି ଲଣ୍ଡରିଂ ଓ ଫେମା ଆଇନ ଉଲଂଘନ ମାମଲାରେ କେତେକ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଓ ତାଙ୍କ ପାରିବାରିକ ବନ୍ଧୁ ଟିକସ ଠକେଇର ଭୁସ୍ବର୍ଗ ବାହାମସରେ ଆକାଉଣ୍ଟ ଖୋଲିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଚି । ଭାରତୀୟ ପାସର୍ପୋଟ ରଖିଥିବା  ବୈଜୟନ୍ତ ପଣ୍ଡା ବାହାମସରେ ଆକାଉଂଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି ? ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା  ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ ଏ ସଂପର୍କରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତ୍ୟନ୍ତ ଆବଶ୍ୟକ ବୋଲି ଭର୍ତ୍ତୃହରି କହିଛନ୍ତି ।

ଲୋକସଭାର ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇ ବିଜେଡି ସାଂସଦ ପ୍ରଶ୍ନ କରିଥିଲେ ଯେ, ଯେ ବାହାମସରେ ଆକାଉଂଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ସୂଚନା ଦେଇଥିଲେ କି ? ଭାରତୀୟ ଆଇନ ଅନୁସାରେ  ବିଦେଶରେ ଆକାଉଂଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା । ବୈଜୟନ୍ତ ପଣ୍ଡା ବାହାମସ ଆକାଉଂଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ଯଦି ଆଇନର ଏସବୁ ସର୍ତ୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ବିଜେଡି ସାଂସଦ ଯୁକ୍ତି ବାଢିଛନ୍ତି । ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଲ୍ଲଂଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି ଲୋକସଭାରେ କହିଛି ।

ବୈଜୟନ୍ତ ନିଜର ସଫେଇରେ କହିଥିଲେ ଯେ, ସେ ସମୟରେ ସେ ଏନଆରଆଇ ନଥିଲେ କିମ୍ବା ବିଦେଶକୁ ପାଠପଢିବାକୁ ଯାଇନଥିଲେ । ତେଣୁ ଆରବିଆଇ କିମ୍ବା କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ଜଣାଇବାର କିମ୍ବା ଅନୁମତି ନେବାର ଆବଶ୍ୟକତା ନଥିଲା । କିନ୍ତୁ ସେ ଭାରତକୁ ଫେରିବା ପରେ ଏ ସଂପର୍କରେ ଆଇବିଆଇ କିମ୍ବା କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ କି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି ।

ଏହି ଘଟଣାରେ ଭର୍ତ୍ତୃହରି ବିଜେପିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିଜେପିର ଜଣେ ବରିଷ୍ଠ ମନ୍ତ୍ରୀ ନିକଟରେ ଗଣମାଧ୍ୟମରେ କହିଛନ୍ତି ଯେ, ରାଜ୍ୟ ସରକାର ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ତେବେ କେନ୍ଦ୍ର ସରକାର ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସେ ଜାଣିବାକୁ ଚାହିଁଛନ୍ତି । ଏଥିସହିତ କେନ୍ଦ୍ର ସରକାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାରଙ୍କୁ କାହିଁକି ଦାୟୀ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

କିଛି ଦିନ ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗ ହୋଇଥିଲା ।  ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଥିଲା । ଅଭିଯୋଗରେ ଅନୁସାରେ  ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲ୍ଲଂଘନ କରିଥିଲେ । ମିଛ କମ୍ପାନୀ ଗଠନ କରି ସେମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଥିଲେ । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

15 + 19 =